ଧାନ ବିକ୍ରୟ ପାଇଁ ଅପେକ୍ଷା କରିଛନ୍ତି ଟୋକେନ ପ୍ରାପ୍ତ ୨୦୦ଚାଷୀ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ବିଭିନ୍ନ ଦୈବିଦୁର୍ବିପାକରୁ ବର୍ତିଯାଇଥିବା ଖରିଫ ଧାନ ଚାଷ ଏବେ ପ୍ରାୟ ଅମଳର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅଦିନିଆ ବର୍ଷା ଯୋଗୁଁ ଅନେକ କ୍ଷତି ହୋଇଥିଲେ ସୁଦ୍ଧା ଚାଷୀ ମାନେ ଯେତିକି ଅମଳ କରିଛନ୍ତି ତାକୁ ମଣ୍ଡିରେ ବିକ୍ରୟ କରିବା ପାଇଁ ଏବେ ତତ୍ପର ହୋଇଛନ୍ତି । ପରିତାପର ବିଷୟ ପ୍ରଶାସନ ପକ୍ଷରୁ ଯେଉଁ ମିଲର ମାନଙ୍କୁ ଚାଷୀ ମାନଙ୍କ ଧାନକ୍ରୟ ପାଇଁ ଅନୁମତି ମିଳିଛି ସେମାନେ ଏବେ ମଣ୍ଡି ଅଧିକାରୀଙ୍କୁ ଧରାଛୁଆଁ ଦେଉନାହାନ୍ତି । ଏମିତି ଏକ ଅଭିଯୋଗ ଆସିଛି ଭଣ୍ଡାରିପୋଖରୀ ବ୍ଲକ ଜଳମଣ୍ଡୁଆ ପ୍ରାଥମିକ କୃଷି ସମବାୟ ଅଧିନ ପରିଚାଳିତ ମଣ୍ଡିରୁ । ଉକ୍ତ ସମବାୟ ଅଧିନ ମଣ୍ଡିରେ ଧାନ ବିକ୍ରୟ ପାଇଁ ପ୍ରାୟ ୨୦୦ଜଣ ଚାଷୀ ଗତ୫ତାରିଖ ଠାରୁ ଆଜି ଯାଏଁ ଟୁକନ ପ୍ରାପ୍ତ ହୋଇସାରିଲେଣି । ହେଲେ ଚରମ୍ପା ଓ ପାଣିକୋଇଲି ସ୍ଥିତ ଦୁଇ ଗୋଟି ମିଲ ମଣ୍ଡିକୁ ଆସି ଧାନ କ୍ରୟ କରିବାକୁ ପଛଘୁଞ୍ଚା ଦେଉଛନ୍ତି । ଏପରିକି ସମିତି ସମ୍ପାଦକଙ୍କ ଫୋନ ଉଠାଉନଥିବା ବେଳେ ଧାନ କ୍ରୟ ପାଇଁ ଆଜିକାଲି କହି ସମୟ ଗଡ଼ାଇଚାଲିଛନ୍ତି । ଏପଟେ ଚାଷୀ ମାନେ ଧାନ ବିକ୍ରୟ ପାଇଁ ଦୈନନ୍ଦିନ ସମିତିକୁ ଆସି ନିରାଶ ହୋଇ ଫେରୁଛନ୍ତି । ଯଦି ସଠିକ ସମୟରେ କର୍ତ୍ତୃପକ୍ଷ ଧାନ କ୍ରୟ ନକରନ୍ତି ତାହେଲେ ଟୁକନପ୍ରାପ୍ତ ଚାଷୀଙ୍କ ନାମ ଧାନ ବିକ୍ରୟ କ୍ରମିକ ସଂଖ୍ୟାରୁ କଟିଯିବ ଏଥିରେ ସନ୍ଦେହ ନାହିଁ । ଏ ବାବଦରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ମତାମତ ପାଇଁ ଫୋନ ଯୋଗେ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସେ ଫୋନ କଲକୁ ଏଡାଇ ଯାଇଛନ୍ତି । ଏହାପରେ ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେବାକୁ ଚାଷୀ ମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ