ଆର୍ଥିକ ସଂକଟରେ ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃ
ଆସିକା (ୱାଇଏନ୍ଏସ୍) : ସମବାୟ ନଗରୀ ରୂପେ ସମଗ୍ର ରାଜ୍ୟ ଓ ରାଜ୍ୟ ବାହାରେ ଅତୀତରେ ସୁଖ୍ୟାତି ଅର୍ଜନ କରିଆସିଥିବା ଆସିକା ଅଞ୍ଚଳର ବହୁ ସମବାୟ ଅନୁଷ୍ଠାନ ନାନା କାରଣରୁ କାଳର କରାଳ ଗର୍ଭରେ ଜନମାନସରୁ ଲିଭିଯାଇଥିଲା ବେଳେ ଯେଉଁ କେତୋଟି ବଞ୍ଚି ରହିଛି ସେଥି ମଧ୍ୟରୁ ୧୯୫୬ ମସିହାରେ ସ୍ଥାପିତ ହୋଇଥିବା ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃ ଅନ୍ୟତମ । କୃଷିର ବିକାଶ ଓ କୃଷକର ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ କରିବା ଲାଗି ବର୍ଷ ବର୍ଷ ଧରି ଅହରହ ପ୍ରୟାସ ଜାରି ରଖିଥିବା ଏହି ପୁରାତନ ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃ ବିଗତ କିଛି ବର୍ଷ ହେଲା ଆର୍ଥିକ ସଂକଟରେ ଜର୍ଜରିତ ହୋଇ ଗତି କରୁଥିଲା ବେଳେ ବ୍ରହ୍ମପୁର ମହାନଗର ନିଗମ (ବିଏମ୍ସି) ବାକି ଥିବା ଦୀର୍ଘ ପ୍ରାୟ ୫୨ ମାସର ଭଡା କେବେ ଦେବ ତାହାକୁ ନେଇ ଅନିଶ୍ଚିତତା ଲାଗି ରହିଥିବା ସମବାୟପ୍ରେମୀ ମହଲରେ ଆଲୋଚିତ ହେଉଛି । ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃ (ଏସିଏମ୍ସିଏସ୍)ର ବ୍ରହ୍ମପୁର କର୍ପୋରେସନ୍ ରୋଡରେ ଥିବା ୧.୧୩୬ ଏକର ଜମିକୁ ଭଡା ସୂତ୍ରରେ ବ୍ରହ୍ମପୁର ମହାନଗର ନିଗମ (ବିଏମ୍ସି)କୁ ଚୁକ୍ତି ଅନୁଯାୟୀ ପ୍ରଦାନ କରାଯାଇଥିଲା । ବ୍ରହ୍ମପୁର ମହାନଗର ନିଗମ ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃର ମୂଲ୍ୟବାନ ଜମିକୁ ମାର୍କେଟ କମ୍ପେ୍ଳକ୍ସ କରିବାକୁ ଭଡା ସୂତ୍ରରେ ନେଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ବ୍ରହ୍ମପୁର କର୍ପୋରେସନ୍ ରୋଡରେ ଥିବା ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃର ମୂଲ୍ୟବାନ ଜମିରେ ବିଏମ୍ସି କୌଣସି କାମ ଆରମ୍ଭ କରିନଥିବା ଚର୍ଚ୍ଚା ହେଉଛି । ଏପରିକି ସେଠାରେ ପ୍ରାୟ ୫୫ ଜଣ ବ୍ୟବସାୟୀଙ୍କୁ ଥଇଥାନ କରି ସେମାନଙ୍କ ଠାରୁ ସିକ୍ୟୁରିଟି ଜମା ସଂଗ୍ରହ କରି ମାସିକ ଭଡା ସୂତ୍ରରେ ଦେଇଥିବା ଜଣାପଡିଛି । ଯାହାରି ଫଳରେ ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃ ଲକ୍ଷ ଲକ୍ଷ ଟଙ୍କା ହରାଇବାରେ ଲାଗିଛି । ଅନ୍ୟପଟେ ବିଏମ୍ସି ଚୁକ୍ତି ମୁତାବକ ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃକୁ ସିକ୍ୟୁରିଟି ଜମା ଦେବା ତ ଦୂରର କଥା ମାସିକ ଭଡା ଦେଉନଥିବା ଚର୍ଚ୍ଚା ହେଉଛି । ବକେୟା ସିକ୍ୟୁରିଟି ଜମା ଏବଂ ଭଡା ଦେବାକୁ ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃ ବହୁବାର ଜିଲ୍ଲା ଓ ରାଜ୍ୟ ପ୍ରଶାସନ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁପାରୁ ନାହିଁ । ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃ ବ୍ରହ୍ମପୁର କର୍ପୋରେସନ୍ ରୋଡରେ ୧.୧୩୬ ଏକର ଜମି ଥିଲା ବେଳେ ବିଏମ୍ସି ଏହି ଜମିକୁ ଭଡା ସୂତ୍ରରେ ନେଇ ବହୁତଳ ମାର୍କେଟ କମ୍ପେ୍ଳକ୍ସ କରିବାକୁ ପରିକଳ୍ପନା କରିଥିଲା । ଗତ ୨୦୨୧ ମସିହା ନଭେମ୍ବର ମାସ ୧୦ ତାରିଖରେ ଏହି ଜମିକୁ ୯୯ ବର୍ଷ ପାଇଁ ଲିଜ୍ ସୂତ୍ରରେ ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃ ଠାରୁ ଚୁକ୍ତିନାମା କରି ବିଏମ୍ସି ନେଇଥିଲା । ଏଥିପାଇଁ ୨୫ ଲକ୍ଷ ଟଙ୍କା ସିକ୍ୟୁରିଟି ଜମା ସହିତ ମାସିକ ୧ ଲକ୍ଷ ୫୦ ହଜାର ଟଙ୍କା ଭଡା ଦେବା ସାଙ୍ଗକୁ ପ୍ରତି ୩ ବର୍ଷରେ ଥରେ ଭଡା ୫ ପ୍ରତିିଶତ ବୃଦ୍ଧି ନିମନ୍ତେ ଚୁକ୍ତି କରାଯାଇଥିଲା । ଏପରିକି ସେହି ଜାଗାରେ ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃର ଏକ ଅଫିସ୍ କରିବାକୁ ଯୋଜନା ମଧ୍ୟ ରହିଥିଲା । ତେବେ ବିଏମ୍ସି ଉକ୍ତ ଜମିକୁ ଚୁକ୍ତି ଅନୁଯାୟୀ ଭଡାରେ ନେବା ପରେ ସେଠାରେ ଆଉ କୌଣସି ଦୀର୍ଘ ଦିନ ହେଲା ମାର୍କେଟ୍ କମ୍ପେ୍ଳକ୍ସ ପାଇଁ କାମ ଆରମ୍ଭ ହୋଇନାହିଁ । କେବେ ଭୂତଳ ମାର୍କେଟ କମ୍ପେ୍ଳକ୍ସ ହେବ ଏବଂ ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃ ତାହାର ଲାଭ ପାଇବ ତାହାକୁ ନେଇ ଅନିଶ୍ଚିତତା ଜାରି ରହିଛି । ଦୀର୍ଘ ପ୍ରାୟ ୫୨ ମାସ ଧରି ବିଏମ୍ସି ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃକୁ ଚୁକ୍ତିନାମା ଅନୁଯାୟୀ ବକେୟା ଅର୍ଥ ପ୍ରଦାନ କରୁନଥିବା ଯୋଗୁଁ ଏହି ପୁରାତନ ସମବାୟ ଅନୁଷ୍ଠାନ ନାନା ଆର୍ଥିକ ସଂକଟ ଦେଇ ଗତି କରିବା ସାଙ୍ଗକୁ କାର୍ଯ୍ୟରତ କର୍ମଚାରୀମାନେ ନିୟମିତ ପ୍ରତ୍ୟେକ ମାସରେ ଦରମା ପାଇବା ତ ଦୂରର କଥା ସଂସ୍ଥାର କୌଣସି ପ୍ରକାର ବିକାଶମୂଳକ କାର୍ଯ୍ୟ ମଧ୍ୟ ହୋଇପାରୁ ନଥିବା ସମବାୟପ୍ରେମୀ ମହଲରେ ମତ ପ୍ରକାଶ ପାଉଛି । ଏ ସଂପର୍କରେ ବ୍ରହ୍ମପୁର ଡିଆର୍ସିଏସ୍ ଯୋଗମାୟା ସାବତଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ବକେୟା ଟଙ୍କା ପୈଠ କରିବା ଲାଗି ବିଏମ୍ସିର ଦୃଷ୍ଟି ଆକର୍ଷଣ କରାଯାଇସାରିଛି । ସେହିପରି ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃର ସଂପାଦକ ନୃସିଂହ ପ୍ରସାଦ ପଣ୍ଡା ପ୍ରକାଶ କରିକହିଛନ୍ତି ଯେ ବ୍ରହ୍ମପୁର ମହାନଗର ନିଗମ (ବିଏମ୍ସି) ବାକି ଥିବା ଅର୍ଥକୁ ଆଦାୟ କରିବା ଲାଗି ନିଶ୍ଚିତ ଭାବେ ଆଇନର ଆଶ୍ରୟ ନିଆଯିବ । ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃ କୁ ବିଏମ୍ସି ଗତ ମାର୍ଚ୍ଚ ମାସ ୧୦ ତାରିଖ ସୁଦ୍ଧା ଭଡା ବାବଦକୁ ୭୮ ଲକ୍ଷ ଚଙ୍କା ଏବଂ ସିକ୍ୟୁରିିଟି ଜମା ବାବଦକୁ ୨୫ ଲକ୍ଷ ଟଙ୍କା ବାକି ଥିବା ଜଣାପଡିଛି । ରାଜ୍ୟ ସରକାର ତଥା ସମବାୟ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃର ଅତୀତ ଗୌରବକୁ ଉଜ୍ଜିବୀତ କରି ରଖିବା ପାଇଁ ବିଏମ୍ସି ବାକି ଥିବା ପ୍ରାୟ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ତୁରନ୍ତ ଆଦାୟ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।


