ଦେଓମାଳି ପର୍ବତ ଶୃଙ୍ଗରେ କବି ସୁନୀଲ ମିଶ୍ରଙ୍କ ‘ଶବ୍ଦ ଯେ ଅମୃତ’ ପୁସ୍ତକ ଉନ୍ମୋଚିତ

ବାଙ୍କୀ/କଟକ/ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ସୀମା ସୁରକ୍ଷା ଅଭିଯାନର ‘ଚାଲ ଦେଓମାଳି, ଚାଲ କୋଟିଆ’ ଅଭିଯାନରେ ସାମିଲ ହୋଇଥିବା ବାଙ୍କୀ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସଭାପତି ତଥା ସୁ-ସାହିତ୍ୟିକ, ଶିକ୍ଷକ ସୁନୀଲ କୁମାର ମିଶ୍ରଙ୍କ ପୁସ୍ତକ ‘ଶବ୍ଦ ଯେ ଅମୃତ’ ରାଜ୍ୟର ଉଚ୍ଚତମ ଶୃଙ୍ଗ ଦେଓମାଳି ପାହାଡ଼ ଉପରେ ଉନ୍ମୋଚିତ ହୋଇଯାଇଛି । ଓଡ଼ିଶା ସୀମା ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ସମାବେଶରେ ବିଶିଷ୍ଟ ଗାନ୍ଧୀବାଦୀ ସର୍ବୋଦୟ ନେତା, କବି ତଥା ଶିକ୍ଷାବିତ୍ କୃଷ୍ଣ ସିଂହଙ୍କ ଦ୍ୱାରା ଉକ୍ତ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ‘ଅ’ଠାରୁ ‘କ୍ଷ’ ଅକ୍ଷର କ୍ରମେ ବର୍ଣ୍ଣମାଳା ଭିତ୍ତିରେ ଏକ ହଜାର ଏକ ସାରସ୍ୱତ ବାଣୀର ଏକତ୍ର ସଂକଳନ ଉକ୍ତ ପୁସ୍ତକକୁ କଟକର ଶକ୍ତି ପବ୍ଳିଶର୍ସ ପ୍ରକାଶନ କରିଛନ୍ତି । ଉକ୍ତ ସାଂସ୍କୃତିକ ସ୍ୱାଭିମାନ ଉତ୍ସବରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, କୋରାପୁଟର ପ୍ରାକ୍ତନ ଜିଲ୍ଲାପାଳ ଗଦାଧର ପରିଜା, ଉତ୍କଳ ନ୍ୟାସୀ ମଣ୍ଡଳର ସଭାପତି ସୀତାବଲ୍ଲଭ ମହାପାତ୍ର, ଓଡ଼ିଶା ଜନ ଅଧିକାର ପରିଷଦ ସଭାପତି ବିଜୟ ପରିଡ଼ା, ଭାଷା ଆନ୍ଦୋଳନର ନେତା ମୂରଲୀଧର ଭାଷ୍ୟମ୍ ଯୋଗ ଦେଇଥିଲେ । ସଭାପତି ଶ୍ରୀଯୁକ୍ତ ଶତପଥୀ କବି ସୁନୀଲ ମିଶ୍ରଙ୍କ ଦେଶପ୍ରେମ, ପୂଜ୍ୟପୂଜା ପ୍ରାଣ, ସାରସ୍ୱତ ସ୍ମୃତିକୁ ପ୍ରଶଂସା କରି କୋଟିଆ ଚାଲ ଅଭିଯାନରେ କବିଙ୍କ ଯୋଗଦାନକୁ ସାଂସ୍କୃତିକ ପ୍ରେରଣା ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଉକ୍ତ ସାଂସ୍କୃତିକ ଓ ସୀମା ସୁରକ୍ଷା ଅଭିଯାନରେ ବାଙ୍କୀରୁ କବି କୌଶିକ ନାୟକ, ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ପ୍ରତ୍ନତତ୍ତ୍ୱ ଗବେଷକ ରବୀନ୍ଦ୍ର କୁମାର ରଣା, ଅଧ୍ୟାପକ ସୀତାକାନ୍ତ ପାଣିଗ୍ରାହୀ, ସାମାଜିକ କର୍ମୀ ଧନେଶ୍ୱର ବଳୀୟାର ସିଂହ, ଆଇନଜୀବୀ ରଣଜିତ ତ୍ରିପାଠୀ, କବି କାମଦେବ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ