ଦୋକାନ ଉପରେ କୃଷି ବିଭାଗର ଲୋକ ଦେଖାଣିଆ ଚଢାଉ

ନାଉଗାଁ,(ୱାଇଏନ୍ଏସ୍): ନାଉଗାଁ ବ୍ଳକରେ ୬ଟି ସମବାୟ ସମିତି ଓ ୧୫ଟି ସରକାରୀ ଅଧିକୃତ ସାର ଦୋକାନରେ ସାର ସରକାରୀ ଧାର୍ଯ୍ୟ ମୂଲ୍ୟରେ ବିକ୍ରି କରିବା ପାଇଁ ନିୟମ ରହିଛି । କିନ୍ତୁ ଉକ୍ତ ବ୍ଳକରେ ୪୦ରୁ ଉର୍ଦ୍ଧ ଅଣପଂଜୀକୃତ ସାର ଦୋକାନୀ କଳା ବଜାରରେ ସାର ଚଢା ଦରରେ ବିକ୍ରି କରି ଚାଷୀମାନଙ୍କୁ ଶୋଷଣ କରୁଥିବା ଜଣାଯାଇଛି । ବର୍ତମାନ ୟୁରିଆ ସାରର ଚାହିଁଦା ଥିବା ବେଳେ ସାରର ଅଭାବ ଦେଖାଇ ଦୋକାନୀ ମାନେ ଲୁଚା ଛପାରେ ମୂଲ୍ୟ ବୃଦ୍ଧି କରି ବିକ୍ରି କରୁଛନ୍ତି । ଯାହାକୁ ବିରୋଧ କରି ଚାଷୀ ଓ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବାରମ୍ବାର ନାଉଗାଁ କୃଷି ସହ ଅଧିକାରୀ ଓ ଜିଲ୍ଲା କୃଷି ଉପ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହାର କୌଣସି ସୁଫଳ ନମିଳିବାରୁ ୭ ସେପ୍ଟେମ୍ବର ରେ ନବ ନିର୍ମାଣ କୃଷକ ସଙ୍ଗଠନର କିଛି ସଦସ୍ୟ ଓ ଚାଷୀମାନେ ମିଳିତ ଭାବେ କୃଷି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ କୃଷି କାର୍ଯ୍ୟାଳୟକୁ ଅଚଳ କରିଥିଲେ । ଘଟଣାସ୍ଥଳକୁ ଆତ୍ମା କମିଟିର ଅଧ୍ୟକ୍ଷ ବସନ୍ତ କୁମାର ପାଢୀ, ବ୍ଳକ ଅଧ୍ୟକ୍ଷ ଜଗନ୍ନାଥ ଦାସ,ବ୍ଳକ ସହ କୃଷି ଅଧିକାରୀ ନିର୍ମାଲ୍ୟ ନାୟକ ଆଦି ବିକ୍ଷୋଭକାରୀଙ୍କ ସହ ଆଲୋଚନା କରିବା ସହିତ ୨ଦିନ ମଧ୍ୟରେ ସାର କଳା ବଜାର ରୋକିବା ପାଇଁ ସାର ଦୋକାନ ଉପରେ ଚଢାଉ କରାଯିବା ସହିତ ସୁଲଭ ମୂଲ୍ୟରେ ସାର ଯୋଗାଇ ଦେବାକୁ ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । କିନ୍ତୁ ୯ ସେପ୍ଟେମ୍ବରରେ କୃଷି ବିଭାଗ ପକ୍ଷରୁ ଏକ ଟିମ ଗଠନ କରାଯାଇ ଲୋକ ଦେଖାଣିଆ କେତୋଟି ଦୋକାନ ଉପରେ ଚଢାଉ କରାଯାଇଥିଲା । କିନ୍ତୁ ଉକ୍ତ ଚଢାଉ ଉପରେ କୌଣସି ଫରକ ପଡି ନଥିଲା । ଚାଷୀ ପୁନର୍ବାର ଚଢା ଦରରେ ସାର କ୍ରୟ କରୁଥିବା ଦେଖିବାକୁ ମିଳିଥିଲା । ଯାହାକୁ ବିରୋଧ କରି ଶୁକ୍ରବାର ନବ ନିର୍ମାଣ କୃଷକ ସଙ୍ଗଠନର ଜିଲ୍ଲା ସହ ସଂଯୋଜକ ଅଶୋକ ସ୍ୱାଇଁ, ବ୍ଳକ ସଂଯୋଜକ କୈଳାସ ଚନ୍ଦ୍ର ପରିଡା,ବଂଶୀଧର ବେହେରା, ସଂଜୟ କୁମାର ବେହେରା, ପ୍ରଫୁଲ୍ଲ ପରିଡା ସହିତ ଅନେକ ଚାଷି କୃଷି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷାଭେ ପ୍ରଦର୍ଶନ କରିଥିଲେ । ଚାଷିମାନେ କାର୍ଯ୍ୟାଳୟରେ ପହଞ୍ଚିବା ବେଳକୁ ହାତ ଗଣତି କେତେକ ତଳିଆ କର୍ମଚାରୀଙ୍କୁ ଛାଡିଦେଲେ କାର୍ଯ୍ୟାଳୟକୁ କେହି ଅଧିକାରୀ ଆସିନଥିଲେ। ଚାଷି ମାନେ ଧାରଣା ଦେବାର କିଛି ସମୟ ପରେ ଗଜରାଜପୁରର ସହ କୃଷି ଅଧିକାରୀ ତୁଷାର ରଂଜନ ସ୍ୱାଇଁ କାର୍ଯ୍ୟାଳୟକୁ ଆସିଥିଲେ । କିନ୍ତୁ ବିଳମ୍ବରେ କାର୍ଯ୍ୟାଳୟକୁ ଆସିଥିବାରୁ ବିକ୍ଷୋଭକାରୀମାନେ କାର୍ଯ୍ୟାଳୟ ମଧ୍ୟଙ୍କୁ ସହ କୃଷି ଅଧିକାରୀଙ୍କୁ ଛାଡି ନଥିଲେ । ଘଟଣାସ୍ଥଳରେ ନାଉଗାଁ ପୋଲିସ ପହଞ୍ଚିଥିଲେ । କିଛି ସମୟ ପରେ ଉକ୍ତ କାର୍ଯ୍ୟାଳୟ ରାସ୍ତା ଦେଇ କୃଷି ବିଭାଗର ଯୁଗ୍ମ ନିର୍ଦ୍ଧେଶକ(ପିପି) ଯାଉଥିବା ବେଳେ ଜନଗହଳି ଦେଖି ସେଠାରେ ରହିଥିଲେ । କଳା ବଜାରରେ ବିକ୍ରିୟ କରୁଥିବା ବ୍ୟବସାୟୀଙ୍କ ଦୋକାନ ଚଢାଉ କରିବା ସମୟରେ ପୋଲିସକୁ ସାଙ୍ଗରେ ନେଇ ଚଢାଉ କରିବା ସହିତ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସହ-କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ ଉପସ୍ଥିତ ଚାଷୀମାନଙ୍କୁ ବୁଝା ଶୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ