ଧାନକ୍ରୟ ଉପକେନ୍ଦ୍ର ଖୋଲିବା ଦାବୀରେ ଆମରଣ ଅନଶନ
ବନ୍ତ,(ଚାନ୍ଦିନୀ ମହାନ୍ତି) : ସୋମବାର ବନ୍ତ ବ୍ଲକ ବସନ୍ତିଆ ସେବା ସମବାୟ ସମିତି ଅଧିନ ରାମଚନ୍ଦ୍ରପୁର ପଞ୍ଚାୟତ ସମ୍ମୁଖରେ ଚାଷୀ ମାନେ ଧାନ ଉପକେନ୍ଦ୍ର ଖୋଲିବା ଦାବୀରେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାନବସ୍ତା ରଖି ଆମରଣ ଅନଶନ କରିଥିବା ଜଣାଯାଇଛି । ରାମଚନ୍ଦ୍ରପୁର ପଞ୍ଚାୟତ କୃଷକ ସମନ୍ୱୟ ସମିତିର ଆବାହକ ଜୟନ୍ତ ଜେନାଙ୍କ ନେତୃତ୍ୱରେ ଚାଷୀ ବୃନ୍ଦାବନ ଜେନା, ବିଦ୍ୟାଧର ଜେନା, ଯୁଧିଷ୍ଠିର ଜେନା ଅନଶନରେ ବସିଛନ୍ତି । ଏହାକୁ ସମର୍ଥନ କରି ଚାଷୀ ଆକବର ଅଲ୍ଲୀ, ଜଗନ୍ନାଥ ପ୍ରଧାନ, ପ୍ରମୋଦ ମାଝୀ, ପ୍ରତାପ ବିଶ୍ୱାଳ, ଶରତ ଜେନା, ପ୍ରହଲ୍ଲାଦ ସାହୁ, ମାର୍କଣ୍ଡ ବାରିକ, ଭଜହରି ବେହେରା, ଅକ୍ଷୟ ଜେନା, ରମେଶ ଜେନାଙ୍କ ସମେତ ବହୁ ଚାଷୀ ଅନଶନ ସ୍ଥଳରେ ଉପସ୍ଥିତ ଅଛନ୍ତି । ପ୍ରକାଶ ଯେ, ବସନ୍ତିଆ ସେବା ସମବାୟ ସମିତି ଅଧିନରେ ବସନ୍ତିଆ, ରାମଚନ୍ଦ୍ରପୁର ଓ ଆଡିଆ ପଞ୍ଚାୟତର ଚାଷୀ ଅନ୍ତର୍ଭୁକ୍ତ ଅଟନ୍ତି । ରାମଚନ୍ଦ୍ରପୁର ଓ ଆଡିଆ ପଞ୍ଚାୟତର ଚାଷୀ ମାନେ ଦୀର୍ଘ ୧୨ କିମି ଦୂର ବସନ୍ତିଆ ସମିତିକୁ ଧାନ ବିକ୍ରି କରିବା ପାଇଁ ଅସୁବିଧାର ସମ୍ମୁଖୀନ ହୋଇଆସୁଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ଗତ ୨୦୦୨ ମସିହା ଠାରୁ ଚାଷୀ ମାନେ ବହୁବାର ଆନ୍ଦୋଳନ କରିବା ପରେ ରାମଚନ୍ଦ୍ରପୁର ପଞ୍ଚାୟତରେ ଧାନକ୍ରୟ ଉପକେନ୍ଦ୍ର ଖୋଲାଯାଇଥିଲା । ଫଳରେ ଚାଷୀ ମାନେ ସୁବିଧାରେ ଧାନ ବିକ୍ରୟ କରିପାରୁଥିଲେ । ମାତ୍ର ଚଳିତ ବର୍ଷ ଉକ୍ତ ପଞ୍ଚାୟତରେ ଧାନକ୍ରୟ ଉପକେନ୍ଦ୍ର ଖୋଲା ଯାଇନଥିବାରୁ ଚାଷୀ ମାନେ ପୂର୍ବଭଳି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଧାନ କ୍ରୟ ଉପକେନ୍ଦ୍ର ଖୋଲିବା ଦାବୀରେ ଗତ ଜାନୁଆରୀ ୧୮ ତାରିଖରେ ଚାଷୀ ମାନେ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଧାନବସ୍ତା ପକାଇ ଗଣ ଧାରଣାରେ ବସିଥିଲେ । ମାତ୍ର ପ୍ରଶାସନ ପକ୍ଷରୁ କୌଣସି ସମାଧାନ କରାଗଲା ନାହିଁ । ଫଳରେ ଧାନ କ୍ରୟ ଉପକେନ୍ଦ୍ର ପୁନଃ କାର୍ଯ୍ୟକ୍ଷମ କରିବା ଦାବୀରେ ଚାଷୀ ମାନେ ଆଜି ଠାରୁ ଆମରଣ ଅନଶନରେ ବସିଥିବା ଜଣାଯାଇଛି ।


