ଧାନ ବିକ୍ରି ନେଇ ଚିନ୍ତାରେ ଚାଷୀ

ହାଟଡିହି, (ଯୁଗାବ୍ଦ ନ୍ୟୁଜ୍‌): ସରକାର ଚାଷୀଙ୍କ ପାଖରୁ ସହଜରେ ଧାନ କିଣିବେ ଓ ତୁରନ୍ତ ସେମାନଙ୍କୁ ସେମାନଙ୍କ ପ୍ରାପ୍ୟ ଯୋଗାଇ ଦେବା ସହିତ ପ୍ରକୃତ ଚାଷୀମାନେ ଯେପରି ଧାନ ବିକିବେ ସେନେଇ ନାନା ପ୍ରକାର ବିଦ୍ଧି ବ୍ୟବସ୍ଥା କରିଛନ୍ତି । କିନ୍ତୁ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପଞ୍ଚୁଗୋଛିଆରେ ଖୋଲା ଯାଇଥିବା ଧାନ ମଣ୍ଡିରେ ଏହାର ସମ୍ପୁର୍ଣ୍ଣ ଅବ୍ୟବସ୍ଥା ଦେଖା ଦେଇଛି । ଏଠାରେ ଚାଷୀଙ୍କ ଧାନ କିଣା ଯାଉ ନଥିବାରୁ ଚାଷୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ମିଲର ସିଧା ସଳଖ ଚାଷୀଙ୍କ ଠାରୁ ଧାନ କିଣିବାରେ ଲାଗିଛି । ଯାହାଦ୍ୱାରାକି ମିଲର ଓ ମଣ୍ଡ କର୍ତ୍ତୁପକ୍ଷଙ୍କ ସଲା ସୁତୁରାରେ ଧାନ ମଣ୍ଡି ଚାଲୁଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାଇ ପଞ୍ଚୁଗୋଛିଆ ସମବାୟ ସମିତିରେ ଚଳିତବର୍ଷ ଧାନ ମଣ୍ଡି ଖୋଲାଯାଇଥିବାବେଳେ ଏହି ସମିତି ଅଧିନରେ ଥିବା ୩ଟି ପଞ୍ଚାୟତର ୨୧ଟି ଗ୍ରାମର ଚାଷୀ ମାନେ ଧାନ ବିକିଥାନ୍ତି । ଏହି ସମିତି ଅଧିନରେ ମୋଟ ୨୨୦୦ରୁ ଚାଷୀ ଥିବାବେଳେ ଚଳିତବର୍ଷ ୩୫୦ଜଣ ଚାଷୀ ଧାନ ବିକିବାପାଇଁ ନାମ ପଞ୍ଜିକୃତ କରିଥିଲେ । ସେଥିମଧ୍ୟରୁ ୨୩୭ଜଣଙ୍କ ନାମ ଭେରିଫାଏଡ ହୋଇ ଆସିଥିଲା । ତନ୍ମଧ୍ୟରୁ ୧୩୪ଜଣ ଚାଷୀଙ୍କ ଠାରୁ ୯ହଜାର ୫ଶହ କୁଇଣ୍ଟାଲ ଧାନ କ୍ରମୟ ପାଇଁ ଟୋକନ ଆସିଥିଲା । ଗତ ୩ତାରିଖ ଦିନ ଧାନ ଦେବାପାଇଁ ଟୋକନ ପାଇଥିବା ଚାଷୀମାନେ ମଣ୍ଡିରେ ଧାନ ପକାଇବାପରେ ଧାନ ନେବାପାଇଁ ମିଲରୁ କୌଣସି ଗାଡି ଆସିନଥିଲା । ଯେଉଁ ଚାଷୀମାନେ୬ତାରିଖ ଧାନ ବିକିବା ପାଇଁ ଟୋକନ ଓ ମେସେଜ ପାଇଥିଲେ ସେ ଚାଷୀମାନେ ଧାନ ଆଣିବାରୁ ମଣ୍ଡି କର୍ତ୍ତୁପକ୍ଷ ଗାଡି ଆସିନି ୩ତାରିଖ ଧାନ ଉଠିନି ତୁମେ ଆଉ ଦିନେ ଆଣ ବୋଲି କହି ଫେରାଇ ଦେଇଥିଲେ । କିନ୍ତୁ ଏହାରି ଭିତରେ ଚାଷୀମାନେ ପାଇଥିବା ଟୋକନ କ୍ୟାନସଲ ହୋଇଯିବାପରେ ସେମାନେ ଆଉ ଧାନ ଦେଇ ପାରୁ ନାହାନ୍ତି । ଖଳା ବାଡି ଓ ରାସ୍ତାରେ ଶହଶହ ବସ୍ତା ଧାନ ପଡିଥିବାବେଳେ ମଣ୍ଡିରେ ମଧ୍ୟ ଶହଶହ ବସ୍ତା ଧାନ ପଡି ରହିଛି । ଯେଉଁ ଚାଷୀ ମାନଙ୍କର ଟୋକନ କଟିଗଲା ସେମାନଙ୍କୁ ପୁନର୍ବାର ୧୫ଦିନ ଭିତରେ ଟୋକନ ଦିଆଯାଇ ଧାନ କିଣାଯିବ ବୋଲି ସମିତିର ସମ୍ପାଦକ ପ୍ରତିଶୃତି ଦେଇଥିବାବେଳେ କିନ୍ତୁ ବାସ୍ତବ କ୍ଷେତ୍ରରେ ଟୋକନ ରିଜେକ୍ଟ ଚାଷୀଙ୍କ ନାମ ଆସୁନାହିଁ । ଯାହାଦ୍ୱାରାକି ଦାଣ୍ଡ ଘାଟରେ ଶହଶହ ବସ୍ତା ଧାନ ଥୋଇ ଚାଷୀମାନେ ରାତି ଉଜାଗର ହୋଇ ଜଗି ବସୁଛନ୍ତି । ଅନ୍ୟପକ୍ଷରେ ମଣ୍ଡିରେ ଧାନ କିଣାଯାଉ ନଥିବାବେଳେ ମିଲର ସିଧା ସଳଖ ମଣ୍ଡି ସହିତ ସଲାସୁତରା କରି ସିଧାସଳଖ ଧାନ କିଣୁଥିବାରୁ ଆମେ ଚାଷୀ ମାନେ ବଳିପଡୁଛୁ ବୋଲି ଗିରିଧାରୀ ଘଡେଇ, ସନାତନ ସାହୁ, ବାଇଧର ଘଡେଇ ପ୍ରମୁଖ ଚାଷୀମାନେ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ଚାଷୀଙ୍କ ଧାନରୁ ମଣ୍ଡି କର୍ତ୍ତୁପକ୍ଷ ୫କିଲୋ କାଟୁଥିବାବେଳେ ମିଲର ୧୦କିଲୋ କାଟୁଥିବା ଓ ମିଲକୁ ସିଧାସଳଖ ଧାନ ନେଉଥିବା ଚାଷୀଙ୍କ ଗାଡି ଦୁଇ ତିନିଦିନ ଅଟକି ରହୁଥିବାରୁ ଚାଷୀମାନେ ନାହିଁଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗିରିଧାରୀ ଘଡେଇଙ୍କ ଅଭିଯୋଗ ଯେ ସେ ଜଣେ ମଧ୍ୟମ ଧରଣର ଚାଷୀ ହୋଇଥିବାବେଳେ ତାଙ୍କର ୬ତାରିଖ ଧାନ ଦେବାକୁ ଟୋକନ ପାଇଥିଲେ । ମାତ ଧାନ ମଣ୍ଡିକୁ ନେଇ ଯିବାରୁ ସମ୍ପାଦକ ଧାନ ନକିଣି ୩ତାରିଖ ଧାନ ଯାଇ ନାହିଁଁ ତେଣୁ ପରେ ଆଣିବ ବୋଲି କହି ଫେରାଇ ଦେବାପରେ ଆଉ ଧାନ କିଣି ନଥିଲେ । ଏପରିକି ତାଙ୍କ ଟୋକନ ଲାପସ କରିଯିବା ପରେ ଆଉ ଟୋକନ ମିଳି ନଥିବାରୁ ଧାନ ଦେଇ ପାରୁନାହାନ୍ତି ବୋଲି କହିଛନ୍ତି । ସେହିପରି ବାଇଧର ଘଡେଇ ନାମକ ଜଣେ ଚାଷୀଙ୍କ କହିବାନୁଯାଇ ସେ ଜଣେ ମଧ୍ୟମ ଧରଣର ଚାଷୀ ହୋଇଥିବାବେଳେ ସମସ୍ତ ଅର୍ଥ ଖର୍ଚ୍ଚକରି ଧାନ ଚାଷ କଲେ ଯେ ଆଜି ପର୍ଯ୍ୟନ୍ତ ଟଙ୍କାଟିଏ ବି ପାଇପାରିଲେନି । ଏପରିକି ଘରର ସୁନା ଗହଣା ବନ୍ଧାଦେଇ ଧାନ କଟାବାଲାକୁ ଦେଇଥିଲେ ବି ଆଜି ପର୍ଯ୍ୟନ୍ତ ଟଙ୍କାଟିଏ ଧାନ ପଇସା ପାଇପାରି ନାହାନ୍ତି । କେବଳ କାଗଜ କଲମରେ ମଣ୍ଡି ଖୋଲାଯାଇ ସିଧାସଳଖ ମିଲର ମାଧ୍ୟମରେ ଧାନ କିଣାଯାଉ ଥିବାରୁ ଆମେ ଗରିବ ଚାଷୀମାନେ ବଳି ପଡୁଛୁ ବୋଲି ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସମବାୟ ସମିତିର ସମ୍ପାଦକ ରାମଚନ୍ଦ୍ର ଜେନାଙ୍କୁ ପଚାରିବାରେ ସେ ମଣ୍ଡିକୁ ଗାଡି ଆସୁନଥିବାରୁ ଆମ ଗୋଦାମ ଘରେ ଧାନ ଭର୍ତ୍ତି ହୋଇ ରହିଛି । ତେଣୁ ଆମେ ଅଧିକ ଚାଷୀଙ୍କ ଧାନ କିପରି କିଣିବୁ ବୋଲି କହିଛନ୍ତି । ସେହିପରି ଯେଉଁ ଚାଷୀ ର ନିତ୍ୟାନ୍ତ ଟଙ୍କା ଆବଶ୍ୟକ ସେ ସିଧାସଳଖ ମିଲ୍‌କୁ ନେଇ ଯାଉଛି ତେଣୁ ଆମେ କଣ କରିବୁ ବୋଲି କହିଛନ୍ତି । ସେହିପରି ସେ ମଣ୍ଡିରେ ୪/୫କିଲୋ ଧାନ କାଟୁଛନ୍ତି ଓ ମିଲରେ ଅôଦକ ଧାନ କଟନି ଛଟନି ହେଉଥିବା ସ୍ୱୀକାର କରିଛନ୍ତି । ଏହି ମଣ୍ଡିରେ ଗତବର୍ଷ ମଧ୍ୟ ବହୁ ଚାଷୀ ଧାନ ରଖି ରଖି ବିକ୍ରୀ କରି ନପାରିବାରୁ ତିନିମାସ ପରେ ଘରକୁ ଫେରାଇ ନେଇଥିଲେ । ମଣ୍ଡିର ଏପରି ସମସ୍ୟାକୁ ନେଇ ଚାଷୀମାନେ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଦ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି । ପ୍ରଶାସନ ତୁରନ୍ତ ସୁବିଚାର କରି ଚାଷୀ ମାନଙ୍କ ଧାନ କ୍ରୟ କରିବାକୁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ