ନବଗ୍ରହ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
କୋଣାର୍କ (ଜୁଗାବ୍ଦ ନ୍ୟୁଜ୍): ବୈଶାଖ ମାସ ପ୍ରଥମ ଶନିବାର ସୂର୍ଯ୍ୟମନ୍ଦିର ବେଢା ନିକଟସ୍ଥ ନବଗ୍ରହ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ପ୍ରତ୍ୟୁଷରୁ ବିଭିନ୍ନ ସ୍ଥାନରୁ ଆସିଥିବା ଶ୍ରଦ୍ଧାଳୁ ଗ୍ରହପୀଡ଼ାରୁ ମୁକ୍ତି ନିମନ୍ତେ ପୂଜାର୍ଚ୍ଚନା ଓ ହୋମଯଜ୍ଞ କରିଥିଲେ । ଶ୍ରଦ୍ଧାଳୁମାନେ ଏହି ପୀଠରେ ଶାରୀରିକ ଅକ୍ଷମ ଓ ଦୂରାରୋଗ୍ୟ ବ୍ୟାଧିରୁ ମୁକ୍ତି ନିମନ୍ତେ ଶିଶୁଙ୍କୁ ବାଲିରେ ପୋତି ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଥିଲା । ପିଲାମାନଙ୍କ ପାଇଁ ମାନସିକ ରଖି ନବଗ୍ରହ ପୀଠରେ ଶିଶୁମାନଙ୍କୁୁ ବାଲିରେ ଅଣ୍ଟା ପର୍ଯ୍ୟନ୍ତ ପୋତିଲେ ପୋଲିଓ, ବାତ ରୋଗ ଆଦି ଭଲ ହୋଇଥାଏ ବୋଲି ବିଶ୍ୱାସ ରହିଛି । ପୀଠ ପରିସରରେ ଅସ୍ଥାୟୀ ଦୋକାନରୁ ମହିଳାମାନେ ଘର କରଣା ଜିନିଷ କିଣୁଥିବା ଦେଖିବାକୁ ମିଳିଥିଲା ।