ଧୂମାତ ସରପଞ୍ଚ ଫେରାର ଥିବାରୁ ନାଏବ ସରପଞ୍ଚଙ୍କୁ ଦାୟୀତ୍ୱ ଦେବା ପାଇଁ ଜିଲାପାଳଙ୍କୁ ନିବେଦନ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଧୂମାତ ପଞ୍ଚାୟତର ସରପଞ୍ଚ ନରହରୀ ପାଣି ସେହି ପଞ୍ଚାୟତର ରିନାରାଣୀ ମଲ୍ଲିକ ନାମକ ଜଣେ ଜନଜାତି ମହିଳାଙ୍କୁ ଅସଦ୍ ବ୍ୟବହାର କରିଥିବା ସହିତ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ବିଭିନ୍ନ ଗୁରୁତର ଦଫାରେ ଗତ ସେପ୍ଟେମ୍ବରମାସ ୧୧ ତାରିଖରେ ନିକିରାଇ ଥାନାରେ ଏକ ମାମଲା ଦାଏର ହେବାରୁ ଅଭିଯୁକ୍ତ ଶ୍ରୀ ପାଣି ସେହିଦିନ ଠାରୁ ଫେରାର ହୋଇଯାଇଛନ୍ତି । ତାଙ୍କ ଅନୁପସ୍ଥିତିରେ ପଞ୍ଚାୟତର ଶତାଧିକ ହିତାଧିକାରୀ ଗତ ମାସରେ ବିଭିନ୍ନ ଭତ୍ତା ପାଇନଥିବା ବେଳେ ଏମ.ଜି.ଏନ୍‌.ଆର.ଇ.ଜି.ଏସ୍ ଯୋଜନାରେ ବହୁଲୋକ କାମ କରି ସେମାନଙ୍କ ପ୍ରାପ୍ୟ ପାଉନାହାଁନ୍ତି । ଆଗକୁ ଦଶହରା ଆସୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଦଶହରା ପୂର୍ବରୁ ବିଭିନ୍ନ ଯୋଜନାରେ କାର୍ଯ୍ୟ କରିଥିବା ଲୋକମାନଙ୍କୁ ସେମାନଙ୍କ ପ୍ରାପ୍ୟ ଦେବା ପାଇଁ ପଞ୍ଚାୟତର ନାଏବ ସରପଞ୍ଚଙ୍କୁ ଦାୟିତ୍ୱ ପ୍ରଦାନ ପାଇଁ ବୁଧବାର ଧୂମାତ ପଞ୍ଚାୟତର ୧୧ନମ୍ବର ୱାର୍ଡର ୱାର୍ଡମେମ୍ବର ମଧୂସୁଦନ ପଣ୍ଡା, ୫ନମ୍ବର ୱାର୍ଡମେମ୍ବର ପ୍ରମୋଦ ବିଶ୍ୱାଳ, ୧୭ ନମ୍ବର ୱାର୍ଡମେମ୍ବର ମେଘନାଦ ସ୍ୱାଇଁ, ୧୫ ନମ୍ବର ୱାର୍ଡମେମ୍ବର ସୁରେନ୍ଦ୍ର ସାହୁ ଓ ୫ନମ୍ବର ୱାର୍ଡମେମ୍ବର ପଙ୍କଜ ସାହୁ ଏବଂ ପଞ୍ଚାୟତର ବହୁ ସ୍ୱେଚ୍ଛାସେବୀମାନେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ ଭେଟି ଦାବି କରିଥିଲେ । ଏ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ଉପଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କୁ ନିର୍ଦ୍ଦେଶ ଦେଇଥିବା ୱାର୍ଡମେମ୍ବର ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ପୂର୍ବ ଶତୃତାରୁ ସରପଞ୍ଚ ଶ୍ରୀ ପାଣି ଗତ ମାସ ୧୦ ତାରିଖରେ ରାସ୍ତା ଉପରେ ଅଭିଯୋଗ କାରିଣୀ ଦଳିତ ବର୍ଗର ମହିଳା ରିନାରାଣୀ ମଲ୍ଲିକଙ୍କୁ ଅସଦ୍ ବ୍ୟବହାର କରିବା ସହିତ ତାଙ୍କର ୬ଜଣ ସହଯୋଗୀଙ୍କ ସହିତ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ରିନାରାଣୀଙ୍କୁ ଆକ୍ରମଣରୁ ରକ୍ଷା କରିବା ପାଇଁ ଉଦ୍ୟମ କରୁଥିବା ବେଳେ ତାଙ୍କ ସ୍ୱାମୀ ଉମାକାନ୍ତ ଏବଂ ଶ୍ୱଶୁର ଅଦୈତଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା । ଅଦୈତଙ୍କ ମୁଣ୍ଡ ଫାଟିଯିବାରୁ ସେ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଦୁଇଦିନ ତଳେ ଘରକୁ ଫେରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ