ଧାନ ମଣ୍ଡିରେ ଚାଷୀଙ୍କ ଟୋକନ ଲାପ୍ସ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ ଟୋକନ ଲାପ୍ସ ଯୋଗୁ ଚାଷୀମାନେ ଧାନମଣ୍ଡିରେ ଧାନ ଦେଇ ପାରୁନାହାନ୍ତି । ଯାହାଫଳରେ ଅଲଣା ଓ ନାଉଗାଁ ଧାନମଣ୍ଡିର ଚାଷୀମାନେ ହଜାର ହଜାର କୁଇଂଟାଲ ଧାନ ଗଦା କରି ଦିନ ରାତି ଜଗି ବସିଛନ୍ତି । ଟୋକନ ଲାପ୍ସ ଯୋଗୁ ଏହି ଚାଷୀମାନଙ୍କର ଧାନ ଯାଇପାରୁନାହିଁ । ଧାନ ନଯିବା ଯୋଗୁ ଚାଷୀମାନଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା । ଯାହାଫଳରେ ବୁଧବାର ଅଲଣା ଓ ନାଉଗାଁ ସମବାୟ ସମିତିର ଚାଷୀମାନେ ଧାନମଣ୍ଡି ସମ୍ମୁଖରେ ଧାରଣାରେ ବସି ରହିଥିଲେ । ନାଉଗାଁ ସେବା ସମବାୟ ସମିତିର ସଂପାଦକ ଚାଷୀଙ୍କ ସହିତ ଆଲୋଚନା କରିବା ପରେ ଚାଷୀମାନେ ଧାରଣରୁ ଓହରି ଥିବା ବେଳେ ଅଲଣା ସମବାୟ ସମିତିରେ କୌଣସି ନିଷ୍କସ ବାହାରି ପାରିନଥିଲା । ଫଳରେ ଚାଷୀମାନେ ଅଲଣା ସେବା ସମବାୟ ସମିତିର ସମ୍ମୁଖରେ ଧାନ ବୋଝେଇ ଗାଡି ଆଗରେ ଧାରଣାରେ ବସି ରହିଥିବା ଜଣାଯାଇଛି । ଅଲଣା ଧାନମଣ୍ଡିରେ ଚାଷୀ ଦେବରାଜ ସାହୁ, ବିଜୟ କୁମାର ରାୟ, ଅଶୋକ କୁମାର ସାମଲ, ସୁଶାନ୍ତ କୁମାର ଦାସ, ବସନ୍ତ କୁମାର ସାହୁ, ନିରଂଜନ ପରିଡାଙ୍କ ସମେତ ୫୦ରୁ ଉର୍ଦ୍ଧ୍ୱ ଚାଷୀ ଧାରଣାରେ ବସି ରହିବା ସହିତ ସେମାନଙ୍କର ଧାନ ନ ଉଠିବା ପର୍ଯ୍ୟନ୍ତ ଧାନ ବୋଝେଇ ଗାଡିକୁ ଛାଡିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ସୂଚନା ମୁତବାକ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ପାଇଁ ନାଉଗାଁ ବ୍ଳକରେ ୭ଟି ମଣ୍ଡି ଖୋଲାଯାଇଛି । ସେଥିମଧ୍ୟରୁ ୬ଟି ସେବା ସମବାୟ ସମିତି ରହିଥିବା ବେଳେ ପ୍ରଥମ ଥର ନନ୍ଦମଣୀ ସ୍ୱୟଂ ସହାୟୀକା ଦଳକୁ ଧାନ ସଂଗ୍ରହ ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି । ଜାନୁଆରୀ ପ୍ରଥମ ସପ୍ତାହ ପରେ ୭ଟି ଯାକ ମଣ୍ଡି ଖୋଲା ଯାଇଥିବା ବେଳେ ମାର୍ଚ୍ଚ ୩୧ ସୁଦ୍ଧା ଚାଷୀଙ୍କ ଠାରୁ ସମସ୍ତ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ୭ଟି ଧାନମଣ୍ଡିରେ ୪୪୭୪ଜଣ ଚାଷୀ ଧାନ ଦେବା ପାଇଁ ନାମ ପଂଜିକୃତ କରିଥିବା ବେଳେ ପୋର୍ଟାଲ ତଥ୍ୟ ଅନୁସାରେ ମାର୍ଚ୍ଚ ୨୨ତାରିଖ ସୁଦ୍ଧା ଏହି ୭ଟି ଧାନମଣ୍ଡିରେ ୩୫୧୧ଜଣ ଚାଷୀଙ୍କ ଠାରୁ ୧୧୧୨୬୫.୫୧କୁଇଂଟାଲ ଧାନ ଚାଷୀଙ୍କ ଠାରୁ ସଂଗ୍ରହ କରାଯାଇଛି । ଅନ୍ୟପଟରେ ଯୋଗାଣ ବିଭାଗ ପକ୍ଷରୁ ଧାନମଣ୍ଡିକୁ ଧାନ ସଂଗ୍ରହ ପାଇଁ ଆଲଟମେଂଟ ନ ଦିଆଯିବା ହେତୁ ଚାଷୀଙ୍କ ଠାରୁ ଧାନ କ୍ରୟ କରିବାରେ ବିଳମ୍ବ ହୋଇଥିଲା । ଯାହାଫଳରେ ଚାଷୀଙ୍କର ଟୋକନ ଲାପ୍ସ ହେବାରେ ଲାଗିଛି । ଏଥିରେ ଅଲଣା ଧାନମଣ୍ଡିରେ ୯୬ଜଣ ଚାଷୀଙ୍କର ଟୋକ୍ସନ ଲାପ୍ସ ହୋଇଥିବା ବେଳେ ନାଉଗାଁ ଧାନମଣ୍ଡିରେ ୧୨୪ଜଣ ଚାଷୀଙ୍କର ଟୋକନ ଲାପ୍ସ ହୋଇଥିବା ଜଣାଯାଇଛି । ଏସଂର୍ପକରେ ସହକାରୀ ଏଆରସିଏସ ଶିବପ୍ରସାଦ ମହାନ୍ତିଙ୍କୁ ପଚାରିବାରୁ ଯୋଗାଣ ବିଭାଗ ସହିତ ଆଲୋଚନା କରାଯାଇ ଶିଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।