ଧନତେରସ୍ ପାଇଁ ଓଡ଼ିଶା ବଜାରରେ ୧୨ କ୍ୱିଣ୍ଟାଲ ସୁନା
ଭୁବନେଶ୍ୱର: ଧନତେରସ ଲାଗି ସୁନା ବଜାର ଚଳଚଞ୍ଚଳ ହୋଇଉଠିଛି । ରାଜ୍ୟକୁ ପାଖାପାଖି ୧୨ କ୍ୱିଣ୍ଟାଲ ସୁନା ବ୍ୟବସାୟୀମାନେ ଆଣିଥିବା କୁହାଯାଉଛି । ଗତବର୍ଷ ଧନତେରସ୍ ପାଇଁ ମଧ୍ୟ ସମାନ ପରିମାଣର ସୁନା ଆସିଥିଲା ଓ ସାରା ରାଜ୍ୟରେ ୧୪୦ କୋଟି ଟଙ୍କାରୁ ଅଧିକ କାରବାର ହୋଇଥିଲା । ଚଳିତବର୍ଷ ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ଗହଣା ଦୋକାନ ଗୁଡ଼ିକ ମନଲୋଭା ଅଫର ଘୋଷଣା କରିଥିବାବେଳେ ନୂଆ ନୂଆ ଡିଜାଇନର ଗହଣା ଆଣିଛନ୍ତି । ଅଧିକାଂଶ ବ୍ୟବସାୟୀ ସୁନା ଗହଣାର ଗଢ଼ା ମୂଲ୍ୟ ଉପରେ ରିହାତି ଏବଂ ହୀରା ଗହଣା ଉପରେ ରିହାତି ଘୋଷଣା କରିଛନ୍ତି । ଏ ସଂକ୍ରାନ୍ତରେ ରୀତା ଆଣ୍ଡ୍ ସନ୍ସର ମୁଖ୍ୟ ଅଶ୍ୱିନୀ ପାତ୍ର କୁହନ୍ତି, ଗ୍ରାହକମାନେ ଦୁଇ ତିନି ମାସ ହେଲା ସୁନା ନ କିଣି ଧନତେରସ୍ ଦିନକୁ ଅପେକ୍ଷା କରି ରହିଛନ୍ତି । ଏହାବ୍ୟତୀତ ଆଗାମୀ କିଛିଦିନ ପରେ ବାହାଘର ସିଜନ୍ ଆରମ୍ଭ ହେବାକୁ ଯାଉଛି । ତେଣୁ ମୂଲ୍ୟ ବୃଦ୍ଧି ପାଇବା ଆଶଙ୍କା ବି ରହିଛି । ଫଳରେ ଗ୍ରାହକମାନେ ଧନତେରସରେ ଅଧିକ ଗହଣା କିଣିବେ ବୋଲି ଆଶା ରହିଛି । ସେହିଭଳି ଶୁଭ୍ ଜୁଏଲର୍ସର ମ୍ୟାନେଜର ମନୋଜ ମେହଟ୍ଟା କୁହନ୍ତି, ଚଳିତବର୍ଷ ଧନତେରସରେ ବିକ୍ରି ବହୁତ ଭଲ ହେବ ବୋଲି ଆଶା ରହିଛି । ସ୍ୱାଭାବିକ ଦିନ ତୁଳନାରେ ଧନତେରସରେ ବିକ୍ରି ପ୍ରାୟ ୧୦ ଗୁଣ ଅଧିକ ରହିବା ନେଇ ସେ ଆଶା ରଖିଛନ୍ତି । ଭୁବନେଶ୍ୱରରେ ସୁନା ଦାମ ୧୦ ଗ୍ରାମ ପିଛା ୩୭୬୦୦ ଟଙ୍କା ପାଖାପାଖି ରହିଥିବାବେଳେ ରୁପା କେଜିପିଛା ଦାମ ୪୬୯୦୦ ଟଙ୍କା ପାଖାପାଖି ରହିଛି ।