ଦେଢ଼ବର୍ଷ ବିତିଲା : ସରପଞ୍ଚ ବିଦାହେଲେ କିନ୍ତୁ ପଞ୍ଚାୟତ ଦୁର୍ନୀତିର କାର୍ଯ୍ୟାନୁଷ୍ଠାନ ହେଲାନାହିଁ

ହାଟଡିହି, (ବିକାଶ ବିଶ୍ୱାଳ) :-କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମରୈଗାଁ ପଞ୍ଚାୟତରେ ହୋଇଥିବା ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତିର ତଦନ୍ତ ସରି ଦେଢ଼ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବା ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଖବରରୁ ଜଣାଯାଇଛି ଯେ ଏହି ପଞ୍ଚାୟତକୁ ଆସିଥିବା ବିଭିନ୍ନ ଅନୁଦାନକୁ କାମ ନକରି ଅଗ୍ରୀମ ଆକରରେ ଉଠାଇ ନିଆଯାଇଥିବା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଫଳରେ ଗତ ୨୦୧୭/୧୮ରୁ ୨୦୧୯/୨୦ ବର୍ଷର ସରକାରୀ ଅନୁଦାନ ଖର୍ଚ୍ଚ ସମ୍ପର୍କରେ ତଦନ୍ତ ପାଇଁ ହାଟଡିହି ବିଡିଓ ଚିଠିନଂ ୨୧୯୪/ ୧୫/୭/୨୦୨୦ରେ ଜିପିଓ ଓ ସହକାରୀ ଯନ୍ତ୍ରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଜିପିଓ ଓ ସହକାରୀଯନ୍ତ୍ରୀଙ୍କ ଦ୍ୱାରା ୩୧/୭/୨୦୨୦ରେ ତଦନ୍ତ ହୋଇଥିଲା । ୬/୯/୨୦୧୭ରୁ ୩୧/୧୧/୨୦୧୮ ମଧ୍ୟରେ କଂକ୍ରିଟ ରାସ୍ତା ନିର୍ମାଣ, ନୁତନ ନଳକୂପ, ପ୍ଲାଟଫର୍ମ ନିର୍ମାଣ, ହରିଶ୍ଚନ୍ଦ୍ର ସହାୟତା ଆଦି ପାଇଁ ପଞ୍ଚାୟତ କର୍ତ୍ତୁପକ୍ଷ ୭ଲକ୍ଷ ୯୧ହଜାର ଟଙ୍କା ଅଗ୍ରୀମ ଉଠାଇ ନେଇଥିଲେ । ସେଥି ମଧ୍ୟରୁ ୨ଲକ୍ଷ୨୧ ହଜାର ୯୫୮ଟଙ୍କା ୯ଟି ନଳକୂପ ନିର୍ମାଣ ପାଇଁ ଖର୍ଚ୍ଚ କରିଥିବାବେଳେ ଅବଶିଷ୍ଟ ୫ଲକ୍ଷ ୬୯ହଜାର ୪୨ଟଙ୍କା ଖର୍ଚ୍ଚର କୌଣସି ହିସାବ ମିଳିନଥିଲା । ସେହିପରି ୩୦/୯/୨୦୧୭ରୁ ୩୦/୧୨/୨୦୧୯ ମଧ୍ୟରେ ଏସଏଫସି ଫଣ୍ଡରୁ ପଞ୍ଚାୟତ ଗୃହ ମରାମତି, ନଳକୂପ ପ୍ଲାଟଫର୍ମ ଓ ହରିଶ୍ଚନ୍ଦ୍ର ସହାୟତା ପାଇଁ ୧ଲକ୍ଷ ୮୫ହଜାର ୭୯୭ଟଙ୍କା ଅଗ୍ରୀମ ଉଠାଣ ହୋଇଥିଲା । ଯାହାର ଖର୍ଚ୍ଚର ହିସାବ ମିଳିନଥିଲା । ମୋଟ ୭ଲକ୍ଷ ୪୪ହଜାର ୮୩୯ଟଙ୍କା କୁ ସରପଞ୍ଚ ଓ ପିଇଓ ଉଭୟ ଜାଣିଶୁଣି ଅଗ୍ରୀମ ଉଠାଇ ନେଇ ଆତ୍ମସାତ କରାଯାଇଥିବା ତଦନ୍ତ ରିପୋର୍ଟରେ  ଉଲେଖ କରାଯାଇଥିଲା ।  ସହକାରୀଯନ୍ତ୍ରୀ ଓ ଜିପିଓ ଗତ ୫/୮/୨୦୨୦ରେ ତଦନ୍ତ ରିପୋର୍ଟ ବିଡିଓଙ୍କୁ ପ୍ରଦାନ କରିଥିଲେ । ଦୁଇମାସ ପରେ ବିଡିଓଙ୍କ ଚିଠିନଂ ୨୮୫୨/ ତା ୬/୧୦/୨୦୨୦ରେ ଡିପିଓ, ଜିଲାପାଳ, ଆନନ୍ଦପୁର ଉପଜିଲ୍ଲାପାଳ ପ୍ରମୁଖଙ୍କୁ ଜଣାଯାଇଥିଲା । ରିପୋର୍ଟ ପ୍ରଦାନକୁ ଦେଢ଼ବର୍ଷ ବିତିଯାଇଥିଲେ ମଧ୍ୟ ଏପରିକି ସେହି ପଞ୍ଚାୟତର ସରପଞ୍ଚ ନିଜ ପଦବୀରୁ ବିଦା ହୋଇ ସାରିଥିଲେବି ଆଜି ପର୍ଯ୍ୟନ୍ତ ସରପଞ୍ଚ ଓ ପିଇଓଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବା ସରକାରୀ ଅବହେଳାକୁ ପ୍ରମାଣ କରୁଛି । ଏହିଭଳି ସମାନ ଅଭିଯୋଗ ଥାଇ ସୋସୋ ଓ ସୁଲଣ ପଞ୍ଚାୟତର ସରପଞ୍ଚ ଓ ପିଇଓଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯିବା ସହ  ସେମାନଙ୍କ ନାମରେ ଥାନାରେ ମାମଲା ରୁଜୁ କରାଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ମରୈଗାଁ ପଞ୍ଚାୟତର ଏହି ଦୁର୍ନୀତି ବିରୁଦ୍ଧରେ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଏ ସମ୍ପର୍କରେ ସଂପୃକ୍ତ ପଞ୍ଚାୟତର ପ୍ରାକ୍ତନ ପିଇଓ ହରିହର ସେଠୀଙ୍କୁ ପଚାରିବାରେ କିଛି ଟଙ୍କା ଆଡଜଷ୍ଟ କରାଯାଇଛି ଓ ଆଉ ୩ଲକ୍ଷ ୪୪ହଜାର ଟଙ୍କା ଦେବାକୁ ବାକି ଅଛି ବୋଲି କହିଛନ୍ତି । ସେ ସରପଞ୍ଚ ତ ପଳାଇଲେ କିପରି ଏହି ଟଙ୍କା ଆଦାୟ ହେବ ସେ ପ୍ରଶ୍ନର ଉତ୍ତର ଦେଇପାରି ନାହାନ୍ତି । ସେହିପରି ଜିପିଓଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆମେ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଇଦେଲୁ କିନ୍ତୁ ସେମାନେ କିଛି ପଦକ୍ଷେପ ନେଲେନି, ଆମେ କଣ କରିପାରିବୁ ବୋଲି କହିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ