ଧୁମଧାମରେ ଜଗତଜନନୀ ମା’ ଦୁର୍ଗାଙ୍କୁ ମେଲାଣି
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳର ବିଭିନ୍ନ ସୁସଜ୍ଜିତ ଅସ୍ଥାୟୀ ମଣ୍ଡପରେ ମୃଣ୍ମୟୀ ରୂପରେ ପୂଜା ପାଇବା ପରେ ଶକ୍ତିସ୍ବରୁପିଣୀ, ଅଭୟ ବର ଦାୟିନୀ, ପାପ ନାସିନୀ ମା’ ଦୁର୍ଗାଙ୍କୁ ହର୍ଷ ଉଲ୍ଲାସର ସହ ବିଦାୟ ଦେଇଛନ୍ତି ହିଞ୍ଜିଳିକାଟୁବାସୀ। ଆଶ୍ଵିନ ଶୁକ୍ଳ ସପ୍ତମୀ ତିଥିରୁ ବିଭିନ୍ନ ମଣ୍ଡପରେ ମା’ଦୁର୍ଗାଙ୍କ ପୂଜାର୍ଚ୍ଚନା ହୋଇଥିଲା। ପ୍ରତ୍ୟହ ଚଣ୍ଡିପାଠ, ହୋମଯଜ୍ଞ ଆଦି ଅନୁଷ୍ଠିତ ହୋଇଥିଲା । ବୁଧବାର ଏକାଦଶୀ ତିଥିରେ ଜଗତଜନନୀ ମା’ ଦୁର୍ଗାଙ୍କୁ ମେଲାଣି ଦିଆଯାଇଛି । ସହରର ବିଭିନ୍ନ ପୂଜା କମିଟି ପକ୍ଷରୁ ମା’ଙ୍କ ମୂର୍ତ୍ତିକୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରାଯାଇଥିଲା। ସହରର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଥିବା ମୂର୍ତ୍ତିକୁ ସ୍ଥାନୀୟ ପୌରାଞ୍ଚଳ ମିନି ଷ୍ଟାଡିୟମ ପରିସରରେ ଏକତ୍ରିତ କରାଯାଇଥିଲା। ପରେ ଡିଜେ, ଘଣ୍ଟ, କାହାଳୀ ସମେତ ବିଭିନ୍ନ ପାରମ୍ପାରିକ ବାଦ୍ୟର ତାଳେ ତାଳେ ଯୁବଗୋଷ୍ଠୀ ନୃତ୍ୟ ପରିବେଷଣ କରି ଏକ ବିରାଟ ଶୋଭାଯାତ୍ରାରେ ନେଇ ସ୍ଥାନୀୟ ସହର ଘୋଡାହାଡ ନଦୀରେ ମା’ଙ୍କୁ ବିସର୍ଜନ କରାଯାଇଥିଲା । ଶାନ୍ତି ଶୃଙ୍ଖଳା ସହ ଟ୍ରାଫିକ ନିୟନ୍ତ୍ରଣ ସକାଶେ ହିଞ୍ଜିଳି ପୁଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ମା’ଙ୍କ ମେଲାଣି ଶୋଭାଯାତ୍ରା ଦର୍ଶନ ସକାଶେ ସହରବାସୀ ୫୯ ନମ୍ବର ଜାତୀୟ ରାଜପଥର ଉଭୟ ପ୍ବାର୍ଶରେ ବହୁ ଦର୍ଶକଙ୍କ ସମାଗମ ହୋଇଥିଲା। ସହରର ବିଭିନ୍ନ ପୂଜା କମିଟି ପକ୍ଷରୁ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା। ସାମୁହିକ ଭସାଣୀ ଉତ୍ସବକୁ ସହରବାସୀ ବେଶ୍ ଉପଭୋଗ କରିଥିଲେ।


