ଦେଢ଼ବର୍ଷ ପରେ ବିଦ୍ୟାଳୟ ଆସିଲେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ

ବାଲେଶ୍ୱର, (ସରୋଜ ପଣ୍ଡା) : କରୋନା ଯୋଗୁଁ ଦୀର୍ଘ ଦେଢ଼ବର୍ଷ ଧରି ବନ୍ଦ ରହିଥିବା ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ସୋମବାର ଖୋଲିଛି । ସରକାରଙ୍କ କୋଭିଡ କଟକଣା ପାଳନ ପୂର୍ବକ ବାଲେଶ୍ୱର ଜିଲାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବେଶ ଉତ୍ସାହର ଉଦ୍ଦୀପନା ସହ ଶ୍ରେଣୀକୁ ଆସିଥିବା ଲକ୍ଷ୍ୟ କରାଯାଇଛି । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ସହିତ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଥର୍ମାଲ ସ୍କ୍ରିନିଂ ଓ ସାନିଟାଜରରେ ହାତ ଧୁଆ କରାଇଥିବା ଦେଖିବାକୁ ମିଳିଛି । ସମସ୍ତଙ୍କ ମୁହଁରେ ତୁଣ୍ଡି ଥିବାବେଳେ ସମସ୍ତେ ସାମାଜିକ ଦୂରତା ରକ୍ଷା କରୁଛନ୍ତି । ଦୀର୍ଘ ଦେଢ଼ବର୍ଷ ବିଦ୍ୟାଳୟକୁ ନ ଆସି ସେମାନେ ଅନଲାଇନରେ ପାଠ ପଢ଼ୁଥିଲେ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି । ସରକାରୀ ନିର୍ଦ୍ଦେଶାନୁସାରେ ଅଭିଭାବକଙ୍କଠାରୁ ଅନୁମତିପତ୍ର ସହ ସେମାନେ ବିଦ୍ୟାଳୟକୁ ଆସିଥିବା ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି । ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟକୁ ଛାଡ଼ିବାକୁ ଆସିଥିବା ଅଭିଭାବକଙ୍କଠାରେ ମଧ୍ୟ ଅନୁରୂପ ଉତ୍ସାହ ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ସରକାରଙ୍କ କୋଭିଡ ନିୟମ ପାଳନ ସହ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରାଯାଉଥିବା ପ୍ରଧାନ ଶିକ୍ଷକମାନେ ସୂଚନା ଦେଇଛନ୍ତି । ସରକାରୀ ନିୟମ ଅନୁସାରେ ଦୀର୍ଘଦିନ ଧରି ବିଦ୍ୟାଳୟକୁ ଆସିନଥିବା ବେଳେ ଛାତ୍ରଛାତ୍ରୀଙ୍କୁ ପ୍ରଥମ ଦୁଇଦିନ ଶ୍ରେଣୀ ପାଠ ନ ପଢ଼ାଇ କେବଳ ଆଲୋଚନା, ତର୍କ ପ୍ରିଯୋଗିତା, ସଙ୍ଗୀତ ଓ ଚିତ୍ରାଙ୍କନ ଆଦି ପ୍ରତିଯୋଗିତା କରାଯିବ । କରୋନା ଯୋଗୁଁ ବିଦ୍ୟାଳୟ ବନ୍ଦ ରହିବା ଫଳରେ ବିନା ପାଠପଢ଼ାରେ ଛାତ୍ରଛାତ୍ରୀମାନେ ସପ୍ତମରୁ ଅଷ୍ଟମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ସପ୍ତମ ପାଠକୁ ନେଇ ଶିକ୍ଷଣସ୍ତର ମପାଯିବ । ଏଥିପାଇଁ ୨୭ ତାରିଖରେ ଓଡ଼ିଆ, ୨୮ରେ ଗଣିତ ଓ ୨୯ରେ ଇଂରାଜୀ ବିଷୟରେ ପରୀକ୍ଷା କରାଯିବ । ସବୁ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇ ପରୀକ୍ଷା ଦେବେ । ଯେଉଁ ଛାତ୍ରଛାତ୍ରୀମାନେ ସ୍କୁଲକୁ ଆସିବେନି ପ୍ରଧାନଶିକ୍ଷକ ସେମାନଙ୍କ ଘରକୁ ପ୍ରଶ୍ନପତ୍ର ପଠାଇ ଆକଳନ କରିବେ । ପିଲାଙ୍କ ଫଳକୁ ଗୁରୁତ୍ୱ ଦେଇ କେଉଁ ପିଲାଙ୍କୁ କେମିତି ପାଠପଢ଼ା ଯିବ ସେ ସମ୍ପର୍କରେ ଶିକ୍ଷକମାନେ ପଦକ୍ଷେପ ନେବେ । ଉଭୟ ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ଥିବା ବିଷୟକୁ ଶିକ୍ଷକମାନେ ପ୍ରଥମେ ପଢ଼ାଇବେ । ଏହାଦ୍ୱାରା ଛାତ୍ରଛାତ୍ରୀମାନେ ପାଠକୁ ସହଜରେ ଗ୍ରହଣ କରିପାରିବେ ବୋଲି ପ୍ରଧାନ ଶିକ୍ଷକ ସୂଚନା ଦେଇଛନ୍ତି । ପ୍ରଥମ ଦିନରେ ଜିଲା ସମଗ୍ର ଶିକ୍ଷା ଅଭିଯାନ ପ୍ରକଳ୍ପ ସଂଯୋଜକ(ଡିପିସି)ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ବିଭିନ୍ନ ବିଦ୍ୟାଳୟକୁ ଯାଇ କୋଭିଡ ନିୟମ ପାଳନର ସ୍ଥିତି ଅନୁଧ୍ୟାନ କରିଛନ୍ତି । ସରକାରଙ୍କ ନିର୍ଦ୍ଦେଶାନୁସାରେ ବାଲେଶ୍ୱରରେ ସବୁକିଛି ଠିକ୍‌ଠାକ ଚାଲିଥିବା ଡିପିସି ବିଷ୍ଣୁ ମୋହନ ସୂତାର ପ୍ରକାଶ କରିଛନ୍ତି । ପ୍ରଥମ ଦିନରେ ଜିଲାର ୧୬୭୭ ବିଦ୍ୟାଳୟର ୧୯,୪୯୪ ଜଣ ଛାତ୍ରଛାତ୍ରୀ ଶ୍ରେଣୀରେ ଉପସ୍ଥିତ ହୋଇଥିବା ସେ ସୂଚିତ କରିଛନ୍ତି । ବାଲେଶ୍ୱର ଜିଲାର ମୋଟ ୩୩,୯୩୪ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଆଜି ୫୭.୪୫ ପ୍ରତିଶତ ବିଦ୍ୟାଳୟକୁ ଆସିଥିଲେ । ତେବେ ପ୍ରତ୍ୟେକ ବିଦ୍ୟାଳୟ ବିଶୋଧନ ସହ ସାମାଜିକ ଦୂରତା ରକ୍ଷା ଓ ତୁଣ୍ଡି ବ୍ୟବହାର ଆଦି ସମସ୍ତ ପ୍ରକାର କରୋନା ସତର୍କତା ଅବଲମ୍ବନ କରାଯାଇଥିବା ଡିପିସି ଶ୍ରୀ ସୂତାର କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ