” ଧୋକାବାଜ ର ବୟାନ “
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) :ମଣିଷ ତ ବିଶ୍ଵାସ ଉପରେ ବଂଚିଥାଏ | ବିଶ୍ୱାସବିନା ମଣିଷ ଜୀବନ ବୃଥା | ଜଣେ ଅନ୍ୟ ଜଣେ ଉପରେ ଭରସା ଓ ବିଶ୍ୱାସ କରିବନି ତ କାହା ଉପରେ କରିବ | ହେଲେ କାହିଁକି କେଜାଣି ଜଣେ ଜଣେ ବିଶ୍ଵାସ ଓ ଭରସା ଭାଙ୍ଗିବାକୁ ବେଶ ଭଲ ପାଆନ୍ତି | ଆଉ ନିଜକୁ ସୁରକ୍ଷିତ ରଖିବାକୁ ବୋଧେ ଏହା ସୁରକ୍ଷିତ ଉପାୟ ସେମାନଙ୍କ ମତରେ | ସେମିତି ଥରକର ଘଟଣା | ଅଚିହ୍ନା ପରୀ ମୋ ଜୀବନରେ ହଠାତ କେଉଁ ଏକ ଶୀତୁଆ ସନ୍ଧ୍ୟାର ପାର୍କରେ ଦେଖାହୋଇଥିଲା | କାହାକୁ ବୋଧେ ଅପେକ୍ଷା କରିଥିଲା | ବାରମ୍ବାର ମୋବାଇଲ କୁ ଦେଖୁଥିଲା ଓ ଫୋନ କରୁଥିଲା | କିଛି କିଛି ବିରକ୍ତ ହେଉଥିଲା ମଧ୍ୟ | ତାର ଠିକ କିଛି ଦୂର ବେଞ୍ଚରେ ମୁଁ ମୋବାଇଲରେ ହ୍ୟୁମାନ ସାଗର ର ‘ଭିଜେଇ ଦେଇଯା ଥରେ ପ୍ରିୟା ତୋ ପ୍ରେମ ବର୍ଷରେ….. ଗୀତ ଶୁଣୁଥିଲି ମୋବାଇଲରେ | ହଠାତ ମୋ ଅନ୍ୟମନସ୍କତା ଭଙ୍ଗ କରି କହିଥିଲା….ଏକ୍ସକ୍ୟୁଜ ମି ସାର….. ଯଦି କିଛି ଖରାପ ନଭାବିବେ ଗୋଟେ କଥା କହିଥାନ୍ତି | ହଁ..କୁହ..ଖରାପ ଭାବିବାରେ କଣ ଅଛି, ମୁଁ କହିଲି | ମୋର ମୋବାଇଲରୁ ଚାର୍ଜ ସରିଗଲା ଟିକେ କଲ କରିଥାନ୍ତି ମୋ ସାଙ୍ଗ ପାଖକୁ | ହଁ… ନିଅ କହି ମୋ ମୋବାଇଲ କୁ ବଢ଼ାଇ ଦେଲି | ବାସ କିଛି ସମୟ କଥା ପରେ ‘ ଥ୍ୟାକ୍ସ କହି ‘ ସେ ଫେରାଇଦେଲା ମୋ ମୋବାଇଲ କୁ | ମୁଁ ମୋ ବାଟରେ ଗଲି ଆଉ ସେ ବି ଚାଲିଗଲା ‘ମୋ ବସ’ ରେ | ଏମିତି କିଛି ଦିନ ବିତିଗଲା, ମୁଁ ଗୋଟେ କମ୍ପାନୀରେ ଚାକିରୀ ପାଇଗଲି | ମୋ ପ୍ରଥମ ଦିନ ଅଫିସର ରେ ସମସ୍ତେ ନୂଆ ମୋ ପାଇଁ ତେଣୁ ଟିକେ ଅଡ଼ୁଆ ଅଡ଼ୁଆ ଲାଗୁଥାଏ | ହେଲେ କିଛି ଦିନ ପରେ ସମସ୍ତଙ୍କ ସହ ପରିଚିତ ହୋଇଯାଇଥିଲି | ସମସ୍ତେ ସମସ୍ତଙ୍କ ଟିଫିନ ରୁ ଲଂଚରେ ଦିଆନିଆ ହୁଅନ୍ତି ମୁଁ ମଧ୍ୟ ସାମିଲି ହେଉଥିଲି | ଦିନେ ଜଣେ ଯୁବତୀ ଆମ ଅଫିସ କୁ ବଦଳି ହୋଇ ଆସିଥାନ୍ତି | ଫ୍ରଣ୍ଟ ଅଫିସ ରେ ବସିଥାନ୍ତି | ମୁଁ ମୋ କାମରେ ବାହାରକୁ ଯିବାକୁ ବାହାରିଛି ପଛରୁ ଡାକିଲେ , ସାର…. ସାର….. ମୋତେ ଚିହ୍ନି ପାରୁଛନ୍ତି ତ | ମୁଁ ସ୍ୱପ୍ନା | ମୁଁ କିଛି ସମୟ ଭାବିବା ଭିତରେ ସେ କହିଦେଇଥିଲା ପାର୍କ ରେ ଦେଖା ହେବା କଥା | ଆଉ ମୋର ବି ମାନେପଡିଯାଇଥିଲା | କିଛି ସମୟ କଥା ବାର୍ତ୍ତା ପରେ ମୁଁ ଆସୁଛି ..କହି ଚାଲିଯାଇଥିଲି ମୋ କାମରେ | ଆଉ ସେ ଜଏନ କରିଥିଲା ଡାଟା ଏଣ୍ଟ୍ରି ଅପରେଟର ହିସାବରେ | ତାପରେ ଗୋଟେ ଭଲ ସାଙ୍ଗ ପରି ଏଖାଠି ଲଞ୍ଚ ଖାଇବା ଆଉ ଏଖାଠି ଅଫିସ ରେ ସବୁ କାମ କରୁଥିଲୁ | ସେ ତା କାମ, ମୁଁ ମୋ କାମ | ସେ ସବୁଠୁ ଭଲ ସାଙ୍ଗ ହୋଇସାରିଥିଲା ଅଫିସରେ ମୋର | ଏମିତି କିଛିଦିନ ବିତିଗଲା | ଦିନେ ତାର ମୋର କୌଣସି ଅଫିସ କୌଣସି କାମକୁ ନେଇ ଟିକେ ମନାନ୍ତର ହୋଇଗଲା | ବାସ ତାପରେ ସେ ତା ବାଟରେ ମୁଁ ମୋ ବାଟରେ | ବହୁଥର ଭାବିଛି ସବୁଭୁଲି କଥା ହେବି | କଥା ହେବାକୁ ଚେଷ୍ଟା କରୁଥିଲି ହେଲେ ସେ ବୋଧେ ମୋ ଠୁ ଦୁରେଇବାକୁ ଚାହୁଁଥିଲା ବୋଧେ କାହିଁକି କେଜାଣି | ଅନ୍ତତଃ ମୋତେ ମୋର ଭୁଲ କହିବାର ଥିଲା ଆଉ ତାର ସମାଧାନ କରିପାରିଥାନ୍ତା | ସେ ନା କିଛି କହିଲା ମୋତେ ନା ମୋ କଥା ଶୁଣିଲା | ଦିନେ ବାହାରେ ପ୍ରବଳ ବର୍ଷା ହେଉଥାଏ | ଅଫିସରେ କେହି ଆସିନଥାନ୍ତି | ମୁଁ ଏକା ଆସି ଗାଡିରଖୁଥାଏ | ସେ ବସରୁ ଓଲ୍ହାଇ ଓଦା ହୋଇଅସୁଥାଏ | ଏହାଦେଖି ମୋ ପାଖରେ ଥିବା ଛତା ନେଇ ଆସିବା ପାଇଁ କହିଲି ହେଲେ ସେ ଜିଦିରେ ମୋ ସହ ନଆସି ଓଦା ହୋଇଆସିଲା | ବହୁତ କଷ୍ଟ ଲାଗିଲା ସେଦିନ | ଆମର ଟିକିଏ ଭୁଲବୁଝାମଣା ପାଇଁ ଆମ ସଂପର୍କ ଏପରି ଭାବେ ଭାଙ୍ଗିଦେବା | ଏଇଟା କଣ ଠିକ ହେବ | ଅନ୍ତତଃ ଗୋଟେ ସାଙ୍ଗ ପରି ବ୍ୟବହାର କରିପାରିଥାନ୍ତ | ଆମ ମନାନ୍ତରକୁ ଛଅ ମାସ ବିତିଯାଇଥାଏ | ମୁଁ ବି ସବୁଭୁଲି ମୋ କାମରେ ବ୍ୟସ୍ତ ରହୁଥାଏ | ଏମିତି ଦିନେ ମୁଁ କମ୍ପ୍ୟୁଟର ରେ କାମ କରିବା ଭିତରେ ସେ କେତବେଳେ ମୋ ପାଖରେ ଆସି ଠିଆହୋଇଛି ଜାଣିନି | ହଠାତ ମୋ ପାଖରେ ସେ କାନ୍ଦି ଉଠିଲା | କହିଲା ‘ମୋତେ ବଞ୍ଚାଅ ‘ | ମୋତେ ମୋ ଘର ଲୋକ ଅନ୍ୟତ୍ର ବାହାଘର କରିଦେବେ | ମୁଁ ଏ ବାହାଘରର ରେ ରାଜି ନୁହେଁ | ତମେ ମୋତେ ସାହାଯ୍ୟ କର ଟିକେ | ମୁଁ ପ୍ରଥମେ ପ୍ରଥମେ ମନା କରିଲେବି ସେ କିନ୍ତୁ ଗୋଟେ ଜିଦ ଧରିଲା | ନିରୁପାୟ ହୋଇ ହଁ ଭରିଲି | ସେ କହିଲା , ତୁମକୁ ଫୋନ ନମ୍ବର ଦେଉଛି ସେ ପୁଅର.. ତୁମେ ତାକୁ କହିବ ମୁଁ ତୁମକୁ ଭଲପାଉଛି ବୋଲି | ମୋର ଇଛା ନଥିଲେ ବି ସେ ତା ମୋବାଇଲରୁ କଲ ଲଗାଇ ମୋତେ ଧରାଇଦେଇଥିଲା | ଘୋଷା ଶୁଆ ପରି ଗୋଟେ ନିଶ୍ୱାସ ରେ ତା କଥା ସବୁ ସେ ପୁଅକୁ କହିଲି | ସେ ପୁଅ ବି ଶାନ୍ତ ସରଳ ଜଣାପଡୁଥିଲା ଆଉ ମୋ କଥା ଶୁଣି ରାଜିହୋଇଗଲା | ଆମ ଭବିଷ୍ୟତ ପାଇଁ ବି ଶୁଭକାମନା ଜଣାଇ ଫୋନ ରଖିସାରିଥିଲା | ସେ ମୋତେ ଥ୍ୟାକ୍ୟୁ କହି ଚାଲିଗଲା | କାହିଁକି କେଜାଣି ତାପରଠୁ ମୋର ତାପ୍ରତି ଭଲପାଇବା ବଢ଼ିସାରିଥାଏ | ମୋ ହୃଦୟରେ ତାକୁ ସ୍ଥାନ ଦେଇସାରିଥାଏ | ଆଉ ମନକୁ ବେଶୀ କଷ୍ଟ ନଦେଇ ତାକୁ ଏ ସମ୍ପର୍କରେ କହିଦେବି ବୋଲି ଭାବିଲି | ମୋ ମୋବାଇଲ ବାହାରକରି ଫୋନ ଲଗାଇବାକୁ ଚେଷ୍ଟା କଲି ହେଲେ ଫୁଣି ରଖିଦେଲି | କାଳେ ତା ମନରେ ଆଉ କିଛି ଥିବ | ହେଲେ ମନକୁ ସ୍ଥିର କରି ଫୋନ ଲଗାଇଲି | କହିଲି ପୋଖରୀପୁଟ ମଧୁସୂଦନ ଦାସ ପାର୍କରେ ସନ୍ଧ୍ୟା ବେଳେ ଦେଖାକରିବାକୁ | ସେ ହଁ.. ଭରି ଫୋନ କାଟିଦେଲା | ମୁଁ ଫୋନ ରଖି ଫ୍ରେସ ହେବାକୁ ଚାଲିଗଲି | ଠିକ ସନ୍ଧ୍ୟାରେ ମୁଁ ପହଞ୍ଚି ଗଲି ଆଉ ଅପେକ୍ଷା କରି ବସିଥାଏ | ସେ ବି ଠିକ ସମୟରେ ଆସି ପହଁଚିଲା | ଆଉ ବ୍ୟସ୍ତ ଜଣାପଡୁଥିଲା | କହିଲା ‘ କଣ କହିବାର ଅଛି କୁହ…. ମୋର ଗୋଟେ କାମ ଅଛି | ପଛରେ ଲୁଚାଇ ରଖିଥିବା ଲାଲ ଗୋଲାପ ଫୁଲକୁ ବଢ଼ାଇ ଦେଇ , ପ୍ରପୋଜ କରିଦେଲି | ହଠାତ ସେ ଫୁଲକୁ ଫୋପାଡ଼ି ଦେଇ ଚିଲେଇ ଉଠିଲା ଆଉ କହିଲା ତୁମର ସାହସ ହେଲା କିପରି ଏଭଳି କହିବାକୁ | ‘ଏଥିରେ ଅସୁବିଧା କଣ କହିଲି ? ମୁଁ କଣ ତୁମ ପାଇଁ ଯୋଗ୍ୟନୁହେଁ ନା ଖୁସିରେ ରଖିବିନି’ କହିଲି | ସେ କହିଲା ‘ତୁମେ କେବେ ମୋ ଯୋଗ୍ୟ ଥିଲ ଯେ ଆଜି ଯୋଗ୍ୟ କହୁଛ ବାକି ରହିଲା ଖୁସିର କଥା | କିଏ ଖୁସିରେ ରଖିପାରିବ ନପାରିବ ମୁଁ ଜାଣିଛି | ତୁମେ ମୋତେ ଶିଖାଇବା ଦରକାର ନାହିଁ |’ ଏତକ ଗୋଟେ ନିଶ୍ଵାସ ରେ ସେ କହି ଚାଲିଯାଇଥିଲା ତା ବାଟରେ ଆଉ ଜଣେ ଯୁବକ ସହ ବାଇକ ରେ | ସେ ଫୋପାଡ଼ି ଦେଇଥିବା ଗୋଲାପ ଫୁଲକୁ ହାତରେ ଝାଡି ଆଉଥରେ ଠିକ କରିବାକୁ ଚେଷ୍ଟାକରୁଥିଲି | ଆମର ଏସବୁ କଥା ଦୂରରୁ ଜଣେ ଯୁବତୀ ଦେଖୁଥିଲା | ଆଉ ମୋ ପାଖକୁ ଆସି ହସିଦେଇ ମୋ ହାତରୁ ଗୋଲାପ ଫୁଲକୁ ନେଇଗଲା | ଆଉ ମୋ ହାତକୁ ଟାଣିନେଇ ବେଞ୍ଚ ରେ ବସାଇଦେଲା | ଆଉ କହିଲା ଯିଏ ତୁମକୁ ବୁଝିଲାନି ସେ କାହାକୁ ବି ବୁଝିବ ନାହିଁ | ସେ ତା ପରିଚୟ ଦେଇକହିଲା, ମୁଁ ତାର ପିଲା ଦିନର ସାଙ୍ଗ | ତୁମ କଥା ଅନେକଥର ତା ପାଖରୁ ଶୁଣିଛି ଆଉ ତା ମୋବାଇଲରେ ତୁମ ଫୋଟୋ ଦେଖିଛି | ସେଦିନ ବାହାଘର ଭାଙ୍ଗିବାର କାରଣ ବି କହିଲା ସେ | ଆଉ କହିଲା, ସେ ଆଉ ଜଣେ ପୁଅକୁ ଭଲପାଉଛି | ସେ ପୁଅ ଭଲପିଲା ନୁହେଁ ତଥାପି ସେ ତାସହ ମିଶୁଛି | ମୁଁ ତାକୁ ବାରମ୍ବାର ମାନକରିବାପରେବି ସେ ମିଶୁଛି | ତୁମକୁ କହି ବାହାଘର ଭାଙ୍ଗିବାର ଉଦେଶ୍ୟ ସେ ଆଉ କିଛିଦିନ ସେ ପୁଅସହ ମଉଜମସ୍ତି କରିବ | ଏତକ ଶୁଣି ମୋ ମୁଣ୍ଡ ବୁଲାଇଦେଲା | ଶାନ୍ତ ସରଳ ଝିଅ ପୁଣି ଏମିତି ଅଛନ୍ତି | ଉପରେ ଗୋଟିଏ ରୂପ ଆଉ ଭିତରେ ଆଉ ଗୋଟିଏ ରୂପ | ତଥାପି ନିଜକୁ ବୁଝାଇ ନେଲି | ତାର ସାଙ୍ଗ ମୋ ମୋବାଇଲରୁ ତାର ନମ୍ବର ଡାଏଲ କରିଦେଇଥିଲା ଆଉ ତା ମୋବାଇଲରେ ରିଙ୍ଗଟୋନ ବାଜୁଥିଲା, ଏ ମନ ମୋ ମନ…… ଗୀତ | ଆଉ ମୁଁ ଚାଲିଆସିଲି ତାପାଖରୁ ମୋ ଗାଡିପାଖକୁ | ଆଉ ସେ ଗୋଲାପ ଫୁଲକୁ ସେମିତି ଧରି ଦେଖୁଥିଲା ହାତରେ | ଘରେ ମୁଁ ଶୋଇଥାଏ ହଠାତ ମୋ ମୋବାଇଲ ରିଙ୍ଗ ହେଲା | ଆଉ ସେପାଖରୁ ଶୁଭିଲା, ହ୍ୟାଲୋ ମୁଁ ସ୍ୱପ୍ନା କହୁଛି …… ମୋର ଭୁଲ ହୋଇଯାଇଛି | ସେଦିନ ତୁମକୁ ଏମିତି କହିବାର ନଥିଲା | ମୋତେ ମୋ ପ୍ରେମିକ ରାଜା ଧୋକାଦେଲା | ତାର ମୋ ପରି ଅନେକ ପ୍ରେମିକା ଅଛନ୍ତି ଏଭଳି | ଆଜି ଜାଣିଲି ଟିଭିରୁ | ଦେଖିଲି ତାକୁ ଗୋଟେ ଲଜରେ ଯୁବତୀ ସହ ପୋଲିସ ଧରିଛି | ସେ କୁଆଡେ ଦେହ ବ୍ୟବସାୟ ଏଜେଣ୍ଟ | ମୋ ଭଳି ଅନେକ ଯୁବତୀଙ୍କୁ ସେ ବ୍ଲାକମେଲ କରି ଏଥିରେ ସାମିଲ କରିଛି | ମୁଁ ତୁମକୁ ବହୁତ ଭଲ ପାଏ , ପ୍ଲିଜ ଆଜି ଟିକେ ଦେଖାକର | ଏଇଟା ଥିଲା ବୋଧେ ଧୋକାବାଜ ର ବୟାନ | ଏହା ଭାବି କାଟିସାରିଥିଲି ସ୍ୱପ୍ନାର କଲ | ପରେ ପରେ ମୋବାଇଲରେ ଆସିଲା ତାର ସାଙ୍ଗ ର କଲ | ଆଉ ସେପଟୁ ଶୁଭୁଥିଲା , ହ୍ୟାଲୋ କଣ କରୁଛ | ଖାଇଲଣି ଆଜି ସାଇବାବାଙ୍କ ପୂଜା ମୁଁ ଓଷା କରିଛି | ମନ୍ଦିରରକୁ ଯିବି ଟିକେ ମୋତେ ମନ୍ଦିର ଯାଏ ନେଇଯିବ | ଆଉ ମୁଁ କେତବେଳେ ହଁ ଭରିଦେଇଛି ଜଣାନାହିଁ | ଆଉ ଗୋଟେ ନୂଆଁ ଭରସା ସହ ମୁଁ ଚାଲିଗଲି ବାଥରୁମକୁ ଫ୍ରେସ ହେବାପାଇଁ |