ଦେଶବ୍ୟାପୀ ୫୪୨ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ ୬.୪୮ ଲକ୍ଷ ଯାତ୍ରୀ ପରିବହନ

ନୂଆଦିଲ୍ଲୀ : ଲକଡାଉନ ଯୋଗୁଁ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର‌୍ୟ୍ୟଟନ, ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ଲୋକଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହେବା ପରେ ଭାରତୀୟ ରେଳବାଇ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ କରାଇବାକୁ ନିଷ୍ପତ୍ତି ନେଇଥିଲା । ମେ ୧୨ ତାରିଖ ପୂର୍ବାହ୍ନ ୯.୩୦ ମିନିଟ ସୁଦ୍ଧା ଦେଶର ବିଭିନ୍ନ ପ୍ରାନ୍ତରେ ୫୪୨ଟି ଶ୍ରମିକ ସ୍ପେଶାଲ ଟ୍ରେନର ଚଳାଚଳ ଆରମ୍ଭ ହୋଇଛି । ସେଥି ମଧ୍ୟରୁ ୪୪୮ଟି ଟ୍ରେନ ନିଜ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥିବାବେଳେ ଅନ୍ୟ ୯୪ଟି ଯାତ୍ରା ଜାରି ରଖିଛନ୍ତି । ଇତି ମଧ୍ୟରେ ଆନ୍ଧ୍ରରେ ଗୋଟିଏ, ବିହାରରେ ୧୧୭ଟି , ଛତିଶଗଡରେ ୧, ହିମାଚଳ ପ୍ରଦେଶରେ ୧, ଝାଡ଼ଖଣ୍ଡରେ ୨୭, କର୍ଣ୍ଣାଟକରେ ୧, ମଧ୍ୟପ୍ରଦେଶରେ ୩୮, ମହାରାଷ୍ଟ୍ରରେ ୩, ଓଡ଼ିଶାରେ ୨୯, ରାଜସ୍ଥାନରେ ୪, ତାମିଲନାଡୁରେ ୧, ତେଲଙ୍ଗାନାରେ ୨, ଉତ୍ତରପ୍ରଦେଶରେ ୨୨୧ ଓ ପଶ୍ଚିମବଙ୍ଗରେ ୨ଟି ଟ୍ରେନ ପହଞ୍ଚିସାରିଛି । ତିରୁଚିରାପଲ୍ଲୀ, ଟିଟିଲାଗଡ ବାରାଉଣି, ଖଣ୍ଡୱା, ଜଗନ୍ନାଥପୁର, ଖୋର୍ଦ୍ଧାରୋଡ, ପ୍ରୟାଗରାଜ, ଛାପ୍ରା, ବଲିଆ, ଗୟା, ପୂର୍ଣ୍ଣିଆ, ବାରଣାସୀ, ଦରଭଙ୍ଗା, ଗୋରଖପୁର, ଲକ୍ଷ୍ନୌ, ଜଉନପୁର, ହଟିଆ, ବସ୍ତି, କଟିହାର, ଦାନାପୁର, ମୁଜାଫରପୁର, ସହରସା ଆଦି ଷ୍ଟେସନରେ ପ୍ରବାସୀ ଶ୍ରମିକ ଓ ଅଟକ ଯାତ୍ରୀମାନେ ଇତି ମଧ୍ୟରେ ପହଞ୍ଚିଛନ୍ତି । ସେଠାରୁ ସେମାନଙ୍କୁ ନିଜନିଜ ଘରକୁ ନେବା ଲାଗି ରାଜ୍ୟ ପ୍ରଶାସନ ତରଫରୁ ବ୍ୟବସ୍ଥା ହୋଇଛି ।
ଏସବୁ ଶ୍ରମିକ ସ୍ପେଶାଲ ଟ୍ରେନରେ ଯାତ୍ରୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଉପଯୁକ୍ତ ଭାବେ କରାଯାଇ ଯାତ୍ରା ପାଇଁ ଅନୁମତି ଦିଆଯାଇଥିଲା । ଯାତ୍ରା ସମୟରେ ଯାତ୍ରୀମାନଙ୍କୁ ରେଳବାଇ ପକ୍ଷରୁ ମାଗଣାରେ ଖାଦ୍ୟ ଓ ପାନୀୟ ଯୋଗାଣର ବ୍ୟବସ୍ଥା କରାଯାଇଥିଲା । ଯାତ୍ରା ସମୟରେ ଯାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ରକ୍ଷା ନିୟମମାନ ଉପଯୁକ୍ତ ଭାବେ ପାଳନ କରାଯାଇଛି । ନିଜ ନିଜ ରାଜ୍ୟର ଲୋକଙ୍କୁ ଫେରାଇ ନେବାକୁ ସଂପୃକ୍ତ ସରକାରଙ୍କ ଅନୁରୋଧ କ୍ରମେ ଏବଂ ଯେଉଁ ରାଜ୍ୟରୁ ଶ୍ରମିକ ଆସିବେ ସେଠାରେ ସରକାରଙ୍କ ଅନୁମତି ଅନୁସାରେ ଏହି ସ୍ୱତନ୍ତ୍ର ଟ୍ରେନ ସବୁ ଚଳାଚଳ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ