ନଦୀପାର ବେଳେ ହଠାତ୍ ଜଳସ୍ରୋତ ବଢି ମହେନ୍ଦ୍ରତନୟା ନଦୀରେ ଜଣେ ବ୍ୟକ୍ତି ନିଖୋଜ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ମହେନ୍ଦ୍ରତନୟା ନଦୀ ପାର ହେଉଥିବା ବେଳେ ହଠାତ୍ ନଦୀରେ ଅତ୍ୟଧିକ ଜଳ ସ୍ରୋତ ଆସିଯିବା ଯୋଗୁଁ ଗତକାଲି ସନ୍ଧ୍ୟା ସମୟରୁ ଜଣେ ବ୍ୟକ୍ତି ନଦୀରେ ଭାସି ନିଖୋଜ ଅଛନ୍ତି । ଗତକାଲି ବର୍ଷା ଓ ଅନ୍ଧାର ଯୋଗୁଁ ସନ୍ଧାନ କାର୍ଯ୍ୟକ୍ରମ ହୋଇପାରି ନ ଥିଲା । ଆଜି ସୋମବାର ସକାଳୁ ପାରଳା ତହସିଲଦାର ଅଚ୍ୟୁତା ନନ୍ଦ ଜାନି,ଗୁରାଣ୍ଡି ଥାନା ଅଧିକାରିଣୀ ମମତା ପଣ୍ଡାଙ୍କ ଉପସ୍ଥିତିରେ ଦମକଳ ବାହିନୀ ମହେନ୍ଦ୍ରତନୟା ନଦୀରେ ନିଖୋଜ ବ୍ୟକ୍ତିଙ୍କ ସଂଧାନ ଆରମ୍ଭ କରିଛନ୍ତି । ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ଦେଲା ରାମୁ (୩୫) ତାଙ୍କ ଘର ସୁବଲଡା ଗ୍ରାମରେ ଅଟେ । ଦମକଳ ବାହିନୀ ଦୀର୍ଘ ଘଣ୍ଟା ଧରି ମହେନ୍ଦ୍ରତନୟା ନଦୀରେ ସଂଧାନ ଚଳାଇ ଥିଲେ ମଧ୍ୟ ଖବର ଲେଖିବା ସୁଦ୍ଧା ନିଖୋଜ ବ୍ୟକ୍ତିଙ୍କ କୌଣସୀ ସଂଧାନ ମିଳିପାରିନାହିଁ । ଲଗାତର ବର୍ଷା ଯୋଗୁଁ ମହେନ୍ଦ୍ରତନୟା ନଦୀରେ ଜଳସ୍ରୋତ ବଢିଥିବା ଯୋଗୁଁ ନିଖୋଜ ବ୍ୟକ୍ତିଙ୍କ ସଂଧାନ ମିଳିପାରୁ ନ ଥିବା କୁହାଯାଇଛି ।