ଧାନ ତଳିରେ ପଟୁ ପାଣି,ଚିନ୍ତାରେ ଚାଷୀ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ବୈତରଣୀ ନଦୀରେ ଗତ ସପ୍ତାହ ଭିତରେ ଦୁଇ ଦୁଇ ଥର ବନ୍ୟା ଆସିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।ଵିଶେଷ କରି ବନ୍ୟା କାରଣରୁ ଚାଷୀ ଭାଇମାନେ ଅଧିକ ମାତ୍ରାରେ କ୍ଷତି ଗ୍ରସ୍ତ ହୋଇଛନ୍ତି। ବୈତରଣୀ ତଟବର୍ତ୍ତି ଭାବେ ପରିଚିତ ଝୁଟଣା ଓ ଵନ୍ଦାଳୋ-ମଢିଆଳୀ ପଂଚାୟତ ଅଂଚଳରେ ଦୁଇ ଦୁଇ ଥର ବନ୍ୟା ଜଳ ଚାଷ ଜମି ଗୁଡିକରେ ମାଡି ଯିବା କାରଣରୁ ଅନେକ କୃଷି କ୍ଷେତ୍ର ପ୍ରଭାବିତ ହୋଇଛି। ଏହା ଛଡା ଚର୍ଚ୍ଚିତ କଣ୍ଟି ଏସକେପ ଦେଇ ନିଷ୍କାସନ ହୋଇଥିବା ବନ୍ୟା ପାଣି ଯୋଗୁଁ ଵ୍ଲକର ଷୋଳମପୁର, ରହଣିଆ, ମାଳଦା ଓ ନପଙ୍ଗ ପଂଚାୟତ ଅଧିନ ଅନେକ ଗାଁ ର ଚାଷୀ ଭାଇମାନେ ଘୋର କ୍ଷତି ସହିଛନ୍ତି।ବନ୍ୟା ଯୋଗୁଁ ଚାଷ ଜମିରେ ପଟୁ ପାଣି ମାଡି ଯିବା ଯୋଗୁଁ ଖରିଫ ଧାନ ଚାଷ ପାଇଁ ପ୍ରସ୍ତୁତ ହୋଇଥିବା ତଳି ଅନେକ ସ୍ଥାନରେ ନଷ୍ଟ ହୋଇଛି।ଏସକେପ ପାଣି ଯୋଗୁଁ ଵରାହନୂଆପଡା, ଵାହାଣିଆ, ଖପୁରିଆପଦା,ଜଳହରି,ସାରଣା,ଵିରୋଳି, ନୌରଙ୍ଗପୁର,ମାଳଦା,ନପଗ,ରାଢୋ ପ୍ରମୁଖ ଗାଁର ନାମ ମାତ୍ର, କ୍ଷୁଦ୍ର ଓ ଭାଗ ଚାଷୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପଟୁ ପାଣିରେ ଧାନ ତଳି ନଷ୍ଟ ହୋଇଥିବା ଵେଳେ ସଦ୍ୟ ରୁଆ ହୋଇଥିବା କ୍ଷେତ ମଧ ଉଜୁଡି ଯାଇଛି।ଏଵେ କେତେକ ମାତ୍ରାରେ ତଳିକୁ ବଞ୍ଚାଇବା ପାଇଁ ଚାଷୀ ମାନେ ପାଣି ମାରି କ୍ଷେତରେ ପଟୁ ଛଡାଉଥିଵା ଦେଖାଯାଉଛି। ଖାଲି ଯେ ଧାନ ତଳି ନଷ୍ଟ ହୋଇଛି ତାହା ନୁହେଁ ପଟୁ ବନ୍ୟା ଜଳ ଯୋଗୁଁ ବର୍ଷା ଦିନିଆ ପନିପରିବା ଚାଷ ମଧ୍ୟ ନଷ୍ଟ ହୋଇଛି।ଏହା ଉପରେ ପ୍ରଶାସନ ଦୃଷ୍ଟି ଦେବା ସହିତ କୃଷି ବିଭାଗ କ୍ଷେତ୍ରୀୟ ଅନୁଧ୍ୟାନ କରି କ୍ଷୟକ୍ଷତି ଆକଳନ କରିବାକୁ ଦାବି ହୋଇଛି।