‘ଦେଶ ବିକାଶ’ସଂଗଠନ ପକ୍ଷରୁ‘ସକ୍ଷମ-୨୦୨୨’ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଦେଶ ବିକାଶ’ପକ୍ଷରୁ ୮ମ ବାର୍ଷିକ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ କାର୍ଯ୍ୟକ୍ରମ ‘ସକ୍ଷମ-୨୦୨୨’ ସହରର ଗାନ୍ଧୀସ୍ମୃତି ଭବନ ପରିସରରେ ଶନିବାର ଉଦ୍‌ଘାଟିତ ହୋଇଯାଇଛି । ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶରେ ଏହା ପ୍ରଶଂସନୀୟ ପଦକ୍ଷେପ ବୋଲି କହିଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେ ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ‘ସମାଜ’ ଉତ୍ତର ଓଡ଼ିଶା ସଂସ୍କରଣର ମୁଖ୍ୟ ମଧ୍‌ୁସୂଦନ ଦାସ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭା ବିକାଶରେ ‘ଦେଶ ବିକାଶ’ ସଂଗଠନର ସାଧୁ ଉଦ୍ୟମ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇଛି ବୋଲି କହିଥିଲେ । ସବୁ ମହଲରୁ ସହଯୋଗ ରହିଲେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ କେବେ ବି ନିଜକୁ ଅକ୍ଷମ ବୋଲି ଭାବିବେ ନାହିଁ ବୋଲି ସେ ମତ ପ୍ରକାଶ କରିଥିଲେ । ଅନୁଷ୍ଠାନର ସଭାପତି ଯୁବ ସଂଗଠକ କୃଷ୍ଣଗୋପାଳ ପଣ୍ଡା ଏଥିରେ ସଭାପତିତ୍ୱ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ସମ୍ପାଦକ ଆଶିଷ ଘୋଷ ସ୍ୱାଗତ ଅଭିଭାଷଣ ସହ ବିବରଣୀ ଉପସ୍ଥାପନ କରିଥିଲେ । ରାଣୀପାଟଣା ଦୃଷ୍ଟିହୀନଙ୍କ ନିମନ୍ତେ ବିଦ୍ୟାଳୟ ନିିର୍ଦ୍ଦେଶକ ଦିବାକର ସ, ବରିଷ୍ଠ ସଦସ୍ୟ ସ୍ମାରକ ଦାସ, ତୁଷାରକାନ୍ତି ତପସୀ ପ୍ରମୁଖ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମଞ୍ଚାସୀନ ହୋଇ ବକ୍ତବ୍ୟ ପ୍ରଦାନ କରିଥିଲେ । ରବୀନ୍ଦ୍ର ମହାକୁଡ଼ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ପରେ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ଖେଳ ସହିତ ବ୍ରେଲ ପଡ଼ା, ଗଣିତ, ନୃତ୍ୟ, ସଙ୍ଗୀତ, ବାଦ୍ୟଯନ୍ତ୍ର ପ୍ରଭୃତି ବିଭାଗରେ ପ୍ରତିଯୋଗିତା ହୋଇଥିଲା । ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ଦୁଇଦିନିଆ ଉତ୍ସବରେ ଆସନ୍ତାକାଲି ଉଦ୍‌ଯାପନୀ କାର୍ଯ୍ୟକ୍ରମରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି । ମୃତ୍ୟୁଞ୍ଜୟ ରାଉତ, ଗୋପାଳକୃଷ୍ଣ କର, ସଞ୍ଜୀବ ସାହୁ, ରଞ୍ଜନ ଦାସ, ଅନୁପ ସେଠୀ, ସମ୍ବିତ ବିଶ୍ୱାଳ, ଲକ୍ଷ୍ମୀକାନ୍ତ ସ୍ୱାଇଁ ପ୍ରମୁଖ ସଂଗଠନ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ