ଧ୍ରୁବ’ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶପୋଖରିୟାଲ ‘ନିଶଙ୍କ’  

ପ୍ରଧାନମନ୍ତ୍ରୀ ଅଭିନବ ଶିକ୍ଷା  କାର୍ଯ୍ୟକ୍ରମ ଅସାଧାରଣ ପ୍ରତିଭାସମ୍ପନ୍ନ ଛାତ୍ରଛାତ୍ରୀଙ୍କ ଜୀବନର ମୋଡ଼ ବଦଳାଇଦେବ । ଏହା ମେଧାବୀ ତଥା ପ୍ରତିଭାସମ୍ପନ୍ନ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପ୍ରତିଭାର ବିକାଶ ଲାଗି ମଂଚ ଯୋଗାଇ ଦେବ । ବିଜ୍ଞାନ, କଳା, ସୃଜନଶୀଳ ରଚନା ଆଦି ନିଜ ପସନ୍ଦର କ୍ଷେତ୍ରରେ ସେମାନଙ୍କୁ ଉକ୍ରର୍ଷ ହାସଲ ଲାଗି ସହାୟତା ମିଳିପାରିବ । ଏହି ମାର୍ଗରେ ପ୍ରତିଭାସମ୍ପନ୍ନ ଛାତ୍ରଛାତ୍ରୀ ନିଜ ଭିତରେ ଥିବା ସମ୍ଭାବନାକୁ ବାସ୍ତବ ରୂପ ଦେବା ସହିତ ସାମଗ୍ରିକ ଭାବେ ସମାଜକୁ ଯୋଗଦାନ ଦେଇପାରିବେ । ଇସ୍ରୋର ଅଧ୍ୟକ୍ଷ ଡ. କେ ଶିବନ, ଭାରତର ପ୍ରଥମ ମହାକାଶଚାରୀ ୱିଙ୍ଗ କମାଣ୍ଡର ଶ୍ରୀ ରାକେଶ ଶର୍ମା, ଅଟଳ ଇନୋଭେସନ ମିଶନର ନିର୍ଦ୍ଦେଶକ ଶ୍ରୀ ଆର. ରମଣନ ଏହି ଅବସରରେ ଉପସ୍ଥିତ ଥିଲେ । ଧ୍ରୁବ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଚୟନ ହୋଇଥିବା ୬୦ଜଣ ପ୍ରତିଭାବାନ ବିଦ୍ୟାର୍ଥୀ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଛାତ୍ରଛାତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ବିଦ୍ୟାର୍ଥୀମାନେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ, ଡ. ଶିବନ ଓ ରାକେଶ ଶର୍ମାଙ୍କ ଠାରୁ ସେମାନଙ୍କ ଜୀବନ ଅନୁଭୂତି, ସଂଘର୍ଷ ଓ ସଫଳତା ବିଷୟରେ ଜାଣିବାକୁ ପାଇଥିଲେ । ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କ ଦକ୍ଷତା ଓ ଜ୍ଞାନର ବିକାଶ ଲାଗି ପ୍ରଧାନମନ୍ତ୍ରୀ ଅଭିନବ ଶିକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହା ଅନ୍ତର୍ଗତ ଦେଶର ବିଭିନ୍ନ ସ୍ଥାନରେ ଉକ୍ରର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏଠାରେ ବିଶେଷଜ୍ଞଙ୍କ ଦ୍ୱାରା ପ୍ରତିଭାବାନ ଛାତ୍ରଛାତ୍ରୀଙ୍କର ମାର୍ଗଦର୍ଶନ କରାଯାଇ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ପୂର୍ଣ୍ଣ ସମ୍ଭାବନାକୁ ବିକଶିତ କରିବାରେ ସହାୟତା ଯୋଗାଇ ଦିଆଯିବ । ଏହି କାର୍ଯ୍ୟକ୍ରମ ଦ୍ୱାରା ପ୍ରତିଭାସମ୍ପନ୍ନ ଛାତ୍ରଛାତ୍ରୀ ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବା ସହିତ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବେ ବୋଲି ଆଶା କରାଯାଉଛି । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ନିଶଙ୍କ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନା ଆଧାରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ଏବଂ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କ ଗହଣରେ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯିବା ନେଇ ସେ ଖୁସି ପ୍ରକଟ କରିଛନ୍ତି । କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ଶ୍ରୀ ନିଶଙ୍କ କହିଥିଲେ ଯେ ଆମେ କଳା ଓ ବିଜ୍ଞାନ କ୍ଷେତ୍ରର ଛାତ୍ରଛାତ୍ରୀଙ୍କୁ ଏକତ୍ର ଏହି କାର୍ଯ୍ୟକ୍ରମରେ ସାମିଲ କରିଛୁ । ସାରା ଦେଶରୁ ଛାତ୍ରଛାତ୍ରୀଙ୍କୁ ଏଥିରେ ସାମିଲ କରାଯାଇଥିବାରୁ ଏହା ଏକ ଭାରତ ଶ୍ରେଷ୍ଠ ଭାରତ ଭାବନାକୁ ପ୍ରତିଫଳିତ କରୁଛି ବୋଲି ସେ କହିଥିଲେ । କେନ୍ଦ୍ରମନ୍ତ୍ରୀ ଆହୁରି କହିଥିଲେ ଯେ ଏହି ଧ୍ରୁବ କାର୍ଯ୍ୟକ୍ରମ ଜରିଆରେ ବିଦ୍ୟାର୍ଥୀ ପ୍ରତିଭାର ବିକାଶ ଲାଗି ସୁଯୋଗ ପାଇବା ସହିତ ନିଜ ନିଜ କ୍ଷେତ୍ରରେ ଶ୍ରେଷ୍ଠ ଉଦ୍ଭାବକ ହୋଇପାରିବେ । କାର୍ଯ୍ୟକ୍ରମର ସଫଳତା ଦ୍ୱାରା ସାରା ଦେଶର ୩୩ କୋଟି ଛାତ୍ରଛାତ୍ରୀ ଅନୁପ୍ରାଣିତ ହୋଇପାରିବେ । ଧ୍ରୁବ କାର୍ଯ୍ୟକ୍ରମର ପ୍ରଥମ ବ୍ୟାଚରେ ୬୦ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଦୁଇଟି କ୍ଷେତ୍ର କଳା ଏବଂ ବିଜ୍ଞାନ ଲାଗି ୩୦ ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ବଛାଯାଇଛି । ସାରା ଦେଶରେ ଥିବା ବିଭିନ୍ନ ଘରୋଇ ଏବଂ ସରକାରୀ ସ୍କୁଲର ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀଙ୍କୁ ଏଥିରେ ସାମିଲ କରାଯାଇଛି । ଆଜି କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଏହି ଛାତ୍ରଛାତ୍ରୀଙ୍କ ଲାଗି ଏକ ୧୪ ଦିନିଆ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପ୍ରତ୍ୟେକ କ୍ଷେତ୍ରର ୩୦ ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ନେଇ ୧୦ ଜଣିଆ ତିନିଟି ଲେଖାଏଁ ଗ୍ରୁପ ଗଠନ କରାଯାଇଥିଲା । ବିଜ୍ଞାନ ବିଷୟର ଛାତ୍ରଛାତ୍ରୀ ଜଣେ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ପ୍ରକଳ୍ପ ପ୍ରଦର୍ଶନ କରିବେ । ସେହିପରି କଳା କ୍ଷେତ୍ରର ଛାତ୍ରଛାତ୍ରୀ ସଂସ୍କୃତି ବିଶେଷଜ୍ଞଙ୍କ ମାର୍ଗଦର୍ଶନରେ କାର୍ଯ୍ୟକ୍ରମ ପରିବେଷଣ କରିବେ । ଦୁଇଟି କ୍ଷେତ୍ରର ୬ଟି ଟିମକୁ ବିଭିନ୍ନ ବୈଶ୍ୱିକ ପ୍ରସଙ୍ଗ ଯଥା ଜଳବାୟୁ ପରିବର୍ତନ, ପ୍ରଦୂଷଣ, ଆତଙ୍କବାଦ ଆଦି ବିଷୟବସ୍ତୁ ଉପରେ ପ୍ରତିଭା ପ୍ରଦର୍ଶନର ସୁଯୋଗ ଦିଆଯିବ । ଏହି ଛାତ୍ରଛାତ୍ରୀ ୧୪ରୁ ୨୩ ଅକ୍ଟୋବର ପର୍ଯ୍ୟନ୍ତ ଦିଲ୍ଲୀ ଆଇଆଇଟି ଏବଂ ଜାତୀୟ ବାଲ ଭବନ ଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଅକ୍ଟୋବର ୨୩ ତାରିଖରେ ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ୬ଟି ଗ୍ରୁପ ଉପରୋକ୍ତ ବିଷୟବସ୍ତୁ ଉପରେ ସେମାନଙ୍କ ପ୍ରକଳ୍ପ/କଳା ପ୍ରଦର୍ଶନ କରିବେ । ପରବର୍ତୀ ସମୟରେ ଅନ୍ୟାନ୍ୟ କ୍ଷେତ୍ରରେ ଏହି କାର୍ଯ୍ୟକ୍ରମକୁ ସମ୍ପ୍ରସାରିତ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ