ଧନୁସଂକ୍ରାନ୍ତି
ବିପିନ ବିହାରୀ ମହାନ୍ତି
ବର୍ଷକ ବାରମାସ । ରାଶି ଗଣନାକୁ ନେଇ ହିସାବକଲେ ମଧ୍ୟ ୧୨ମାସ । ସୂର୍ଯ୍ୟଙ୍କର ଅବାସ୍ତବ ଗତିକୁ ଧରି ମାସ ଗଣନାହିଁ ରାଶି । ରାଶିଗୁଡ଼ିକ ସାଧାରଣତଃ ଇଂରାଜିମାସ ତାରିଖ ଅନୁସାରେ ୧୩ ତାରିଖରୁ ୧୬ତାରିଖ ମଧ୍ୟରେ ଆରମ୍ଭ ହୋଇ ପରମାସ ସେହିସବୁ ତାରିଖ ମଧ୍ୟରେ ରହିଥାଆନ୍ତି । ସୂର୍ଯ୍ୟଙ୍କର ଏହିପରି ଗତିଜନିତ ସଂକ୍ରମଣକୁ ସଂକ୍ରାନ୍ତି କୁହନ୍ତି ।
ସଂକ୍ରାନ୍ତି କ୍ରମରେ ଧନୁ ସଂକ୍ରାନ୍ତି ଅନ୍ୟତମ । ଏହା ବିଛା ଓ ମକର ମଧ୍ୟବର୍ତ୍ତୀ ରାଶି । ସଂକ୍ରାନ୍ତି ଦୃଷ୍ଟିରୁ ଏହା ମଧ୍ୟ ଏକ ଗୁରୁତ୍ୱ ପୂର୍ଣ୍ଣରାଶି । ଏହା ଏକ କୃଷିଭିତ୍ତିକ ପର୍ବ ।
ମାର୍ଗଶୀର ମାସରେ ମା’ ଲକ୍ଷ୍ମୀଙ୍କ ପୂଜା । ପୂଜା ପରେ ଧନୁସଂକ୍ରାନ୍ତିର ଆରମ୍ଭ ହୋଇଥାଏ ପୌଷ ମାସରେ । ଏହି ଉପଲକ୍ଷେ ଘରର ଧନଦାତ୍ରୀ ଧନଲକ୍ଷ୍ମୀଙ୍କ ଠାରେ ଭୋଗରାଗ ଚଢ଼ାଯାଏ । ମାର୍ଗଶୀର ମାସକୁ ଧାନ ଅମଳ ହୋଇଥାଏ । ବାଡ଼ିରେ ପ୍ରଥମେ ଖଳାଗଦା ଆକାରରେ ଧାନ ଜମା ହୁଏ । ସେଇଠୁ ବେଙ୍ଗଳା ଓ ଅମଳ । ଏଇ ନୂଆ ଧାନକୁ ନେଇ ମାର୍ଗଶୀରରେ ମା’ ଲକ୍ଷ୍ମୀଙ୍କ ପୂଜା : ମାଣବସା ଗୁରୁବାର । ପିଠାପଣାରେ ମାସଯାକ ବିଶେଷକରି ଗୁରୁବାରରେ ମହକାଉଥାଏ ଘର ।
ମାର୍ଗଶୀର ଓ ପୌଷମାସରେ ଅମଳ ହୁଏ ଆଖୁ । ଆଖୁରୁ ଗୁଡ଼ । ନୂଆଧାନ ଭଜାରୁ ଖଇ । ଖଇ ଓ ଗୁଡ଼ରୁ ପ୍ରସ୍ତୁତ ହୁଏ ଉଖୁଡ଼ା । ତହିଁରୁ ମୁଆଁ; ପୁଷିମୂଆଁ ବା ଧନୁମୁଆଁ । ଏହି ଧନୁମୁଆଁ ଧନୁ ସଂକ୍ରାନ୍ତି ଦିନ ଠାକୁରମାନଙ୍କଠି ଭୋଗ କରାଯାଏ । ଶ୍ରୀ ଜଗନ୍ନାଥଙ୍କଠୁ ଆରମ୍ଭ କରି ପୁରପଲ୍ଲୀର ସବୁ ଠାକୁରଙ୍କ ପାଖରେ ମୁଆଁ ଭୋଗ । ସହର ବଜାରରେ ଏହିଦିନ ବିକାଳୀମାନେ ବୁଲିବୁଲି ବିକନ୍ତି ଧନୁମୁଆଁ । ନୂଆ ଧାନର ଖଇ, ନୂଆ ଗୁଡ଼ ଏବଂ ତହିଁକି ଜୁଆଣି ଇତ୍ୟାଦି ପଡ଼ି ପ୍ରସ୍ତୁତ ଏ ମୁଆଁର ସ୍ୱାଦସ୍ୱତନ୍ତ୍ର ।
ଧନୁସଂକ୍ରାନ୍ତି ପ୍ରବେଶ କରେ ସୂର୍ଯ୍ୟଙ୍କର ଦକ୍ଷିଣାୟନ ଗତିଥିବା ବେଳେ ଏବଂ ସରେ ଉତ୍ତରାୟଣ ଗତିର ଆରମ୍ଭ ବା ମକର ସଂକ୍ରାନ୍ତି ପ୍ରବେଶରେ । ଧନୁସଂକ୍ରାନ୍ତି ପ୍ରବେଶ ଦିନଠୁ ଶ୍ରୀ ଜଗନ୍ନାଥଙ୍କ ପହିଲିଭୋଗ ଆରମ୍ଭ ହୁଏ ଠିକ୍ ମକର ସଂକ୍ରାନ୍ତି ଯାଏଁ । ଏହି ମାସଟି ପରମ୍ପରା ଅନୁଯାୟୀ ସକଳ ହିନ୍ଦୁଦେବମନ୍ଦିରରେ ପୂଜାନୀତି ଚାଲେ ।
ଧନୁମାସ ଖାଲି ଧନଲକ୍ଷ୍ମୀ ଉଦ୍ଦେଶ୍ୟରେ ନୁହେଁ । ଏହା ମଧ୍ୟ ବିଷ୍ଣୁବ୍ରତ ପାଇଁ ଉପବାସର ବ୍ରତ କୁହାଯାଏ । ଯେଉଁମାନେ ବିଷ୍ଣୁବ୍ରତ ଧନୁ ସଂକ୍ରାନ୍ତି ଦିନ କରନ୍ତି, ତାଙ୍କର କେଉଁଠି ଅଶେଷ କଲ୍ୟାଣ ହୁଏ । ଏହି ତିଥିରେ ଅର୍ଥାତ୍ ଧନୁସଂକ୍ରାନ୍ତି ଦିନ ନଦୀ, ସମୁଦ୍ର ଅଥବା ଜଳାଶୟମାନଙ୍କରେ ସ୍ନାନକରି ଶୁଦ୍ଧପୂତ ଚିତରେ ସୂର୍ଯ୍ୟଦେବତାଙ୍କୁ ଜଳତର୍ପଣ ପୂର୍ବକ ଉପାସନା କଲେ ଅଶେଷ ପୂଣ୍ୟହୁଏ ।
ଧନୁମାସରେ ଆରମ୍ଭ ହୁଏ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଏହିଯାତ୍ରା ଉପଭୋଗ କରନ୍ତି ସ୍ୱ-ଉପସ୍ଥିତି ଅଥବା ଗଣମାଧ୍ୟମ ବିଶେଷକରି ଦୂରଦର୍ଶନରେ କୋଟିକୋଟି ଲୋକ । ଏଯାତ୍ରା ମଧ୍ୟ ଓଡ଼ିଶାର ଗର୍ବ । ଧନୁଯାତ୍ରାର ବହୁପୂର୍ବରୁ ପ୍ରସ୍ତୁତିପାଇଁ ବ୍ୟସ୍ତଥାଆନ୍ତି ସରକାର, କଳାକାର ଏବଂ ବରଗଡ଼ବାସୀ ଥାଆନ୍ତି ଚଳଚଞ୍ଚଳ ।
ଋତୁକୁ ନେଇ କୃଷିର ପର୍ବପର୍ବାଣୀ । ଶ୍ରୀ ଜଗନ୍ନାଥଭ୍କୁ ନେଇ ଓଡ଼ିଆ ପରମ୍ପରା; ତାଙ୍କୁ ନେଇ ଭୋଗ, ଭୋଗ୍ୟ ଏବଂ ଉପଭୋଗ । ଏ ସବୁର ବି ମାନେ ଅଛି । ସବୁ ସ୍ୱାସ୍ଥ୍ୟ କୈନ୍ଦ୍ରିକ; ବିଜ୍ଞାନ ସମ୍ମତ ଯାହାକି ପ୍ରକୃତି ଆମପାଇଁ ଧର୍ମ ନାଁରେ ଆଗରୁ ସଜାଡ଼ି ରଖିଛି । ଉପାସ, ବ୍ରତ, ଗୁଡ଼ ଭକ୍ଷଣ, ପ୍ରାତଃସ୍ନାନ ଏବଂ ମୁଆଁ ଇତ୍ୟାଦିରେ ଜୁଆଣି ଇତ୍ୟାଦି ହଜମକାରୀ ଖାଦ୍ୟ ପ୍ରୟୋଗ ସବୁ ସ୍ୱାସ୍ଥ୍ୟ ପ୍ରଦାୟକ । ସହଜେ କ୍ଲାନ୍ତ ଜୀବନକୁ ଟିକିଏ ଭୁଲିଯିବା ପାଇଁ ‘ଧନୁଯାତ୍ରା’ ମଧ୍ୟ ଏକ ମନୋରଂଜନର ମାଧ୍ୟମ । ଏହି କାରଣକୁ ଧନୁକୁ ଥାଏ ଅପେକ୍ଷା ।
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ
ବିକାଶ ନଗର, ଜଟଣୀ, ଖୋର୍ଦ୍ଧା-୭୫୨୦୫୦
ମୋ : ୯୯୩୮୩୪୪୧୩୮


