ଧାନ ବିକ୍ରୀ ଭାଲିଡିଟି ସମୟ ବୃଦ୍ଧିପାଇଁ କାଶୀନଗର ରଇତ ସଂଘର ଜରୁରୀ ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗର ବ୍ଲକ ସଦର ମହକୁମା କାଶୀନଗର ବ୍ଲକ-ସିଏଚ୍ସି ଛକରେ ଧନ ବିକ୍ରୀ ଭାଲିଡିଟି ସମୟ ବୃଦ୍ଧିପାଇଁ କାଶୀନଗର ରଇତ ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ପ୍ରଶାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କାର୍ଯ୍ୟକାରୀ ସଭାପତି ଏସ୍.ତାତେୟା, ଉପସଭାପତି ୱାଇ.ଧନଞ୍ଜୟ, କେ.ସୁରିୟା ରାଓ, ସଂପାଦକ ରଘୁରାମ ସାହୁ ଓ ସମସ୍ତ କାର୍ଯ୍ୟକାରୀ କମିଟି ସଦସ୍ୟ ଯୋଗ ଦେଇଥିଲେ । ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆ ଯାଇଥିଲା ଯେ, ଧାନବିକ୍ରି ପାଇଁ କୃଷି ସମବାୟ ସମିତି ଜରିଆରେ ଦିଆ ଯାଉଥିବା ଟୋକେନ୍ର ବିଧିସିଦ୍ଧତା (ଭାଲିଡିଟି) ସମୟ ଏକ ମାସରୁ ତିନିମାସକୁ ବଢାଇବା ପାଇଁ ଦବୀ କରାଯିବ । ସେହିପରି ଖଳାରେ ଧାନରମାନ ପରୀକ୍ଷା, ଠିକ୍ ସମୟରେ ମଣ୍ଡି ଖୋଲିବା, ମଣ୍ଡିକୁ ଧାନ ନେବା ପାଇଁ ଗନିବ୍ୟଗ୍ ଓ ପରିବହନ ଖର୍ଚ୍ଚ ମିଲରମାନେ ବହନ କରିବା, ମଣ୍ଡିରୁ ହିଁ ମିଲରମାନେ ଧାନ କିଣିବା ଇତ୍ୟାଦି ଦାବୀ ସମ୍ବଳିତ ଏକ ପତ୍ର ସ୍ଥାନୀୟ ତହସିଲଦାର ତଥା ବିଡିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦିଆଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏହା ସହ କୌଣସି କୃଷି ସମବାୟ ସମିତିର ସେକ୍ରେଟାରି ଯେପରି ଦୁର୍ନୀତି ଓ ପ୍ରିୟାପ୍ରୀତିପୋଷଣରେ ଲିପ୍ତ ହେବାର ସୁଯୋଗ ନପାଆନ୍ତି, ତାଉପରେ କଡା ନଜର ରଖାଯିବ ସଂଘ ତରଫରୁ । ଯଦି ଗତ ବର୍ଷ ଭଳି ଚାଷୀମାନେ ମଣ୍ଡିରେ ଧାନ ବିକ୍ରି କରି ନପାରି କ୍ଷତିର ସମ୍ମୁଖୀନ ହେବା ସହ ମିଲରମାନଙ୍କ ଦ୍ୱାରା ଶୋଷଣର ଶିକାର ହୁଅନ୍ତି ତେବେ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନକୁ ଓହ୍ଲାଇ ଜବାବ ଦିଆଯିବ ।