ଦେଶଦ୍ରୋହ ଅଭିଯୋଗରେ ୩ ସାଉଦି ଯୁବରାଜ ଅଟକ
ରିୟାଦ୍: ସାଉଦି ଆରବରେ ୩ ଜଣ ରାଜ ପରିବାରର ସଦସ୍ୟଙ୍କୁ ଦେଶଦ୍ରୋହ ଅଭିଯୋଗରେ ଅଟକ ରଖାଯାଇଛି। ଏଥିରେ ଦୁଇ ଜଣ ବରିଷ୍ଠ ଯୁବରାଜ ମଧ୍ୟ ସାମିଲ୍ ଅଛନ୍ତି। ଶୁକ୍ରବାର ଏକ ଆମେରିକୀୟ ଗଣମାଧ୍ୟମ ଏହି ସୂଚନା ଦେବା ସହ ଦେଶର ସର୍ବୋଚ୍ଚ କ୍ଷମତାଶାଳୀ ସମ୍ରାଟ ମହମ୍ମଦ ବିନ୍ ସଲମାନ୍ (ଏମ୍ବିଏସ୍) ନିଜକୁ ଅଧିକ କ୍ଷମତାଶାଳୀ କରିବା ପାଇଁ ଏପରି ପଦକ୍ଷେପ ନେଇଥିବା ପରୋକ୍ଷରେ ପ୍ରକାଶ କରିଛି। କିଙ୍ଗ୍ ସଲମାନ୍ଙ୍କ ଭାଇ ଯୁବରାଜ ଅହମଦ ବିନ୍ ଅବଦୁଲ୍ଅଜିଜ୍ ଅଲ୍-ସାଉଦ୍, ସମ୍ରାଟ ଏମ୍ବିଏସ୍ଙ୍କ ପୁତୁରା ଯୁବରାଜ ମହମ୍ମଦ ବିନ୍ ନୟିଫ୍ଙ୍କୁ ଶୁକ୍ରବାର ପୂର୍ବାହ୍ନରେ ସୈନ୍ୟମାନେ ସେମାନଙ୍କ ବାସଭବନରୁ ଗିରଫ କରିଥିବା ଜଣାପଡ଼ିଛି। ସେମାନଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ କରିଥିବା ୱାଲ୍ ଷ୍ଟ୍ରୀଟ୍ ଜର୍ଣ୍ଣାଲ୍ ତା’ର ରିପୋର୍ଟରେ ପ୍ରକାଶ କରିଛି।
ଏହାଛଡ଼ା ଦ ନ୍ୟୁୟର୍କ ଟାଇମ୍ସ ମଧ୍ୟ ଏହି ଅଟକ ଖବର ପ୍ରକାଶ କରିଛି। ଏହି ରିପୋର୍ଟରେ ଅଲ୍-ସାଉଦ୍ ଓ ନୟିଫ୍ଙ୍କ ବ୍ୟତୀତ ନୟିଫ୍ଙ୍କ ସାନ ଭାଇ ଯୁବରାଜ ନୱଫ୍ ବିନ୍ ନୟିଫ୍ ମଧ୍ୟ ଅଟକ ରହିଥିବା କୁହାଯାଇଛି। ତେବେ ଏ ସଂକ୍ରାନ୍ତରେ ସାଉଦୀ ଆରବ ସମ୍ରାଟ ଏମ୍ବିଏସ୍ଙ୍କ ପକ୍ଷରୁ କୌଣସି ପ୍ରକାର ସୂଚନା ଦିଆଯାଇନାହିଁ। ପୂର୍ବରୁ ଏମ୍ବିଏସ୍ ଦେଶର ଅନେକ ପ୍ରମୁଖ ଯୁବରାଜ, ଧର୍ମଗୁରୁ, ବ୍ୟବସାୟୀ ଓ ବିଶିଷ୍ଟ କର୍ମୀଙ୍କୁ ଜେଲ୍ ହାଜତରେ ଭର୍ତ୍ତି କରି ଅଖଣ୍ଡ କ୍ଷମତା ଉପଭୋଗର ରାସ୍ତା ପରିଷ୍କାର କରିଦେଇଥିଲେ। ତାଙ୍କ ବିରୋଧରେ ନିୟମିତ ସମ୍ବାଦ ପରିବେଷଣ କରିଆସୁଥିବା ଜମାଲ୍ ଖଶୋଗୀଙ୍କୁ ଗତ ୨୦୧୮ ଅକ୍ଟୋବରରେ ଇସ୍ତାନବୁଲ୍ କନ୍ସୁଲେଟ୍ରେ ହତ୍ୟା କରାଯାଇଥିବା ବେଳେ ଏହା ପଛରେ ଏମ୍ବିଏସ୍ଙ୍କର ଭୂମିକା ରହିଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଗତ ୨୦୧୭ରେ ଏମ୍ବିଏସ୍ ଅଭିଷିକ୍ତ ଯୁବରାଜ ନୟିଫ୍ ଓ ଆଭ୍ୟନ୍ତରୀଣ ମନ୍ତ୍ରୀଙ୍କୁ ପଦରୁ ହଟାଇ ଆରବ ରାଷ୍ଟ୍ରର ସର୍ବୋଚ୍ଚ କ୍ଷମତାଶାଳୀ ବ୍ୟକ୍ତିବିଶେଷ ହୋଇପାରିଥିଲେ।


