ଦେବର୍ଷି ନାରଦ

ରବି ନାରାୟଣ ପଣ୍ଡା

ଭଗବାନ କୃଷ୍ଣଙ୍କ ମୁଖରେ ଯଶୋଦାଙ୍କର ବିଶ୍ୱରୂପ ଦର୍ଶନ,ଯୁଦ୍ଧଭୂମିରେ ସେହି ବିଶ୍ୱରୂପ ଦର୍ଶନ କରିଥିଲେ ଅର୍ଜ୍ଜୁନ ଏବଂ ସଂପୂର୍ଣ୍ଣ ମହାଭାରତ ଯୁଦ୍ଧକୁ ଘରେ ବସି ନିଜର ଦିବ୍ୟଦୃଷ୍ଟି ବଳରେ ଦର୍ଶନ କରି ବର୍ଣ୍ଣନା କରୁଥିଲେ ସଂଜୟ । ଏସବୁ ରହସ୍ୟମୟ ପରି ଜଣାପଡୁଥିଲା । କିଛି ଲୋକେ କହୁଥିଲେ ଆମର ପୁରାଣ ସ୍ରଷ୍ଟାମାନେ ଏମିତି ବଢେଇ ଚଢେଇ ଲେଖି ଦେଇଛନ୍ତି । ଏହା କଣ ସମ୍ଭବ ? କିନ୍ତୁ ଏବେ ତାହା ସବୁ ପ୍ରମାଣିତ ହୋଇଯାଇଛି ସେ ଯୁଗରେ କିଛି ଅସମ୍ଭବ ନଥିଲା । ସେସବୁ ଥିଲା ନିରଟ ସତ କଥା । ପୁରାତନ କାଳରେ ଭାରତୀୟମାନେ ଏ କର୍ମରେ ସିଦ୍ଧହସ୍ତ ଥିଲେ । ସେଥିପାଇଁ ଭାରତବର୍ଷ ଥିଲା ଜ୍ଞାନ, କର୍ମ ଓ ଭକ୍ତିର ଏକ ପ୍ରକୃଷ୍ଟ ଭୂମି । । ଉପଗ୍ରହ ମାଧ୍ୟମରେ ଆଧୁନିକ ସୂଚନା ଓ ସଂଚାର ବିଜ୍ଞାନ ଯେଉଁ ଉତ୍କର୍ଷ ଲାଭ କରିଛି ମହାପୁରାଣ ପୃଷ୍ଠାର ଦିବ୍ୟଦର୍ଶନ ଓ ବିଶ୍ୱରୂପ ଦର୍ଶନକୁ ଅଧିକ ବିଶ୍ୱାସଯୋଗ୍ୟ କରିଛି । ପୂରାଣ ଯୁଗରେ ତିନି ଲୋକର ଖବର ସମସ୍ତେ ଜାଣି ପାରୁଥିଲେ । ଦେବତାଙ୍କ ଖବର ଦାନବ ଜାଣି ପାରୁଥିଲେ, ଦାନବଙ୍କ ଖବର ମାନବ ଜାଣି ପାରୁଥିଲେ ଏବଂ ମାନବଙ୍କ ଖବର ଦେବତା ମଧ୍ୟ ଜାଣି ପାରୁଥିଲେ । ସେ ଯୁଗରେ ସୂଚନା ଓ ଦୂରସଂଚାର କାର୍ଯ୍ୟ ମଧ୍ୟ ଚାଲିଥିଲା । ସେ ସମୟରେ ଏହି ବିଭାଗର ଦାୟିତ୍ୱ ବହନ କରିଥିଲେ ଦେବର୍ଷି ନାରଦ ।
ଶ୍ରୀମଦ୍ଭଗବଦ୍ ଗୀତାର ୧୦ ଅଧ୍ୟାୟର ୨୬ ତମ ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ କହିିଛନ୍ତି ହେ ଅର୍ଜ୍ଜୁନ – ‘ଅଶ୍ୱତ୍‌ଥଃ ସର୍ବବୃକ୍ଷାଣାଂ ଦେବର୍ଷୀଣାଂ ଚ ନାରଦଃ’ । ଅର୍ଥାତ ‘ମୁଁ ସକଳ ବୃକ୍ଷଙ୍କ ମଧ୍ୟରେ ଅଶ୍ୱତ୍‌ଥ ବୃକ୍ଷ, ଦେବର୍ଷିମାନଙ୍କ ମଧ୍ୟରେ ନାରଦ ମୁନି’ । ସକଳ ଜ୍ଞାନ ବିଜ୍ଞାନର ଅଧିକାରୀ, ଶତ୍ରୁର ରହସ୍ୟକୁ ଭେଦ କରିବାରେ ଉପାୟ ଜଣାଥିବା ଏବଂ କୁଶଳ ସଂବାହକ ଏବଂ ପ୍ରଭାବୀ ଉପଦେଷ୍ଟା ରୂପରେ ସର୍ବଜନ ବିଦିତ ଦେବର୍ଷି ନାରଦ । ୮ ମଇ ୨୦୨୦ ଶୁକ୍ରବାର ଦିନ ହେଉଛି ସେହି ଦେବର୍ଷି ନାରଦଙ୍କ ଜନ୍ମ ଦିନ । ଦେବର୍ଷି ନାରଦ ବିଶ୍ୱର ଆଦ୍ୟ ସାମ୍ବାଦିକ ହୋଇଥିବାରୁ ଅନେକ ଗଣମାଧ୍ୟମ ଅନୁଷ୍ଠାନ ଓ ଗଣମାଧ୍ୟମରେ କାର୍ଯ୍ୟରତ ବନ୍ଧୁମାନେ ତାଙ୍କର ଜନ୍ମ ଜୟନ୍ତୀ ପାଳନ କରୁଛନ୍ତି ।
ବ୍ରହ୍ମାଙ୍କର ପୁତ୍ର ,ସପ୍ତଋଷିମାନଙ୍କ ମଧ୍ୟରେ ଜଣେ ମହାନ ଋଷି ଏବଂ ଗନ୍ଧର୍ବ ମାନଙ୍କ ମଧ୍ୟରେ ଜଣେ ଶ୍ରେଷ୍ଠ ଗର୍ନ୍ଧବ ବୋଲି ନାରଦ ପରିଚିତ । ସେ ଦିବ୍ୟ ସଂଗୀତ ବିଦ୍ୟାର ପୁରଧା ସହିତ ସମସ୍ତ ଗନ୍ଧର୍ବ ବିଦ୍ୟାରେ ପାରଦର୍ଶିତା ହାସଲ କରିଛନ୍ତି । କେହି କେହି ତାଙ୍କୁ ହାସ୍ୟ ରସର ନାୟକ ରୂପେ ଚିତ୍ରଣ କରିଥିବା ବେଳେ କେହି କେହି ତାଙ୍କୁ ଦେବତା ଓ ଅସୁରଙ୍କ ମଧ୍ୟରେ କଳହର ସୂତ୍ରଧର ରୂପେ ବର୍ଣ୍ଣନା କରିଥାନ୍ତି । ବାସ୍ତବରେ ନାରଦଙ୍କର ପ୍ରକୃତ ଉଦ୍ଦେଶ୍ୟ ହେଉଛି ବିଶ୍ୱ କଲ୍ୟାଣ । ଜନ କଲ୍ୟାଣ ପାଇଁ ନାରଦ ତିନି ଦେବାତା ବ୍ରହ୍ମା, ବିଷ୍ଫୁ ଓ ମହେଶ୍ୱରଙ୍କ ସହିତ ମନ୍ତ୍ରଣା କରି ଉଚିତ ପରାମର୍ଶ ଦେଇଥାନ୍ତି । ସେଥିପାଇଁ ସ୍ୱୟଂ ଜଗତର କର୍ତା ଭଗବାନ କୃଷ୍ଣ ନାରଦଙ୍କର ସ୍ତୁତି ଗାନ କରନ୍ତି । ‘ଯିଏ ବ୍ରହ୍ମାଙ୍କ କଣ୍ଠଦେଶରୁ ଜନ୍ମ ନେଇଛନ୍ତି,ଯାହାଙ୍କ ମନରେ ଅହଂକାର ନାହିଁ,ଯାହାଙ୍କ ବିଶ୍ୱ ବିଖ୍ୟାତ ଚରିତ୍ର କାହାରିକୁ ଅଛପା ନାହିଁ, ଯାହାଙ୍କ ନିକଟରେ ହିଂସା, କ୍ରୋଧ, ଭୟର ସର୍ବଦା ଅଭାବ,ଯିଏ ଧିର ହେଲେ ମଧ୍ୟ ବଡ ବଡ କାମକୁ ଅଧିକ ସମୟ ନିଅନ୍ତି ନାହିଁଁ, କାମନା, ବାସନା, ଲୋଭ ଏବଂ ମିଛ କଥା ଯାହାଙ୍କ ମୁଖରୁ ବାହାରେ ନାହିଁ, ଯିଏ ଆଧ୍ୟାତ୍ମ ଗତିର ତତ୍ୱଜାଣିବା ବାଲା, ଜ୍ଞାନ ଶକ୍ତି ସଂପନ୍ନ ଏବଂ ଜିତେନ୍ଦ୍ରୀୟ, ଯାହାଙ୍କ ହୃଦୟ ସରଳତାରେ ଭରପୁର, ଯିଏ ସଠିକ୍ କଥା କୁହନ୍ତି, ସେହି ନାରଦଙ୍କୁ ମୋର ପ୍ରଣାମ ।’ ଜଗତର କର୍ତା ପରମ ଇଶ୍ୱର ଆହୁରି ମଧ୍ୟ କହିଛନ୍ତି ଯେ ‘ ଯାହାଙ୍କର ତେଜ,ତପସ୍ୟା, ଯଶ, ବୁଦ୍ଧି, ବିିନୟ ଏବଂ ଜନ୍ମ ସମସ୍ତଙ୍କ ଦୃଷ୍ଟିରୁ ବଡ, ଯାହାଙ୍କ ସ୍ୱଭାବ ସୁଖମୟ, ବେଶ ସୁନ୍ଦର ତଥା ଭୋଜନ ଉତମ, ଯିଏ ପ୍ରକାଶମାନ ଶୁଭଦୃଷ୍ଟି ସମ୍ପନ୍ନ ଏବଂ ମଧୁର ବିନୟ ବଚନ କୁହନ୍ତି , ଯିଏ ଉତ୍ସାହ ପୂର୍ବକ ସମସ୍ତଙ୍କର କଲ୍ୟାଣ କରନ୍ତି, ଯାହାଙ୍କ ପାଖରେ ଟିକିଏ ବୋଲି ପାପ ନାହିଁ, ଯିଏ ପରୋପକାର କରିବା ପାଇଁ ପଛଘୁଂଚା ଦିଅନ୍ତି ନାହିଁ,ଯିଏ ସଦାସର୍ବଦା ବେଦ,ବେଦାଙ୍କ ଓ ପୁରାଣର ଚର୍ଚ୍ଚା କରନ୍ତି, ଧର୍ମର ପ୍ରତିଷ୍ଠା ପାଇଁ ଯାହାଙ୍କ ନିକଟରେ ପ୍ରିୟ-ଅପ୍ରିୟ କିଛି ନଥାଏ, ଯିଏ ଭୋଗ ବିଳାସ ଠାରୁ ଦୁରରେ ରୁହନ୍ତି, ଯାହାଙ୍କ ପାଖରୁ ବିଶ୍ୱ ବ୍ରହ୍ମାଣ୍ଡର ଖବର ଜାଣିହୁଏ, ଯିଏ ଧନ,ମାନ, କାମ, କ୍ରୋଧରେ ଭ୍ରମିତ ହୁଅନ୍ତି ନାହିଁ, ଯିଏ କାମ, କ୍ରୋଧ ଓ ମୋହକୁ ଦମନ କରିଛନ୍ତି, ଯାହାଙ୍କ ଅନ୍ତକରଣ ସଦାସର୍ବଦା ସୁଦ୍ଧ, ଯାହାଙ୍କ ନୀତି ବହୁତ ଉତମ, ଯିଏ ସଙ୍କୋଚ ସ୍ୱାଭାବର, ଯିଏ ସବୁଠାରେ ବିଦ୍ୟାମାନ ଥାଇ ମଧ୍ୟ ଅନାଶକ୍ତ, ଯାହାଙ୍କ ମନରେ ଟିକେ ହେଲେ ସଂଶୟ ନଥାଏ, ଯିଏ ଜଣେ ଭଲ ବକ୍ତା, ଯାହାଙ୍କର କୌଣସି ଶାସ୍ତ୍ରପ୍ରତି ବିଦ୍ୱେଶା ଭାବ ନଥାଏ, ତପସ୍ୟା ପରି ଅନୁଷ୍ଠାନ ଯାହାଙ୍କ ଜୀବନ, ଯାହାଙ୍କ ସମୟ ଭଗବତ୍ ଚିନ୍ତା ବିନା କେବେ ବ୍ୟର୍ଥ ହୁଏ ନାହିଁ, ଯିଏ ମନକୁ ନିଜ ବଶରେ ରଖିଥାନ୍ତି ସେହି ନାରଦଙ୍କୁ ମୋର ନମସ୍କାର । ଯିଏ ତପ ପାଇଁ ଶ୍ରମ କରନ୍ତି, ଯାହାଙ୍କ ବୁଦ୍ଧି ପବିତ୍ର ଏବଂ ଆୟତ, ଯିଏ ସମାଧିରେ କେବେ ତୃପ୍ତ ହୁଅନ୍ତି ନାହିଁ, ଯିଏ ପ୍ରତ୍ୟେକ କାର୍ଯ୍ୟ ପାଇଁ ସର୍ବଦା ସତର୍କ ଥାନ୍ତି,ଯିଏ ସୁଖରେ ଅତି ଉତ୍ସାହିତ ହୁଅନ୍ତି ନାହିଁ କି ଦୁଃଖରେ ଭାଙ୍ଗି ପଡନ୍ତି ନାହିଁ, ଯିଏ ସର୍ବଗୁଣ ସମ୍ପନ୍ନ, ଦକ୍ଷ , ପବିତ୍ର, ଯିଏ ଭୟାଳୁ ନୁହଁନ୍ତି,ସେ ହେଉଛନ୍ତି ଦେବର୍ଷି ନାରଦ । ନାରଦଙ୍କର ବହୁମୁଖୀ ପ୍ରତିଭା ଓ ବିବିଧ କର୍ମ ମଧ୍ୟରୁ ଆଜିର ସାମ୍ବାଦିକତାକୁ ମଧ୍ୟ ଏକ କାର୍ଯ୍ୟରୂପେ ବିବେଚନା କରାଯାଇପାରେ । ଏଭଳି ଜ୍ଞାନୀ ଜଣେ କଳହ ସୃଷ୍ଟିକାରି ହୋଇନପାରନ୍ତି । ନାରଦଙ୍କ ନାମ ଓ କର୍ମକୁ ଲକ୍ଷ୍ୟ କଲେ ଜଣାଯାଏ ଯେ, ସେ ଅବଲୀଳା କ୍ରମେ ଆକାଶ ମାର୍ଗରେ ଶବ୍ଦ, ରୂପ ଓ ରସର ପ୍ରବାହ ତଥା ସଂଚାର କରିବାରେ ଅତ୍ୟନ୍ତ ଶକ୍ତିଶାଳୀ ମାଧ୍ୟମ । ଏଣୁ ନାରଦ ଶବ୍ଦ ଓ ରୂପ ଉଭୟଙ୍କୁ ନିୟନ୍ତ୍ରଣ କରି ସବୁଲୋକରେ ପହଂଚାଇ ପାରୁଥିଲେ । ଏଣୁ ବୈଦିକ ଯୁଗରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ନାରଦ ଚରିତ୍ରର ବୈଶିଷ୍ଟ୍ୟ ସ୍ୱୀକାର କରିବାକୁ ପଡିବ ।

ବିଶ୍ୱ ସମ୍ବାଦ କେନ୍ଦ୍ର,ଓଡିଶା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ