ଧାନ ନଉଠିଲେ ଭୋଟ ବର୍ଜନ କରିବେ ଚାଷୀଙ୍କ ଚେତାବନି
ଛତ୍ରପୁର, (ଦେବଦତ୍ତ ମହାରଣା) :-ଗୋଟିଏ ପଟେ ପଚାଂୟତ ନିର୍ବାଚନ ଗାଁ ଗଣ୍ଡା କମ୍ପୁଥିବା ବେଳେ ଅନ୍ୟପଟେ ଚାଷୀ ତାର ହକ ପାଇଁ ଲଢେଇ କରୁଛି । ଗଞ୍ଜାମ ଜିଲାରେ ଚଳିତ ବର୍ଷ ଧାନ କିଣା ଘୋର ସମସ୍ୟା ଉପୁଜୁଛି । ବିଶେଷକରି ମିଲରଙ୍କ ମର୍ଜି ପାଇଁ ଚାଷୀଙ୍କ ମଣ୍ଡିରୁ ଧାନ ଉଠୁନଥିବା ବେଳେ ଟୋକେନ ଅବଧି ଶେଷ ହେବାକୁ ଗଲାଣି । ଏନେଇ ଆଜି ଖଲ୍ଲିକୋଟ ବ୍ଲକର କୋମଣ୍ଡ ଗ୍ରାମପଚାଂୟତର ବହୁ ଚାଷୀ ଧାନ ଧରି ଗଞ୍ଜାମ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯଦି ମଣ୍ଡିରୁ ଧାନ ଉଠିବ ନାହିଁ ତେବେ ସେମାନେ ପଚାଂୟତ ନିର୍ବାଚନରେ ଭୋଟ ବର୍ଜନ କରିବାର ନିଷ୍ପତି ନେଇଥିବା କହିଥିଲେ । ଅଧିକାଂଶ ସ୍ଥାନରେ କଟିନ ଛଟିନି ସମସ୍ୟା ସହ କ୍ୱାଲିଟି ଧାନ ନଥିବା ଆଳ ଦେଖାଇ ଚାଷୀଙ୍କୁ ଏବେ ମିଲର ମାନେ ଧାନ ଉଠାଇବାକୁ ରାଜି ହେଉନାହାନ୍ତି । ଏହି ସମୟରେ ଚାଷୀଙ୍କ ଟୋକେନ ଅବଦ୍ଧି ଶେଷ ହେବାକୁ ଗଲାଣି । ଯାହାଫଳରେ ଚାଷୀ ତାର ଧାନକୁ ସରକାରୀ ଧାର୍ଯ୍ୟରେ ଧାନ ବିକ୍ରି କରିବା ସହଜ ହେଉନଥିବା ବେଳେ ଏହାର ସୁଯୋଗ ନେଉଛନ୍ତି ଦଲାଲ । ଶେଷରେ କୋମଣ୍ଡ ପଚାଂୟତ ଚାଷୀ ଆନ୍ଦୋଳନ କରିବା ସହ ଭୋଟ ବର୍ଜନ କରିବାର ନିଷ୍ପତି ନେଇଛି । ସେମାନଙ୍କ ଭଲ ଧାନ ଥିଲେ ମଧ୍ୟ ମିଲର ସେମାନଙ୍କ ଠାରୁ ଧାନ ନେଉନଥିବା ଅଭିଯୋଗ କରିଛନ୍ତି । ଏପରିକି ବହୁ ଚାଷୀଙ୍କ ଟୋକେନ ଅବଦ୍ଧି ମଧ୍ୟ ଶେଷ ହେବାକୁ ଗଲାଣି ବୋଲି କହିଛନ୍ତି । ପରେ ସେମାନେ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡାଙ୍କୁ ଭେଟି ଏହି ସବୁ ସମସ୍ୟା ଜଣାଇଥିଲେ । ଏହି ବିକ୍ଷୋଭ ବେଳେ କୋମଣ୍ଡ ପଚାଂୟତର ବହୁ ଚାଷୀ ଉପସ୍ଥିତ ଥିଲେ । ଗଞ୍ଜାମ ଜିଲାରେ ଖରିପ ଧାନ ସଂଗ୍ରହ ଡିସେମ୍ବର ୨୯ ରୁ ଆରମ୍ଭ ହୋଇଛି । ଏହି ୩୪ ଦିନ ବିତିଯାଇଥିଲେ ସୁଦ୍ଧା ଏଯାବତ ୪୬୯୩୬ ଜଣ ଚାଷୀଙ୍କ ଠାରୁ ୨୦ଲକ୍ଷ୮୦ ହଜାର ୫୨ କୁଇଟାଂଲ ଧାନ ସଂଗ୍ରହ କରାଯାଇଥିବା ଜିଲା ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି । ଜିଲାକୁ ୧ଲକ୍ଷ ୩୯ ହଜାର ୧୩୨ ଟି ଟୋକେନ ଆସିଥିବା ବିଭାଗ ପକ୍ଷରୁ କୁହାଯାଇଛି । ଜିଲାରେ ଚଳିତ ଖରିପ ଧାନ ସଂଗ୍ରହ ପାଇଁ ପ୍ରଥମ ପ୍ରର୍ଯ୍ୟାୟରେ ୩୬ଲକ୍ଷ୪୪୭୭ କୁଇଟାଂଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ଆସିଛି । ୧ଲକ୍ଷ ୨୩ ହାଜର ୨୮୪ ଚାଷୀ ପଞ୍ଜିକରଣ କରିଥିବା ବେଳେ ୧ ଲକ୍ଷ ୨୨ ହଜାର ୮୨୬ ଜଣ ଚାଷୀଙ୍କ ଠାରୁ ଧାନ କିଣା ଯିବ । ଜିଲାରେ ୩୬୭ ପ୍ୟାକ୍ସ,୧୦୧ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଗୋଟିଏ ପାଣି ପଚାଂୟତ ଧାନ ସଂଗ୍ରହ ପାଇଁ ସ୍ଥିର ହୋଇଛନ୍ତି । ଏହି ଧାନ କିଣା ମାର୍ଚ୍ଚ ୩୧ ତାରିଖ ପ୍ରର୍ଯ୍ୟନ୍ତ ଚାଲିବ ।