ଧଉଳିରେ ପଟଚିତ୍ର କର୍ମଶାଳା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) : ଓଡ଼ିଶୀ କଳାର ପରିଚିତି ପଟଚିତ୍ର । ପଟଚିତ୍ର ଆମ ପରମ୍ପରା ଓ ଜଗନ୍ନାଥ ସଂସ୍କୃତିର ନିଆରା ପ୍ରତିଫଳନ । ଏହି ପାରମ୍ପରିକ ଚିତ୍ରକଳାର ଏକ କର୍ମଶାଳା ଶାନ୍ତିସ୍ତୁପ ନିକଟସ୍ଥ ଧଉଳି ଚାରୁକଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ପାରମ୍ପରିକ ପଟଚିତ୍ରଶିଳ୍ପୀ ବିଜୟ କୁମାର ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୫ଦିନ ଧରି ଅନୁଷ୍ଠିତ ହୋଇଥିଲା ପଟଚିତ୍ର କର୍ମଶାଳା । ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ପୌରାଣିକ ବିଷୟବସ୍ତୁ ଆଧାରରେ ଶିଳ୍ପୀଙ୍କ ସହିତ ଚିତ୍ରାଙ୍କନ କରିଥିଲେ । ପ୍ରାରମ୍ଭରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲ ଅତିଥି ପରିଚୟ ପ୍ରଦାନ କରିବା ସହିତ ଶ୍ରୀ ପରିଡ଼ାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପରେ ପରେ ଶ୍ରୀ ପରିଡ଼ା ଛାତ୍ରଛାତ୍ରୀଙ୍କୁ ପଟଚିତ୍ରର ଇତହାସ ଏବଂ ଏହା କିପରି ଜଗନ୍ନାଥଙ୍କ ଚିତ୍ର ନୀତି ଠାରୁ ଆରମ୍ଭ ହୋଇଛି ତାହାର ଏକ ଚିତ୍ର ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ ଓ ଏହି ପାରମ୍ପରିକ ଚିତ୍ରର ଶୈଳୀ ବିଷୟରେ ଅବଗତ କରାଇଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟାପିକା ସସ୍ମିତା କାମିଳା, ମଧୁସ୍ମିତା ଦାସ ଓ ଅଧ୍ୟାପକ ମାନସ ରଞ୍ଜନ ନାୟକ, ରାମଶଙ୍କର ସାହୁ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।


