ଦୋ ଛକିରେ ରାସ୍ତାକଡ଼ ଉଠା ପରିବା ବ୍ୟବସାୟୀ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଜୀବନର ଦୋ ଛକିରେ ସଂଘର୍ଷ କରୁଛନ୍ତି ହିଞ୍ଜିଳିକାଟୁର ଜନଗହଳି ପୂର୍ଣ ତାରାତାରିଣୀ ରାସ୍ତା କଡରେ ବିକ୍ରିବଟା କରୁଥିବା ଉଠା ପରିବା ବ୍ୟବସାୟୀ। ଦୀର୍ଘ ବର୍ଷ ଧରି ଏଭଳି ସମସ୍ୟା ସୃଷ୍ଟି ହୋଇଥିଲେ ମଧ୍ୟ ସେମାନଙ୍କ ସମସ୍ୟା ପ୍ରତି ଅଣଦେଖା କରାଯାଇଛି ବୋଲି ସେମାନେ କହିଛନ୍ତି। କିଛି ଗରିବ ଶ୍ରେଣୀର କୃଷକ ସେମାନଙ୍କ ସ୍ୱଳ୍ପ ଉତ୍ପାଦିତ ପନିପରିବାକୁ ରାସ୍ତା କଡରେ ବସି ବିକ୍ରିବଟା କରି ୨ ପଇସା ରୋଜଗାର କରୁଥିବା ବେଳେ କିଛି ଅଭାବୀ ବ୍ୟବସାୟୀ ଖୁଚୁରା ପନିପରିବା ବିକି ଗୁଜୁରାଣ ମେଣ୍ଟାଉ ଥିବା ଦେଖାଯାଉଛି।ସ୍ଥାନୀୟ ପୋୖରାଞ୍ଚଳ ପାଇଁ ଏହା ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଥିଲା ବେଳେ ନା ଅଛି ଏହାର ସ୍ଥାୟୀ ପ୍ରତିକାରର ବ୍ୟବସ୍ଥା।ପ୍ରଶାସନ ଠାରୁ ପୋଲିସ ଯାଏଁ ସମସ୍ତେ ଏଥିପ୍ରତି ସଚେତନ ଥିଲେ ମଧ୍ୟ ସମସ୍ୟାର ସମାଧାନ ପାଇଁ ବର୍ଷ ବର୍ଷ ବିତିଯାଇଛି।ବରଂ ଦିନକୁ ଦିନ ବଢି ଚାଲିଛି ସେମାନଙ୍କ ଅକଥନୀୟ ଦୁର୍ଦ୍ଦଶା।ଏହି ଦୁର୍ଦ୍ଦଶା ଉପରେ ଲଗାଣ ବର୍ଷା ଏବେ ସେମାନଙ୍କ ପାଇଁ ବେଡି ଉପରେ କୋରଡ଼ା ମାଡ ସଦୃଶ୍ୟ ହୋଇଛି।ବିଜୁ ପଟ୍ଟନାୟକ ଛକ ଠାରୁ ତାରାତାରିଣୀ ରାସ୍ତାର ଡାହାଣ ପାର୍ଶ୍ୱରେ ଦୀର୍ଘ ଦିନ ଧରି ଖୋଲା ମେଲାରେ ରହିଥିବା ପ୍ରସ୍ତାବିତ ମାର୍କେଟ କମ୍ପ୍ଲେକ୍ସର ଅସ୍ଥାୟୀ ଖନନ ଅଂଶ ଏବେ ସ୍ଥାୟୀ ପୋଖରୀ ପାଲଟିଛି।ପୂର୍ବରୁ ସମତୁଲ ଥିବା ଅଂଶରୁ ମାଟି ଖୋଳା ଯାଇ ମାର୍କେଟ କମ୍ପ୍ଲେକ୍ସର ନର୍ଥ ବ୍ଲକରେ ଅଦ୍ୟାବଧି କୌଣସି କାର୍ଯ୍ୟ ଆରମ୍ଭହୋଇ ନ ଥିଲା ବେଳେ ଦୀର୍ଘ ଦିନ ଧରି ସେଠାରେ ଏକ କୃତ୍ରିମ ପୋଖରୀ ସୃଷ୍ଟି କରାଯାଇଛି। ସେଠାରେ ନିକଟସ୍ଥ ନାଳ ନର୍ଦ୍ଦମାର ମଇଳା ପାଣି ଦୀର୍ଘ ଦିନ ଧରି ଜମି ରହୁଥିବା ବେଳେ ମଶା ଡାଆଁଶଙ୍କ ଉତ୍ପତ୍ତି ସ୍ଥଳ ପାଲଟିଛି।ଗତ ୩ ଦିନ ଧରି ଲଗାଣ ବର୍ଷା ଫଳରେ ଉକ୍ତ କୃତ୍ରିମ ପୋଖରୀଟି ଜଳପୂର୍ଣ ହୋଇଥିବା ଦେଖାଯାଇଛି।ପୋଖରୀ ପାର୍ଶ୍ୱରେ ବିକ୍ରିବଟା ହେଉଥିବା କିଛି ଅଂଶ ବାଉଁଶ ସହାୟତାରେ ଅସ୍ଥାୟୀ ଘେରା ବନ୍ଧା ଯାଇଥିବା ବେଳେ ବହୁ ସମୟରେ ଛୋଟ ବଡ ଦୂର୍ଘଟଣା ଘଟି ସଂପୃକ୍ତ ବାଡ ଘେର ମାଟିରେ ଲୋଟି ଯାଇଛି । ସୋମବାର ଲଗାଣ ବର୍ଷା ପ୍ରବଳ ପ୍ରକୋପ ଫଳରେ ନାଳରେ ବର୍ଷା ଜଳ ନିଷ୍କାସନ ହୋଇ ପାରିନଥିଲା। ଜୈନିକ ପରିବା ବ୍ୟବସାୟୀ ଅସାବଧାନତା ବଶତଃ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଖୋଳା ଯାଇଥିବା ସ୍ଥାନରେ ଖସି ପଡି ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଥିଲେ । ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମିତ ମୁକୁଳା ଡ୍ରେନ ଓ ପୈାର ପରିଷଦ ପକ୍ଷରୁ ନିୟମିତ ଭାବେ ସଫେଇ କରାଯାଉନଥିବାରୁ କର୍ଦ୍ଦମା ଜଳ ଓ ପଚାସଢା ଅଂଶ ଅଟକି ରଖି ବର୍ଷା ଜଳ ନିଷ୍କାସନ ହୋଇ ପାରୁନଥିବା ଜଣାପଡିଛି । ଏଭଳି ଏକ ସଙ୍କଟପୁର୍ଣ୍ଣ ସ୍ଥିତିରେ ବର୍ଷାରେ ଭିଜି ଭିଜି ଉଠା ପରିବା ବ୍ୟବସାୟୀ ଦୁର୍ବିସହ ଜୀବନ ବିତାଉଥିବା ବେଳେ ଏଥିପ୍ରତି କାହାରି ଦୃଷ୍ଟି ଆକର୍ଷଣ ହେଉନଥିବା ପରିତାପର ପ୍ରସଙ୍ଗରେ ପାଲଟିଛି। ପ୍ରତିକୂଳ ପରିସ୍ଥିତିରେ ଏଭଳି ବ୍ୟବସାୟ କରିବା ବ୍ୟତୀତ ଅନ୍ୟ କୈାଣସି ସମାଧାନ ପନ୍ଥା ବାହାର କରାଯାଉ ନାହିଁ। ଠିକାଦାର, ପୈାର ପ୍ରଶାସନ ଓ ନିର୍ବାଚିତ ଜନ ପ୍ରତିନିଧି ଓ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଦାୟିତ୍ଵରେ ଥିବା ପ୍ରତିନିଧିଙ୍କ ସମନ୍ବୟ ଓ ସହଯୋଗ ଅଭାବରୁ ଉଠା ପରିବା ବ୍ୟବସାୟୀଙ୍କ ପେଟ ପାଟଣାକୁ ଲାତ ମାରିବା ସଦୃଶ ହୋଇଛି । ପୈାରାଞ୍ଚଳରେ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କାର ଉନ୍ନୟନ ପ୍ରକଳ୍ପ ନିର୍ମାଣ ହେଉଥିବା ବେଳେ ସହରର ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ ଭାବେ ପରିଚିତ ବିଜୁପଟ୍ଟନାୟକ ଛକ ଠାରୁ ତାରାତାରିଣୀ ରାସ୍ତାର ଏଭଳି ସମସ୍ୟାକୁ ଜାଣିଶୁଣି ଏଡାଉ ଦିଆଯାଉଛି ବୋଲି ସହରରେ ବାଟେଘାଟେ ଚର୍ଚ୍ଚା ଜୋର ଧରିଛି। ଆଉ କେତେଜଣ ନିରୀହ ପ୍ରାଣୀଙ୍କ ଜୀବନ ହାନି ଘଟିଲେ ସମସ୍ତଙ୍କ ନିଦ ଭାଙ୍ଗିବ ତାହା ଏବେ ସହରର ପ୍ରମୁଖ ପ୍ରସଙ୍ଗ ପାଲଟିଛି ।