ନବକୃଷ୍ଣ ଚୌଧୁରୀ ଙ୍କ ଜୟନ୍ତୀରେ ସଂପୂର୍ଣ୍ଣ ମଦମୁକ୍ତ ଓଡିଶା ଦାବୀରେ ନବୀନ ନିବାସ ନିକଟରେ ବିକ୍ଷୋଭ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଯିବା ସମୟରେ ଶିଶୁଭବନ ଛକରେ ପୋଲିସ ଦ୍ୱାରା ଶହ ଶହ ସଂଖ୍ୟାରେ ମଦବିରୋଧୀ ଆନ୍ଦୋଳନକାରୀ ଗିରଫ । ନବବାବୁଙ୍କ ଜନ୍ମଦିନରେ ପ୍ରତିମୂର୍ତିରେ ଫୁଲମାଳ ଚଢାଉଥିବା ମୁଖ୍ୟମନ୍ତ୍ରୀଙ୍କର ମଦବିରୋଧୀ ମାନଙ୍କ ଦାବୀ ନ ଶୁଣିବା ତାଙ୍କ ପ୍ରତି ଚରମ ଅବହେଳା ନୁହେଁକି! ଅନନ୍ୟ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓଡିଶାର ରାଜନୀତିକ ଜୀବନରେ ଯେଉଁ ଅଲିଭା ଛାପ ରଖିଯାଇଛନ୍ତି ତାହା ଏ ଜାତିର ଅମୂଲ୍ୟ ସଂପଦ ହୋଇରହିବ । ଓଡିଶା ସରକାର ଅନ୍ୟାନ୍ୟ ମହାନ ଜନନାୟକଙ୍କ ଭଳି ତାଙ୍କ ଜନ୍ମଦିନ ୨୩ ନଭେମ୍ବରକୁ ପାଳନ କରୁଛନ୍ତି ଓ ସେଦିନ ତାଙ୍କର ଅସଂଖ୍ୟ ଗୁଣଗାନ କରାଯାଇଥାଏ । ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳ ପରେ ପରେ ତାଙ୍କ ଆଦର୍ଶ କାର୍ଯ୍ୟାବଳୀକୁ ଭଣ୍ଡୁର କରିବା ଆରମ୍ଭ ହୋଇଥିଲା ଓ ଏବେ ବି ଚାଲିଛି । ତାଙ୍କ ସମୟରେ ପାରିତ ହୋଇଥିବା ୧୯୫୬- ଓଡିଶା ସମ୍ପୂର୍ଣ୍ଣ ନିଶାନିବାରଣ ଆଇନ୍ କୁ ପରବର୍ତୀ କାଳରେ କେହି କାର୍ଯ୍ୟକାରୀ କଲେନାହିଁ । ଅନ୍ୟପକ୍ଷରେ ନବୀନବାବୁଙ୍କ ୨୦ ବର୍ଷ ଶାସନ ମଧ୍ୟରେ ମଦର ପ୍ରସାର ୧୦ ଗୁଣ ବଢିଛି । ସେଇଥିରେ ସନ୍ତୁଷ୍ଟି ହୋଇ ୨୦୧୭ ମସିହାରୁ ଉକ୍ତ ଆଇନର ଅଧିନିୟମରେ ଓଡିଶାକୁ ମଦରେ ଭସାଇବା ଉଦ୍ଦେଶ୍ୟରେ ପର୍ବ, ପର୍ବାଣୀ, ଉତ୍ସବ ଓ ସମାବେଶ ମାନଙ୍କରେ ଅସ୍ଥାୟୀ ମଦଦୋକାନ ଖୋଲିବାକୁ ଲାଇସେନସ ଦିଆଯିବାଲାଗି ବ୍ୟବସ୍ଥା ହୋଇଛି । ଏକ ଜାତିକୁ ଧ୍ୱଂସ କରିଦେବା ଲାଗି ଏହା ଏକ ଘୃଣ୍ୟ ପଦକ୍ଷେପ । ତାଙ୍କର ଏଭଳି କାର୍ଯ୍ୟର ପ୍ରତିବାଦରେ ମିଳିତ ଓଡିଶା ନିଶାନିବାରଣ ଅଭିଯାନ (ମୋନା) ତରଫରୁ ନଭେମ୍ବର ୨୩ ତାରିଖ ନବକଷ୍ଣ ଚୌଧୁରୀଙ୍କ ପବିତ୍ର ଜନ୍ମତିଥୀରେ ଦିନ ୧୦ଟା ସମୟରେ ଲୋୟର ପି.ଏମ.ଜି. ଠାରେ ଓଡିଶାର ୨୦ଟି ଜିଲ୍ଲାରୁ ମିଳିତ ଓଡିଶା ନିଶାନିବାରଣ ଅଭିଯାନର ପ୍ରାୟ ୧୦୦୦ ରୁ ଅଧିକ ସଂଖ୍ୟକ ମଦବିରୋଧୀ ମହିଳା ନେତ୍ରୀ ଓ ସମାଜସେବୀ ମାନେ ଏକତ୍ରିତ ହୋଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଆଲୋଚନା କରିବା ପାଇଁ ପୂର୍ବରୁ ଲିଖିତ ସୂଚନା ଦିଆଯାଇଥିଲା ଏବଂ ବାରମ୍ବାର ପୋଲିସ କର୍ତୁପକ୍ଷଙ୍କ ସହ ଆଲୋଚନା ହେବାପରେ ମଧ୍ୟ ସମ୍ଭବ ନ ହେବାରୁ ସମବେତ ମୋନାର ସମସ୍ତ କର୍ମକର୍ତା ଓ ମହିଳା ଗୋଷ୍ଠୀ ନବୀନ ନିବାସ ଅଭିମୁଖେ ଯାଇ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଏକ ବିରାଟ ଶୋଭାଯାତ୍ରାରେ ବାହାରିଥିଲେ । ଶିଶୁଭବନ ଛକରେ ବିକ୍ଷୋଭ ଶୋଭାଯାତ୍ରାକୁ ବହୁସଂଖ୍ୟାରେ ପୋଲିସ ବାହିନୀ ଅଟକାଇବାରୁ ସେମାନଙ୍କ ସହ ବେଶ୍ କିଛି ସମୟ ଧସ୍ତାଧସ୍ତି ହୋଇଥିଲା ଏବଂ ପରେ ପରେ ‘ମୋନା’ର ଶହ ଶହ ଆନ୍ଦୋଳନକାରୀଙ୍କୁ ପୋଲିସ ଗିରଫ କରି ଜୟଦେବ ବିହାରସ୍ଥିତ ରିଜର୍ଭ ପୋଲିସ ପରିସରରେ ଅଟକ ରଖି ସନ୍ଧ୍ୟାରେ ଛାଡି ଦିଆଯାଇଥିଲା । ଆଗାମୀ ଦିନରେ ମଦବିରୋଧୀ ଆନ୍ଦୋଳନକୁ ତୃଣମୂଳ ସ୍ତରରେ ବ୍ୟାପକ କରାଯାଇ ସରକାରଙ୍କ ଓଡିଶାର ଜନବିରୋଧୀ ମଦନୀତିକୁ ପ୍ରତ୍ୟାହାର କରିବାକୁ ବାଧ୍ୟ କରାଯିବା ପାଇଁ ‘ମୋନା’ ତରଫରୁ ସଂକଳ୍ପ ନିଆଗଲା ।
ଏହି ଗଣଆନ୍ଦୋଳନରେ ‘ମୋନା’ର ସର୍ବଶ୍ରୀ ପଦ୍ମଚରଣ ନାୟକ, ରମାକାନ୍ତ ମଣ୍ଡଳ, ବିଜୟ ସ୍ୱାଇଁ, ଅପର୍ଣ୍ଣା ନାୟକ, ବାଣୀ ଦାସ, ମଳୟ ତ୍ରିପାଠୀ, କାହ୍ନୁଚରଣ ବେହୁରା, ଖଗେଶ୍ୱର ବଳ, ପ୍ରିତୀ ନାୟକ,ଇନ୍ଦୁମତୀ ସାହୁ, ପ୍ରିୟନାଥ ଆଚାର୍ଯ୍ୟ, ଉର୍ବଶୀ ନାୟକ,ଅର୍ଜ୍ଜୁନ ସାମନ୍ତରାୟ, ଚନ୍ଦ୍ରଗୁପ୍ତ ଲେଙ୍କା, ପିତାମ୍ବର ଭୂୟାଁ, ବୀରକିଶୋର ବେହେରା, କୁଳମଣି ଶୁକ୍ଳ, ସୁନାକର ବରାଳ, କାଂଚନବାଳା ସ୍ୱାଇଁ, ମନମୋହନ ମିଶ୍ର, ତପସ୍ୱିନୀ କର, ସର୍ବେଶ୍ୱର ବାରିକ, ଚନ୍ଦ୍ରମଣୀ ଦେହୁରୀ, ପ୍ରଶାନ୍ତ ବେହୁରା, କାଂଚନବାଳା ଯତି, ବନ୍ଦିତା ଦାସ,ସୋ÷ମ୍ୟରଂଜନ ମହାନ୍ତି, ଲଲାଟେନ୍ଦୁ ପାତ୍ର, ନରେନ୍ଦ୍ର ବେହେରା, କେଦାରନାଥ ସାହୁ ରାଜେଶ କର, ଗଣେଷ ପରିଡା, ନୃସିଂହ ନାୟ. କନକ ଭଞ୍ଜ ପ୍ରମୁଖ ନେତୃତ୍ୱ ନେଇଥିଲେ