ବିଡିଓଙ୍କୁ ଆକ୍ରମଣ ଉଦ୍ୟମ ,ଜିଲ୍ଲା ପ୍ରଶାସନିକ ସେବା ସଂଘର ଦୃଢ ନିନ୍ଦା
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ୍) : ଧରାକୋଟ ବ୍ଲକ ବିଡିଓ ଅଜୟ କୁମାର ପ୍ରଧାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବାସହ ଜୀବନରେ ମାରିଦେବା ପାଇଁ ଧମକ ଚମକ ଦେବା ଏବଂ ଆକ୍ରମଣ କରିବାକୁ ଉଦ୍ୟମ କରାଯାଇଥିବା ଘଟଣାକୁ ଗଞ୍ଜାମ ଜିଲ୍ଲା ଓଡିଶା ପ୍ରଶାସନିକ ସେବା(ଓଏସ୍) ସଂଘ ଦୃଢ ନିନ୍ଦା ପ୍ରକାଶ କରିଛି । ଉକ୍ତ ଘଟଣାରେ ସଂପୃକ୍ତ ବାକି ଦୋଷୀଙ୍କୁ ତୁରନ୍ତ ଗିରଫ କରାଯିବା ପାଇଁ ଓଏସ୍ ସଂଘ ପକ୍ଷରୁ ଦାବି ହୋଇଛି । ଗତ ୨୪ ତାରିଖରେ ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଶାସନ ଗ୍ରାମର ରଙ୍କି ପୋଖରୀ ପୁନରୁଦ୍ଧାର କାର୍ଯ୍ୟକୁ ନେଇ ଗ୍ରାମର ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏଥିରେ ଗୋଟିଏ ଗୋଷ୍ଠୀର କିଛି ବ୍ୟକ୍ତି ଧରାକୋଟ ବିଡିଓ ଶ୍ରୀ ପ୍ରଧାନଙ୍କୁ ବ୍ଲକ ପରିସର ଏବଂ ବିଡିଓଙ୍କ ବାସଭବନ ଠାରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିଲେ । ଏନେଇ ଧରାକୋଟ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଘଟଣାରେ ସଂପୃକ୍ତି ଥିବା ୨ ଜଣ ଦୋଷୀଙ୍କୁ ପୁଲିସ ଗିରଫ କରିଥିବା ବେଳେ ବାକି ଦୋଷୀଙ୍କୁ ପୁଲିସ ଗିରଫ କରିନାହିଁ । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଓଏସ୍ ସଂଘ ପକ୍ଷରୁ ଛତ୍ରପୁର ସ୍ଥିତ ସର୍କିଟ ଗୃହ ଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ସଂଘର ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ବୈଠକରେ ସଂଘ ପକ୍ଷରୁ ଘଟଣାକୁ ତୀବ୍ର ନିନ୍ଦା ପ୍ରକାଶ କରିବା ସହ ବାକି ଦୋଷୀଙ୍କୁ ତୁରନ୍ତ ପୁଲିସ ଗିରଫ କରିବା ପାଇଁ ଦାବି କରିଥିଲେ । ଏଥିସହ ଧରାକୋଟ ବିଡିଓଙ୍କ ଜୀବନ ପ୍ରତି ବିପଦ ରହିଥିବା ଯୋଗୁଁ ବ୍ଲକ କାର୍ଯ୍ୟାଳୟ ଓ ବାସଭବନ ଠାରେ ପୁଲିସ ସୁରକ୍ଷା ପ୍ରଦାନ କରିବା ପାଇଁ ସଂଘ ଦାବି କରିଛି । ଏହି ବୈଠକରେ ଗଞ୍ଜାମ ଜିଲ୍ଲା ଓଏସ୍ ସଂଘର ସାଧାରଣ ସଂପାଦକ ତଥା ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ କୁମାର ରାଉତ, ଡୁଡା ପିଡି ସବ୍ୟସାଚି ହୋତା, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ୍, ଜିଲ୍ଲା ନିର୍ବାଚନ ଅଧିକାରୀ ଡ.ବିଜୟାନନ୍ଦ ସେଠୀ, ଜିଲ୍ଲା ରାଜସ୍ୱ ଅଧିକାରୀ ଡ.ଦିବ୍ୟଲୋଚନ ମହନ୍ତ, ଛତ୍ରପୁର ଆସିଷ୍ଟାଣ୍ଡ ସବକଲେକ୍ଟର ସଚ୍ଚିଦାନନ୍ଦ ନାୟକ, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇଙ୍କ ସମେତ ସଂଘର ବହୁ ସଦସ୍ୟମାନେ ଉପସ୍ଥିତ ଥିଲେ ।


