ଦେଶର ଆର୍ଥିକ ବିକାଶ ନିଶ୍ଚିତ ଭାବେ ତ୍ୱରାନ୍ୱିତ ହେବ

ନୂଆଦିଲ୍ଲୀ : କୋଭିଡ-୧୯ ଭୂତାଣୁ ସଂକ୍ରମଣ ଏବଂ ତଦଜନିତ ଲକଡାଉନ କାରଣରୁ ଭାରତର ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇଥିଲେ ହେଁ ୨୦୨୧-୨୨ ଆର୍ଥିକ ବର୍ଷରେ ଏଥିରେ ସୁଧାର ଆସିବ ବୋଲି ଦୁଇଟି ଅନ୍ତର୍ଜାତୀୟ ସ୍ତରର ରେଟିଂ ଏଜେନ୍ସି ଆକଳନ କରିଛନ୍ତି । ବିଶ୍ୱସ୍ତରୀୟ ରେଟିଂ ସଂସ୍ଥା ଫିଚର ଆକଳନ ଅନୁଯାୟୀ ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ସାଢ଼େ ୯ ପ୍ରତିଶତ ରହିବ । ଏହି ଆର୍ଥିକ ବର୍ଷରେ ଦେଶର ବିଭିନ୍ନ କ୍ଷେତ୍ରରେ ଅଭିବୃଦ୍ଧି ହାର ତ୍ୱରାନ୍ୱିତ ହେବ । ଦେଶରେ ମହାମାରୀ ଜନିତ ଆର୍ଥିକ ଦୁଃସ୍ଥିତିକୁ ଦୂର କରିବା ଲାଗି କେନ୍ଦ୍ର ସରକାର ଗ୍ରହଣ କରିଥିବା ଅନେକଗୁଡ଼ିଏ ଯୁଗାନ୍ତକାରୀ ନିର୍ଣ୍ଣୟ ଫଳରେ ଦେଶର ଅଭିବୃଦ୍ଧି ହାର ପୁଣିଥରେ ଟ୍ରାକକୁ ଫେରିବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି । ଅନ୍ୟପକ୍ଷରେ ଅନ୍ତର୍ଜାତୀୟସ୍ତରର ରେଟିଂ ଏଜେନ୍ସି ଭାରତୀୟ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ସଂକ୍ରାନ୍ତରେ ଏଭଳି ସକାରାତ୍ମକ ଆକଳନ କରିବା ପରେ ବିଭିନ୍ନ ମହଲରେ ଉତ୍ସାହ ପ୍ରକାଶ ପାଇଛି । ବିଭିନ୍ନ କ୍ଷେତ୍ର ପାଇଁ ବିଗତ କିଛିଦିନ ଧରି କେନ୍ଦ୍ର ସରକାର ଏକାଧିକ ବିକାଶମୂଳକ ପଦକ୍ଷେପ ଗ୍ରହଣ କରିଆସୁଛନ୍ତି । ଏହାକୁ ସ୍ୱାଗତ କରିଥିବା ଲୋକମାନେ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । ନବରଙ୍ଗପୁର ଚାମ୍ବର ଅଫ କମର୍ସର ସଦସ୍ୟ ବିକ୍ରମ ଜୈନ କହିଛନ୍ତି ଯେ ଆଗାମୀ ଦିନରେ ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ବ୍ୟାପକ ବିକାଶ ହେବ । ବର୍ତମାନ ସମ୍ପୂର୍ଣ୍ଣ ବାଣିଜ୍ୟ ଜଗତ, ଶ୍ରମ ବଳ ପ୍ରସ୍ତୁତ ହୋଇ ରହିଛନ୍ତି । କରୋନା ମହାମାରୀ କାରଣରୁ ବ୍ୟବସାୟିକ କ୍ଷେତ୍ରରେ ଯେଉଁ ନିରବତା ଦେଖାଦେଇଛି ତାହା ଝଡ଼ ପୂର୍ବର ନିରବତା । ଆଗାମୀ ଦିନରେ ବ୍ୟବସାୟିକ, ଆର୍ଥିକ ବିକାଶର ଏକ ଝଡ଼ ଆସିବ । ବିଭିନ୍ନ ବ୍ୟବସାୟ କ୍ଷେତ୍ର ଉନ୍ନତ ପ୍ରଦର୍ଶନ କରିବେ । କରୋନା ସମଗ୍ର ବିଶ୍ୱ ପାଇଁ ଏକ ବିପଦ ଥିଲା । କିନ୍ତୁ ଭାରତ ଏହି ବିପଦକୁ ସୁଯୋଗରେ ପରିଣତ କରିଛି । ଭାରତୀୟ ଅର୍ଥବ୍ୟବସ୍ଥାର ପୁନରୁଦ୍ଧାର ହେବ । ଦେଶର ଆର୍ଥିକ ଦୁରବସ୍ଥା ନେଇ ଯେଉଁସବୁ ଆଶଙ୍କା କରାଯାଉଛି ସେସବୁ ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କ ସଂସ୍କାରମୂଳକ ପଦକ୍ଷେପ କାରଣରୁ ଅମୂଳକ ସାବ୍ୟସ୍ତ ହେବ । ଆମର କର୍ମଯୋଗୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ କ୍ଷେତ୍ର ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଶିଳ୍ପ, କୃଷି, ଏମଏସଏମଇ, ମତ୍ସ୍ୟପାଳନ, ପଶୁସମ୍ପଦ ବିଭିନ୍ନ କ୍ଷେତ୍ର ପାଇଁ ନଗଦ ଉପଲବ୍ଧ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ପଦକ୍ଷେପ କାରଣରୁ ଭାରତ ପୁଣିଥରେ ବିକାଶଧାରାରେ ଆଗେଇ ଯିବ ଓ ସାରା ବିଶ୍ୱରେ ଏକ ସମୃଦ୍ଧ ରାଷ୍ଟ୍ର ଭାବେ ଉଭା ହେବ । ସେହିପରି ନବରଙ୍ଗପୁର ଚାମ୍ବର ଅଫ କମର୍ସର ଉପସଭାପତି ରାକେଶ ଗୁପ୍ତା କହିଛନ୍ତି ଯେ ଅର୍ଥନୀତି କ୍ଷେତ୍ର ପାଇଁ ସରକାର ଯେଭଳି ଭାବେ ଆର୍ଥିକ ସହାୟତା ଘୋଷଣା କରୁଛନ୍ତି ଓ ଏମଏସଏମଇ କ୍ଷେତ୍ର ପାଇଁ ଯେଉଁସବୁ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରାଯାଇଛି, ତାହାଦ୍ୱାରା ନିଶ୍ଚିତ ଭାବେ ଲୋକମାନଙ୍କର କ୍ରୟଶକ୍ତି ବଢ଼ିବ ଏବଂ ଦେଶର ଦ୍ରୁତ ଆର୍ଥିକ ବିକାଶ ହୋଇପାରିବ । ଭାରତ ବିଶ୍ୱ ଆର୍ôଥକ ମହାଶକ୍ତିମାନଙ୍କ ତାଲିକାର ଶୀର୍ଷରେ ରହିପାରିବ । ସେ ଆହୁରି କହିଛନ୍ତି, ମାର୍ଚ୍ଚ ମାସରେ କରୋନା ଆରମ୍ଭ ହେବା ପରଠାରୁ ସେମାନଙ୍କର ବ୍ୟବସାୟ ପ୍ରଭାବିତ ହୋଇଥିଲା । ଯାହାର କୁପ୍ରଭାବ ବର୍ତମାନସୁଦ୍ଧା ରହିଛି । ଏହାସତ୍ୱେ ପ୍ରଧାନମନ୍ତ୍ରୀ ଏମଏସଏମଇ କ୍ଷେତ୍ର ପାଇଁ ଯେଉଁ ଋଣ ସହାୟତା ଘୋଷଣା କରିଛନ୍ତି ତାହା ଆଗାମୀ ଦିନରେ ଏହି କ୍ଷେତ୍ରର ଅଭିବୃଦ୍ଧି ନିମନ୍ତେ ସହାୟକ ହୋଇପାରିବ । ଦେଶର ଆର୍ଥିକ ବିକାଶ ତ୍ୱରାନ୍ୱିତ ହେବ । ଆତ୍ମ ନିର୍ଭର ଭାରତ ପାଇଁ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ନିଶ୍ଚିତ ଭାବେ ସାକାର ହୋଇପାରିବ ବୋଲି ଶ୍ରୀ ଗୁପ୍ତା ଦୃଢ଼ତାର ସହିତ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ସମ୍ପ୍ରତି କରୋନା ମହାମାରୀ କାରଣରୁ ଦେଶରେ ବିଭିନ୍ନ ପର୍ଯ୍ୟାୟରେ ଲକଡାଉନ ଜାରି କରାଯାଇଛି । ସାମାଜିକ ଦୂରତ୍ୱ ରକ୍ଷା କରି ମହମାରୀର ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ପକ୍ଷରୁ ଲକଡାଉନ, ସଟଡାଉନ ଭଳି ଜରୁରି ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ଏହା ଦେଶର ଆର୍ଥିକ କାର୍ଯ୍ୟକଳାପକୁ ଏକପ୍ରକାର ଠପ କରି ଦେଇଛି । ଏଥିଯୋଗୁ ଅଭିବୃଦ୍ଧି ହାର ପ୍ରଭାବିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ କ୍ଷେତ୍ର ଉପରେ ପଡ଼ିଥିବା ଆର୍ଥିକ ଚାପ ହ୍ରାସ କରିବା ଲାଗି ଭାରତ ସରକାର ଅନେକଗୁଡ଼ିକ ନୀତିଗତ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଦେଶର ୮୦ କୋଟି ପରିବାରକୁ ମାଗଣା ଖାଦ୍ୟଶସ୍ୟ, ପ୍ରବାସୀମାନଙ୍କୁ ଖାଦ୍ୟସାମଗ୍ରୀ ଓ ପରିବହନ ସୁବିଧା, ମଧ୍ୟବିତଙ୍କ ପାଇଁ ଆର୍ଥିକ ରିହାତି, ମହିଳା ଜନଧନ ଆକାଉଂଟଧାରୀ, ଦିବ୍ୟାଙ୍ଗ, ବରିଷ୍ଠ ନାଗରିକଙ୍କୁ ଡିବିଟି ଜରିଆରେ ନଗଦ ହସ୍ତାନ୍ତର, ଉଜ୍ଜ୍ୱଳା ଯୋଜନାର ମହିଳା ହିତାଧିକାରୀମାନଙ୍କୁ ମାଗଣାରେ ଗ୍ୟାସ ସିଲିଣ୍ଡର, କୃଷିଜାତ ସାମଗ୍ରୀ ପାଇଁ ଏକରାଷ୍ଟ୍ର ଏକ ବଜାର ବ୍ୟବସ୍ଥା, ଏମଏସପି ଦର ବୃଦ୍ଧି, ଏମଏସଏମଇଗୁଡ଼ିକ ପାଇଁ ପ୍ରୋତ୍ସାହନ ଭଳି ଗୁରୁତ୍ୱପୂର୍ଣ୍ଣ ନୀତିଗତ ତଥା ଆର୍ଥିକ ସହାୟତା ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି । ମହାମାରୀ ଜନିତ ପ୍ରଭାବ କାରଣରୁ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଦେଶର ଅର୍ଥବ୍ୟବସ୍ଥାର ସୁଧାର ଦିଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଏସବୁ ଦୃଢ଼, ସାହସିକ ତଥା ସଂସ୍କାରମୂଳକ ପଦକ୍ଷେପ ଉଭୟ ସ୍ୱଳ୍ପକାଳିନ ଏବଂ ଦୀର୍ଘକାଳିନ ଭିତିରେ ଦେଶକୁ ଲାଭାନ୍ୱିତ କରିବ । ସୂଚନାଯୋଗ୍ୟ ଯେ କୋଭିଡ-୧୯ ମହାମାରୀ ସଂକ୍ରମଣକୁ ପ୍ରତିହତ କରିବା ଲାଗି ମାର୍ଚ୍ଚ ୨୪ ତାରିଖରେ ଲକଡାଉନ ଘୋଷଣା ହେବା ସଙ୍ଗେ ସଙ୍ଗେ ମାର୍ଚ୍ଚ ୨୬ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ୧.୭୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ । ଏଥିରେ ଦେଶର ଗରିବ ଓ ଅସହାୟଙ୍କ କଲ୍ୟାଣ ପାଇଁ ମୁଖ୍ୟତଃ ଗୁରୁତ୍ୱାରୋପ କରାଯାଇଥିଲା । ଏହାପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆତ୍ମନିର୍ଭର ଭାରତ ଅଭିଯାନ ଅନ୍ତର୍ଗତ ୨୦ ଲକ୍ଷ କୋଟି ଟଙ୍କାର ଏକ ବିସ୍ତୃତ ପ୍ୟାକେଜ ଘୋଷଣା କରିଥିଲେ । ଏହି ପ୍ୟାକେଜ ଅନ୍ତର୍ଗତ ଏମଏସଏମଇଗୁଡ଼ିକ ପାଇଁ ୩ ଲକ୍ଷ କୋଟି ଟଙ୍କାର ପ୍ରୋତ୍ସାହନ ଘୋଷଣା କରାଯାଇଥିଲା । ସେହିପରି କୃଷି କ୍ଷେତ୍ର, କ୍ଷୁଦ୍ର ବ୍ୟବସାୟୀ, ଉଠାଦୋକାନୀ, ପ୍ରବାସୀ ଶ୍ରମିକଙ୍କ ପାଇଁ ମଧ୍ୟ ଆର୍ଥିକ ସହାୟତା, ରିହାତି ଘୋଷଣା କରାଯାଇଛି । ଇତିମଧ୍ୟରେ କେନ୍ଦ୍ର କ୍ୟାବିନେଟ ମଧ୍ୟ ବିଭିନ୍ନ କ୍ଷେତ୍ର ପାଇଁ କେତେକ ଯୁଗାନ୍ତକାରୀ ନୀତିଗତ ପଦକ୍ଷେପକୁ ମଞ୍ଜୁରି ଦେଇଛନ୍ତି । ଯାହା ଦେଶର ଅର୍ଥବ୍ୟବସ୍ଥାର ସ୍ଥାୟୀ ବିକାଶ ପାଇଁ ବିଶେଷ ସହାୟକ ହୋଇପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ