ଧାନ ଗଛରେ ବୋଡା ଉପଦ୍ରବ; ଚିନ୍ତାରେ ଚାଷୀ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): କରୋନା ମହାମାରୀ ଭଳି ଏକ ବିକଟ ପରିସ୍ଥିତି ସୃଷ୍ଟି ହେବା ଯୋଗୁ ଦେଶର ଆର୍ଥିକ ମାନଦଣ୍ଡ ପ୍ରାୟତଃ ଦୋହଲି ଯାଇଛି । ବିଭିନ୍ନ କ୍ଷେତ୍ରରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିବାବେଳେ ଲୋକେ ମଧ୍ୟ କର୍ମ ନିୟୋଜନ ହରାଇଛନ୍ତି । ଏପରିସ୍ଥଳେ କୃଷି କ୍ଷେତ ହିଁ ଆର୍ଥିକ ମାନ୍ଦା ଅବସ୍ଥାକୁ ସଜାଡିବାରେ ସହାୟକ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି । ହେଲେ ବର୍ତ୍ତମାନ ସମୟରେ ଚଳିତ ଖରିଫ ଧାନଚାଷକୁ ଅମଳ ପାଇଁ କିଛିଦିନ ବାକିଥିବାବେଳେ ସେଥିରେ ଏବେ ପୋକ ଉପଦ୍ରବ ଦେଖାଦେଇଛି । ଏହିପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ଚାଷ ହୋଇଥିବା ପ୍ରାୟ ୧୭ହଜାର ହେକ୍ଟର ଧାନଚାଷ ଏବେ ବିପଦରେ । ଯଦିଓ ଚଳିତବର୍ଷ ବନ୍ୟା ଯୋଗୁ ବ୍ଲକର ଷୋଳମପୁର, ମାଳଦା, ରହଣିଆ, ରଣଜିତ, ବାଲିପୋଖରୀ, ନପଙ୍ଗ ପ୍ରମୁଖ ଚାଷଜମି କ୍ଷତିଗ୍ରସ୍ଥ ହୋଇଛି । ବାକି ପଞ୍ଚାୟତର କୃଷି କ୍ଷେତ୍ର ଏବେ ପୋକଦାଉରେ ପଡିଛି । ବର୍ତ୍ତମାନ କେତେକ ଚାଷଜମିରେ ସହଳ କିଶମ ସ୍ୱର୍ଣ୍ଣ ଧାନ ବାହାରୁଥିବାବେଳେ ଅନ୍ୟ କେତେକ ଜମିରେ ବିଭିନ୍ନ କିଶମର ଧାନ ବାହାରିବାକୁ ପ୍ରସ୍ତୁତ ହେଉଛି । ଠିକ ଏହି ସମୟରେ ବୋଡା ଓ ମାଟିଆ ଗୁଣ୍ଡି ଭଳି ପୋକ ଚାଷଜମି ଗୁଡିକରେ ଦେଖାଦେଇଥିବାରୁ କୃଷକ ମାନେ ଚିନ୍ତାରେ ପଡିଯାଇଛନ୍ତି । ଉକ୍ତ ପୋକକୁ ଦମନ ପାଇଁ ଯଦିଓ କୃଷି ବିଭାଗ ପକ୍ଷରୁ ରିହାତି ମୂଲ୍ୟରେ ଚାଷୀମାନଙ୍କୁ କୀଟନାଶକ ଯୋଗାଯାଇଛି କିନ୍ତୁ ତାହା ପର୍ଯ୍ୟାପ୍ତ ନୁହେଁ ବୋଲି ଜଣାପଡିଛି । ଏପରିକି କେତେକ କ୍ଷେତ୍ରରେ ଯୋଗାଯାଇଥିବା କୀଟନାଶକ ପ୍ରୟୋଗ କଲେ ମଧ୍ୟ ଧାନଗଛ ଗୁଡିକ ପୋକ ଉପଦ୍ରବରୁ ମୁକୁଳି ପାରିନାହାଁନ୍ତି । ତେଣୁ ଚାଷୀଭାଈ ମାନେ ଖୋଲା ବଜାରରୁ ବିଷ କ୍ରୟ କରି କୃଷି କ୍ଷେତ୍ରରେ ପ୍ରୟୋଗ କରୁଥିବା ଦେଖିବାକୁ ମିଳିଛି । ବ୍ଲକର ସରସଦା, କୁରିଗାଁ, ରହଣିଆ, ରାଜେନ୍ଦ୍ରପୁର, ତେସିଙ୍ଗା, ରାମଚନ୍ଦ୍ରପୁର, ଦକ୍ଷିଣବାଡ ପ୍ରମୁଖ ପଞ୍ଚାୟତ ଗୁଡିକରେ ଏବେ ବୋଡା ଓ ଗୁଣ୍ଡିପୋକ ଦେଖାଦେଉଥିବା ଅଭିଯୋଗ ହେଉଛି । ଏହାଛଡା ଅନ୍ୟାନ୍ୟ ପଞ୍ଚାୟତ ଅଞ୍ଚଳରେ ମଧ୍ୟ ପୋକ ଉପଦ୍ରବ ଜାରି ରହିଛି । ଏନେଇ ସହକାରୀ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରାଯିବାରୁ ସେ ଏକଥାକୁ ସ୍ୱୀକାର କରି ବିଭାଗ ପକ୍ଷରୁ ଚାଷୀମାନଙ୍କୁ କୀଟନାଶକ ଯୋଗାଯାଇଥିବା କହିଥିଲେ । ତାହାଛଡା ପ୍ରତ୍ୟକ ଦିନ କୃଷି କ୍ଷେତ୍ରକୁ ୪୦ଜଣ କୃଷକସାଥିଙ୍କ ସମେତ ଗ୍ରାମ୍ୟ କୃଷି କର୍ମଚାରୀମାନେ ଗସ୍ତ କରି ଧାନଗଛର ସ୍ଥିତି ଅନୁଧ୍ୟାନ କରୁଥିବା କଥା ଜଣାଇଛନ୍ତି । ଏନେଇ ଦୈନନ୍ଦିନ କୃଷି ସମସ୍ୟା ଉପରେ କ୍ଷେତ୍ର ପରିଦର୍ଶନ ହେଉଥିବାବେଳେ ପୋକ ଉପଦ୍ରବ ଅଞ୍ଚଳ ଉପରେ ନଜର ରହୁଥିବା ସହକାରୀ ଅଧିକାରୀ ସୂଚନା ଦେଇଛନ୍ତି ।