ଦୃଷ୍ଟିହୀନ ମହିଳାଙ୍କୁ ଅସଦାଚରଣ ଓ ହତ୍ୟା ଧମକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ଜଣେ ଦୃଷ୍ଟିହୀନ ମହିଳାଙ୍କୁ ଅସଦାଚରଣ କରିବା ଓ ଆକ୍ରମଣ କରିବା ମାମଲାର ବିଚାର କରି କେନ୍ଦ୍ରାପଡା ଫାଷ୍ଟଟ୍ରାକ କୋର୍ଟ ଅଭିଯୁକ୍ତ କାଳିଆ ମଳିକଙ୍କୁ ୫ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । କାରାଦଣ୍ଡ ସହ ଅଭିଯୁକ୍ତଙ୍କୁ ୫ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ମଧ୍ୟ ପ୍ରଦାନ କରାଯାଇଛି । ଜୋରିମାନା ଅନାଦେୟ ଅଭିଯୁକ୍ତକୁ ଅଧିକ ୬ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି ଜଜ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ନିକିରାଇ ଥାନା ଅନ୍ତର୍ଗତ ବେଣୀପୁର ଗ୍ରାମରେ ଜଣେ ଦୃଷ୍ଟିହୀନ ମହିଳାଙ୍କୁ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ତିଗିରିଆ ଗ୍ରାମର କାଳିଆ ମଳିକ ତାଙ୍କ ଅସହାୟତାର ସୁଯୋଗ ନେଇ ତାଙ୍କ ସହ ଅସଦାଚରଣ କରିଥିଲେ । ଏ ସମ୍ପର୍କରେ କାହାକୁ କହିଲେ ଜୀବନରେ ମାରିଦେବେ ବୋଲି ଧମକ ଦେଇଥିଲେ । ହେଲେ ମହିଳା ଜଣଙ୍କ ସାହସର ସହ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଅବଗତ କରିଥିଲେ । ଫଳରେ ମହିଳାଙ୍କ ପିତା ଘଟଣା ସମ୍ପର୍କରେ ନିକିରାଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୋଲିସ ୬୩/୨୦୧୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ଏହି ମାମଲାର ଅଭିଯୋଗ ଫର୍ଦ୍ଦ ପୋଲିସ ଫ୍ରାଷ୍ଟଟ୍ରାକ କୋର୍ଟରେ ଦାଖଲ କରିବା ପରେ କୋର୍ଟରେ ସଂପୃକ୍ତ ମାମଲାର ବିଚାର ଚାଲିଥିଲା । କେନ୍ଦ୍ରାପଡା ଫାଷ୍ଟଟ୍ରାକ କୋର୍ଟର ଆଡହକ ଅତିରିକ୍ତ ଜିଲ୍ଲାଜଜ ତ୍ରୀବିକ୍ରମ ଚିନାରା ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି ।


