ଦେବତୋର ବିଭାଗ ଦ୍ୱାରା ବେଆଇନ ଭାବେ ତୁମ୍ବେଶ୍ୱର ମନ୍ଦିର ପରିଚାଳନା କମିଟି ଗଠନ ହୋଇଥିବାରୁ ସାମ୍ବାଦିକ ସମ୍ମିଳନୀ
ନାଉଗାଁ(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ଗଜରାଜପୁର ପଂଚାୟତରେ ଥିବା ସର୍ବ ପ୍ରାଚୀନ ଶୈବପୀଠ ତୁମ୍ବେଶ୍ୱର ମହାଦେବଙ୍କ ପରିଚାଳନା କମିଟିକୁ ନେଇ ଅସନ୍ତୋଷ ଦେଖାଦେଇଛି । ଯାହାଫଳରେ ସ୍ଥାନୀୟ ସରପଂଚଙ୍କ ପ୍ରତିନିଧିଙ୍କ ସମେତ ପୂଜକ ଓ ଗ୍ରାମବାସୀମାନେ ଉପସ୍ଥିତ ରହି ଗୁରୁବାର ମନ୍ଦିର ପରିସରରେ ତୃଟିପୂର୍ଣ୍ଣ ପରିଚାଳନା କମିଟି ସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ । ଉକ୍ତ ସମ୍ମିଳନୀରେ ସୂଚନା ମୁତାବକ ପ୍ରାଚୀନ କାଳରୁ ତୁମ୍ବେଶ୍ୱର ମହାଦେବ ବିରାଜ ମାନ କରିଛନ୍ତି । ଏହି ମନ୍ଦିରଟି ନୂଆପାରୀ ମୌଜାରେ ହୋଇଥିବା ବେଳେ ପ୍ଳଟ ନଂ-୨୧୨, ୨୧୩, ୨୧୪, ୨୨୫, ୩୩୯ ରହିଥିବା ବେଳେ ମୋଟ ଏରିଆ ଏ୧.୯୫ ରହିଛି । ଏହାର ମାର୍ଫତ ଗଜରାଜପୁରର ଲୋକନାଥ ପଣ୍ଡା, ବିଶ୍ୱନାଥ ପଣ୍ଡା, ଜଗତସିଂହପୁର ବ୍ଳକ ଯୋତ ଗ୍ରାମର କାଳନ୍ଦୀ ଦିକ୍ଷିତ, କ୍ଷେତ୍ରମୋହନ ଦିକ୍ଷିତ ରହି ମହାଦେବଙ୍କ ପୂଜା କରି ଆସୁଛନ୍ତି । କିନ୍ତୁ ଦେବତୋର ବିଭାଗ କିଛି ଅସାମାଜିକ ବ୍ୟକ୍ତିଙ୍କ ପ୍ରରୋଚନାରେ ପଡି ବିଭାଗ ପତ୍ର ସଂଖ୍ୟା-୪୩୦,୧୬ ଜାନୁଆରୀ ୨୦୨୦ ରେ ଏକ ୯ ଜଣିଆ ପରିଚାଳନା କମିଟି ମଂଜୁର କରିଥିଲେ । ପୁନର୍ବାର ପତ୍ର ସଂଖ୍ୟା ୧୩୯୬, ତା ୧୫ ଫେବୃଆରୀ ୨୦୨୦ ନୂଆପାରୀର ଦେବପ୍ରସାଦ ମହାନ୍ତିଙ୍କୁ ପରିଚାଳନା କମିଟିର ଟ୍ରଷ୍ଟି ଭାବେ ମନୋନୀତ କରିଥିଲେ । ଯାହାଫଳରେ ମନ୍ଦିରର ମାର୍ଫତଦାର କାଶୀନାଥ ପଣ୍ଡା ୨୩ ନଭେମ୍ବର ୨୦୨୦ରେ ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ଆବେଦନ କରିଥିଲେ । ୭ ଡିସେମ୍ବର ୨୦୨୦ ରେ ଉକ୍ତ ଆବେଦନର ଶୁଣାଣି କରି ଉଚ୍ଚନ୍ୟାୟାଳୟ ପୂର୍ବ ଆଦେଶକୁ ବାତିଲି କରି ପୁନର୍ବାର ମନ୍ଦିର ମାର୍ଫତଦାରଙ୍କୁ ନେଇ ପରିଚାଳନା କମିଟି ଗଠନ କରିବାକୁ ଦେବତୋର ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ଶୁଣାଣି ଉପରେ ଅପରପକ୍ଷେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ପୁନର୍ବାର ନ୍ୟାୟାଳୟ ୫ ଜାନୁଆରୀ ୨୦୨୧ ରେ ଅପରପକ୍ଷଙ୍କ ଅପିଲକୁ ଖାରଜ କରି ଆଇନାନୁଯାୟୀ ଦେବତୋର ବିଭାଗକୁ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ନ୍ୟାୟାଳୟ ଦେଇଥିବା ନିର୍ଦ୍ଦେଶକୁ ଦେବୋତର ବିଭାଗ ଅବମାନନା କରିବା ସହ ଏପର୍ଯ୍ୟନ୍ତ କମିଟି ଗଠନ କରୁ ନାହାନ୍ତି । ଯାହାଫଳରେ ପୂର୍ବ ପରିଚାଳନା କମିଟିର ସଦସ୍ୟମାନେ ମନ୍ଦିର ମଧ୍ୟରେ ପଶି ତାଲା ଭାଙ୍ଗିବା ସହ ପୂଜକମାନଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଉଛନ୍ତି । ଯଦି ୭ ଦିନ ମଧ୍ୟରେ ମନ୍ଦିର ପରିଚାଳନା କମିଟି ପୁନର୍ବାର ଗଠନ କରା ନଯାଏ ତେବେ ପୂଜକମାନେ ମନ୍ଦିର ସେବାରୁ ନିବୃତ ରହିବେ । ଏଥିପାଇଁ ଯଦି କିଛି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏ ତେବେ ଦେବତୋର ବିଭାଗ ଏଥିପାଇଁ ଦାୟୀ ରହିବେ ବୋଲି ସମ୍ମିଳନୀରେ ଉପସ୍ଥିତ ଗ୍ରାମବାସୀ ଓ ପୂଜକ ଜଣାଇଥିଲେ । ଏହି ସମ୍ମିଳନୀରେ ତୁଷାରକାନ୍ତ ମହାନ୍ତି, କାଶୀନାଥ ପଣ୍ଡା, ଅନାଦି ଦିକ୍ଷିତ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ । ସେହିପରି ଉକ୍ତ ପରିଚାଳନା କମିଟି ସମ୍ବନ୍ଧରେ ଏକ ଲିଖିତ ଅଭିଯୋଗ ପଂଚାୟତର ସରପଂଚ ରଶ୍ମିତା ମହାନ୍ତି, ଅଭୟ କୁମାର ଦିକ୍ଷିତ, କାଶୀନାଥ ପଣ୍ଡା, ନିହାର ରଂଜନ ଦାସ ଆଦି ଶତାଧିକ ଗ୍ରାମବାସୀଙ୍କ ସ୍ୱାକ୍ଷରରେ ଦେବତୋର ବିଭାଗ ଓଡିଶା, ଜିଲ୍ଲାପାଳ ଜଗତସିଂହପୁର, ଜିଲା ଆରକ୍ଷୀ ଅଧୀକ୍ଷକ ଜଗତସିଂହପୁରଙ୍କ ଅବଗତି ନିମନ୍ତେ ପଠାଯାଇଥିବା ଜଣାଯାଇଛି ।