ଦେବୀ ନଦୀର ପାଳନ୍ଦି ଘାଟରୁ ଚୋରା ଚାଲାଣ ହେଉଛି ଶତାଧିକ ଟ୍ରିପ ବାଲି ପ୍ରଶାସନ ନିରବ ଦ୍ରଷ୍ଟା

ନାଉଗାଁ, (ଓ୍ବାଇଏନ୍ଏସ୍) : ତହସିଲ ଅନ୍ତର୍ଗତ ବଛାଳୋ ପଂଚାୟତ ଦେବୀ ନଦୀ ପଠାରେ ଥିବା ପାଳନ୍ଦି ଘାଟରୁ ପ୍ରତ୍ୟେହ ଶତାଧିକ ଟ୍ରିପ ବାଲି ଚୋରା ଚାଲାଣ ହେଉଛି । ଏହି ଘାଟକୁ ନେଇ ଜୈନିକ ବ୍ୟକ୍ତି ନ୍ୟାୟାଳୟ ଆଶ୍ରୟ ନେଇଥିବାରୁ ତହସିଲ ପକ୍ଷରୁ ନିଲାମ ପ୍ରକ୍ରିୟା ବନ୍ଦ ରହିବା ସହିତ ବାଲି ଉଠାଣ ବନ୍ଦ ରହିଛି । କିନ୍ତୁ ଏହି ଘାଟରୁ ବାଲି ଉଠିବା ବନ୍ଦ ରହିଥିବା ସତ୍ୱେ କେତେକ ଚୋରା ବାଲି ମାଫିଆ ଚୋରାରେ ପ୍ରତ୍ୟେହ ଶତାଧିକ ଟ୍ରିପ ବାଲି ଉତୋଳନ କରୁଛନ୍ତି । ଯାହାଫଳରେ ସରକାରଙ୍କର ରାଜସ୍ୱ ହାନି ହେଉଥିବା ଜଣାଯାଇଛି । ଏ ବିଷୟରେ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସତ୍ୱେ ପ୍ରଶାସନ ନିରବ ରହୁଛି । ଏହି ଘାଟଟି ବଛାଳୋ ପଂଚାୟତରେ ଅବସ୍ଥିତ ହୋଇଥିବା ବେଳେ ବଛାଳୋ ସମେତ ଆଖପାଖ ଅଂଚଳର କିଛି ଚୋରା ବାଲି ମାଫିଆ ମିଶି ପ୍ରତ୍ୟେହ ବାଲି ଉଠାଉ ଥିବା ଦେଖିବାକୁ ମିଳୁଛି । ଏପରିକି ପ୍ରଶାସନକୁ ହାତରେ ରଖି ଚୋରା ବାଲି ମାଫିଆମାନେ ଏହି ଘାଟରୁ ବାଲି ଉଠାଉ ଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଦିନେ ନୁହେଁ କି ୨ ଦିନ ନୁହେଁ ଦୀର୍ଘ ୫ ବର୍ଷ ହେବ ଏହି ଘାଟରୁ ବାଲି ଉଠୁଥିବା ବେଳେ ପ୍ରଶାସନ ନିରବ ରହିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବେଆଇନ ଭାବେ ଉକ୍ତ ଘାଟରୁ ବାଲି ଉଠୁଥିବା ବେଳେ ବାଲି ମାଫିଆମାନେ ଚୋରାରେ ବାଲି ବିକ୍ରି କରି ଭଲ ଦି ପଇସା ରୋଜଗାର କରୁଛନ୍ତି । ରାସ୍ତାଘାଟ ଠାରୁ ଆରମ୍ଭ କରି ଘର ନିର୍ମାଣ କାର୍ଯ୍ୟ ଆଦି ବିଭିନ୍ନ ନିର୍ମାଣ କାର୍ଯ୍ୟ ପାଇଁ ଶହ ଶହ ଟ୍ରିପ ବାଲି ଏହି ଘାଟରୁ ଉଠୁଥିବା ସ୍ଥାନୀୟ ଲୋକେ ପ୍ରକାଶ କରୁଛନ୍ତି । ବାଲି ମାଫିଆ ମାନେ ବେଆଇନ ଭାବେ ବାଲି ଉଠାଇ କମ ଦାମରେ ବିକ୍ରି କରୁଥିବାରୁ ସ୍ଥାନୀୟ ଲୋକମାନେ ଏହି ଘାଟରୁ ବାଲି ନେଉଥିବା ଜଣାଯାଇଛି । ଚୋରାରେ ବାଲି ବିକ୍ରି ହେଉଥିବା ବେଳେ ସରକାରଙ୍କର ଲକ୍ଷାଧିକ ଟଙ୍କାର ରାଜସ୍ୱ ହାନି ଘଟୁଥିବା ଜଣାଯାଇଛି । ତେଣୁ ବେଆଇନ ଭାବେ ଚାଲୁଥିବା ଉକ୍ତ ଘାଟକୁ ବନ୍ଦ କରିବା ପାଇଁ ସାଧାରଣରେ ଦାବି ହେଉଛି । ଏ ବିଷୟରେ ତହସିଲଦାର ଜେ.କଳ୍ପନାଙ୍କୁ ପଚାରିବାରୁ ଏବିଷୟର ମୁଁ ଅବଗତ ନଥିଲି, ସେହି ଘାଟ ନିକଟକୁ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କୁ ପଠାଇ ତଦନ୍ତ କରାଯିବ । ଯଦି ରାତିରେ ବାଲି ଉତୋଳନ କରାଯାଉଥିବ ଏ ସଂର୍ପକରେ ଥାନାଧିକାରୀଙ୍କ ସହ ଆଲୋଚନା କରାଯାଇ ବାଲି ଗାଡିକୁ ଜବତ କରାଯିବାର ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ