ଦେବୀ ରୂପରେ ପୂଜାପାଆନ୍ତି ମାଛର ହାଡ଼

ଭାରତରେ ଏପରି କିଛି ମନ୍ଦିର ଅଛି, ଯାହାର ସ୍ୱତନ୍ତ୍ର ପରମ୍ପରା ରହିଛି । ଏହି ମନ୍ଦିରମାନଙ୍କୁ ନେଇ ଅନେକ କିମ୍ବଦନ୍ତୀ ମଧ୍ୟ ରହିଛି । ଆପଣ କ’ଣ ଏପରି ଏକ ମନ୍ଦିର ବିଷୟରେ ଶୁଣିଛନ୍ତି ଯେଉଁଠି ମାଛର ହାଡ଼କୁ ପୂଜା କରାଯାଏ । ତେବେ ଏହା ବିଶ୍ୱାସଯାଗ୍ୟ ହେଉ ନ ଥିଲେ ମଧ୍ୟ ସତ ।ଗୁଜରାଟର ଡୁଙ୍ଗୁରୀଠାରେ ରହିଛି ଏହି ମନ୍ଦିର । ୩୦୦ ବର୍ଷ ପୁରୁଣା ମନ୍ଦିର “ମତ୍ସ୍ୟ ମାତାଜୀ’ ନାମରେ ବେଶ୍ ପରିଚିତ । ଏହି ମନ୍ଦିରକୁ ଉକ୍ତ ଗାଁର ମତ୍ସ୍ୟଜୀବୀମାନେ ନିର୍ମାଣ କରିଥିଲେ । ସମୁଦ୍ରକୁ ମାଛ ଧରିଯିବା ପୂର୍ବରୁ ମତ୍ସ୍ୟଜୀବୀ ସେହି ମନ୍ଦିରରେ ରହି ମା’ଙ୍କୁ ଦର୍ଶନ କରି କାର୍ଯ୍ୟରେ ବାହାରିଥାନ୍ତି । କୁହାଯାଏ ଯେ, ଯଦି କୌଣସି ମତ୍ସ୍ୟଜୀବୀ ମା’ଙ୍କୁ ଦର୍ଶନ ନ କରି ମାଛ ଧରିବାକୁ ଯାଇଥାଏ, ତାଙ୍କ ସହ ଯେ କୌଣସି ଦୁର୍ଘଟଣା ହୋଇଥାଏ । କେବଳ ଏହା ନୁହେଁ, ମନ୍ଦିର ନିର୍ମାଣଙ୍କୁ ନେଇ ଏକ ବିରାଟ କିମ୍ବଦନ୍ତୀ ମଧ୍ୟ ରହିଛି । ୩୦୦ ବର୍ଷ ପୂର୍ବେ ସମୁଦ୍ରରୁ ଏକ ବିରାଟ ମାଛ ଆସି କୂଳରେ ଲାଗିବା ନେଇ ଜଣେ ବ୍ୟକ୍ତିଙ୍କୁ ସ୍ୱପ୍ନାଦେଶ ହୋଇଥିଲା । ସେ ସ୍ୱପ୍ନରେ ମାଛ ରୂପରେ ଜଣେ ଦେବୀଙ୍କୁ ଦର୍ଶନ କରିଥିଲେ । ମାଛ ସେଠାକୁ ଆସିବା ଫଳରେ ତାହାର ମୃତ୍ୟୁ ଘଟିଥିଲା । ବ୍ୟକ୍ତି ଜଣଙ୍କ ଗାଁ ଲୋକଙ୍କୁ ଏହି କଥା କହିଥିଲେ । ପରେ ଗାଁ ଲୋକେ ସେଠାକୁ ଯାଇ ଏକ ବଡ଼ ତିମି ମାଛ ମରିପଡ଼ିଥିବା ଦେଖିବାକୁ ପାଇଥିଲେ । ଏଣୁ ସ୍ୱପ୍ନର ସମ୍ପୂର୍ଣ୍ଣ କଥା ଶୁଣି ମାଛକୁ ଦେବୀ ମା’ ବୋଲି ଭାବି ଲୋକେ ତାଙ୍କ ନାମରେ ଏକ ମନ୍ଦିର ନିର୍ମାଣ କରିଥିଲେ । ମନ୍ଦିର ନିର୍ମାଣ ପୂର୍ବରୁ ବ୍ୟକ୍ତି ଜଣଙ୍କ ସେହି ମାଛକୁ ମାଟି ତଳେ ପୋତିଦେଇଥିଲେ । ପରେ ମନ୍ଦିର ନିର୍ମାଣ ହେବା ପରେ ତାହାର ହାଡ଼କୁ ଆଣି ମନ୍ଦିରରେ ରଖି ପୂଜା କରିଥିଲେ । ଲୋକଙ୍କ କହିବା ଅନୁଯାୟୀ ଯେଉଁ ଲୋକ ଏହି କଥାକୁ ବିଶ୍ୱାସ କରି ନ ଥିଲେ ସେମାନଙ୍କୁ ଅନେକ କଷ୍ଟ ଭୋଗିବାକୁ ପଡ଼ିଥିଲା । ଗାଁରେ ରୋଗ ବ୍ୟାପିଥିଲା । ମାତ୍ର ପରେ ମା’ ସ୍ୱପ୍ନାଦେଶ ଦେଇଥିବା ବ୍ୟକ୍ତିର କଥାରେ ଲୋକେ ସେହି ମନ୍ଦିରରେ ପୂଜା କରିବା ଫଳରେ ବିପଦ ଟଳିଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ