ଦେଶରେ ଦିନକରେ ୩୦ ହଜାର କରୋନା ସଂକ୍ରମିତ ସୁସ୍ଥ ହେଲେ
ନୂଆଦିଲ୍ଲୀ : କ୍ରମାଗତ ଭାବେ ଦେଶରେ ସୁସ୍ଥତା ହାରରେ ବୃଦ୍ଧି ଘଟିଛି । ଗତ ୨୪ଘଣ୍ଟା ମଧ୍ୟରେ ୨୯,୫୫୭ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି, ଯାହାକି ଏପର୍ଯ୍ୟନ୍ତ ଦିନକରେ ସୁସ୍ଥ ହୋଇଥିବା ସଂଖ୍ୟାରେ ସର୍ବାଧିକ । ବର୍ତ୍ତମାନ ସୁଦ୍ଧା ୭,୮୨,୬୦୬ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ମୋଟ ସୁସ୍ଥତା ହାର ଶତକଡା ୬୩.୧୮ରେ ପହଞ୍ଚିଛି । ଏହାଫଳରେ ସକ୍ରିୟ ଓ ସୁସ୍ଥ ରୋଗୀଙ୍କ ସଂଖ୍ୟାରେ ପାର୍ଥକ୍ୟ ସଂଖ୍ୟାରେ ବୃଦ୍ଧି ପାଇଁ ବର୍ତ୍ତମାନ ଏହା ୩,୫୬,୪୩୯ ପହଞ୍ଚିଛି । କୋଭିଡ ପରିଚାଳନା ଦିଗରେ କେନ୍ଦ୍ର ସରକାରଙ୍କ ଦୂରଦର୍ଶିତା ଯୋଗୁଁ ଏହା ସମ୍ଭବ ହୋଇଛି । କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ମିଶି ବ୍ୟାପକ ପରୀକ୍ଷା କରିବା, ପ୍ରଭାବଶାଳୀ ଆବଦ୍ଧାଞ୍ଚଳର ବ୍ୟବସ୍ଥା ଓ ଦକ୍ଷ ଉପଚାର ଯୋଗୁଁ ଏହା ସମ୍ଭବ ହୋଇଛି । ଏହାଛଡା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ବିଶେଷଜ୍ଞମାନଙ୍କ ପରାମର୍ଶ, ଯୁଗ୍ମ ତଦାରଖ ଦଳ ଏବଂ ନୂଆଦିଲ୍ଲୀସ୍ଥିତ ଏମ୍ସର ବିଷାରଦ, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସହଯୋଗ, ଆଇସିଏମଆର ଓ ଏନସିଡିସିର ସମନ୍ଵୟ ଯୋଗୁଁ ଏହା ସମ୍ଭବ ହୋଇପାରିଛି । କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟକୁ ବିଶେଷଜ୍ଞ ଥିବା କେନ୍ଦ୍ରୀୟ ଦଳ ପଠାଇ ପରିସ୍ଥିତି ଉପରେ ନଜର ରଖିଛନ୍ତି । ଏମ୍ସ ପକ୍ଷରୁ ବିଭିନ୍ନ ରାଜ୍ୟର କୋଭିଡ ହସ୍ପିଟାଲଗୁଡିକରେ ଥିବା ଚିକିତ୍ସକମାନଙ୍କୁ ଟେଲି ଯୋଗାଯୋଗ ଜରିଆରେ ପରାମର୍ଶ ଦିଆଯାଉଛି । ଏଭଳି ସମନ୍ଵିତ ପଦକ୍ଷେପ ଯୋଗୁଁ ମୃତ୍ୟୁ ହାର ଖୁବ କମ ରହିଛି । ଏହା ୨.୪୧ ପ୍ରତିଶତ ଥିବା ବେଳେ କ୍ରମଶଃ ଦ୍ରୁତ ହ୍ରାସ ପାଉଛି । ଏହାଫଳରେ ପ୍ରକୃତ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି । ବର୍ତ୍ତମାନ ୪,୨୬,୧୬୭ ଜଣ ସକ୍ରିୟ ରୋଗୀ ଅଛନ୍ତି ।