ଦୟା କରୁଣାର ଅବତାର ଥିଲେ ମହାତ୍ମା ଗାନ୍ଧୀ ୧୦ମ ଶହୀଦ ଦିବସ ଭଜନ ସନ୍ଧ୍ୟା

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ ମହତ୍ମା ଗାନ୍ଧୀ ସ୍ମାରକୀ ଐତିହ୍ୟ ନ୍ୟାସ ପକ୍ଷରୁ ଆୟୋଜିତ ୧୦ମ ଶହୀଦ ଦିବସ ଭଜନ ସନ୍ଧ୍ୟାକୁ ବୁଦ୍ଧମନ୍ଦିରଠାରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ବିମଳ ଦାସ କହିଲେ ଯେ, ମହାତ୍ମା ଗାନ୍ଧୀ ଭଗବାନ ତଥାଗତ ବୁଦ୍ଧଙ୍କ ଦୟା କରୁଣାର ଅବତାର ଥିଲେ । ଭାରତବର୍ଷରେ ଯେପର୍ଯ୍ୟନ୍ତ ହିମାଳୟ ରହିଥିବ ଓ ଗଙ୍ଗା ନଦୀର ଧାରା ପ୍ରବାହିତ ହେଉଥିବ ମହାତ୍ମା ଗାନ୍ଧୀ ଆମ ଭିତରେ ରହିଥିବେ । ଟ୍ରଷ୍ଟର ଆଜୀବନ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପୂର୍ବତନ କୁଳପତି ଡଃ ବିମଳେନ୍ଦୁ ମହାନ୍ତି କହିଲେ ଯେ, ଗାନ୍ଧୀ ବିଚାରଧାରାକୁ ଯୁବଛାତ୍ରମାନଙ୍କ ଭିତରେ ପ୍ରବେଶ କରାଇବା ପ୍ରତ୍ୟେକ ବୁଦ୍ଧିଜୀବିଙ୍କର କର୍ତ୍ତବ୍ୟ ହେବା ଉଚିତ । ବିଶିଷ୍ଟ ଅତିଥି ଶିକ୍ଷାବିତ ଡଃ ବଦ୍ରୀନାଥ ପଟ୍ଟନାୟକ କହିଲେ ଯେ, ଭାରତବର୍ଷର ଯୁବପିଢୀ ଯେତେବେଳେ ଗାନ୍ଧୀବାଦ ଠାରୁ ଦୂରେଇ ଯିବାକୁ ଚେଷ୍ଟା କରୁଛି, ସେତିକିବେଳେ ପାଶ୍ଚାତ୍ୟ ଜଗତ ଗାନ୍ଧୀ ଆଦର୍ଶକୁ ଆପଣେଇ ନେଉଛନ୍ତି । ଅନ୍ୟତମ ଅତିଥି ଉତ୍କଳ ବିଦ୍ୱତ ପରିଷଦର ଅଧ୍ୟକ୍ଷ ମନୋଜ ରଥ ଓ ମହାବୋଧି ସମିତିର ଟ୍ରଷ୍ଟି ଡଃ ସୌରେନ୍ଦ୍ର କୁମାର ମହାପାତ୍ର କହିଲେ ଯେ, ଗାନ୍ଧିଜୀଙ୍କ ସମ୍ପୂର୍ଣ୍ଣ ଜୀବନୀକୁ ଯଦି ଆଲୋଚନା କରାଯାଏ, ତେବେ ଭଗବାନ ବୁଦ୍ଧଙ୍କର ପ୍ରତ୍ୟକ୍ଷ ପ୍ରଭାବ ତାଙ୍କୁ ପ୍ରଭାବିତ କରିଛି । ଅନୁଷ୍ଠାନର ମ୍ୟାନେଜିଙ୍ଗ ଟ୍ରଷ୍ଟି ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର ସ୍ୱାଗତ ଭାଷଣ ଦେବା ସହ ଆଜିର ଦିବସର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ । ଶେଷରେ ଟ୍ରଷ୍ଟି ପ୍ରଜ୍ଞାରାଜ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଟ୍ରଷ୍ଟି ଦେବଜାନୀ ରାୟ, ଡଃ ମନୋଜ ଲେଙ୍କା, ଇଂ ବିବେକାନନ୍ଦ ପାତ୍ର, ପୂର୍ବତନ ବିଧାୟକ ଅଜୟ ଜେନା, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ ଗୋପାଳକୃଷ୍ଣ ମହାପାତ୍ର ଓ ବରୁଣ କୁମାର ବେହେରା, ରାଜକିଶୋର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ପ୍ରାୟୋଜିତ ବାବା ବୈକୁଣ୍ଠନାଥ ସାଂସ୍କୃତିକ ପରିଷଦର ସଙ୍ଗୀତ କଳାକାରମାନେ ଗୁରୁ ସୀତାଂଶୁ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗାନ୍ଧୀ ଭଜନ ପରିବେଷଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ