ନବଜାତ ଶିଶୁପୁତ୍ରର ମୃତ୍ୟୁ
ନିରାକାରପୁର (ଜୁଗାବ୍ଦ ନ୍ୟୁଜ୍): ଶିଶୁ ମୃତ୍ୟୁହାର କମାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ନେଉଥିବାବେଳେ ସ୍ୱାସ୍ଥ୍ୟ ବିଭାଗର ଖାମଖିଆଲ ନୀତି ଯୋଗୁ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ମଞ୍ଜାରିଆପାଟଣାର ଜଣେ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପ୍ରକାଶ ଯେ, ଗତମାସ ୧୫ ତାରିଖରେ ମଞ୍ଚାରିଆପାଟଣା ଜାଗେଶ୍ୱର କାଣ୍ଡିଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ । ସେହି ଦିନରୁ ଶିଶୁପୁତ୍ରର ଓଜନ କମ୍ ସହିତ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା । ଶିଶୁର ଚିକିତ୍ସା ପାଇଁ ପରିବାର ଲୋକେ ଆଶାର ସହାୟତା ଲୋଡ଼ିଥିଲେ ବି ସେ କୌଣସି ସହଯୋଗ କରିନଥିବା ଅଭିଯୋଗରୁ ଜଣାପଡ଼ୁଛି । ପ୍ରସବ ପୂର୍ବରୁ ଗ୍ରାମକଳିକୁ ନେଇ ଆଶା କର୍ମୀ ଲକ୍ଷ୍ମୀପ୍ରିୟାର ଦେଖାଶୁଣା କରିବାରେ ଅବହେଳା କରୁଥିବା ମଧ୍ୟ ମୁଖ୍ୟଚିକିତ୍ସାଧିକାରୀଙ୍କୁ ଲିଖିତ ଜଣାଇଥିଲେ । କିନ୍ତୁ ସେମାନେ ଏହାକୁ ଗୁରୁତ୍ୱ ଦେଇଥିଲେ ଏଭଳି ଘଟଣା ଘଟିନଥାନ୍ତା ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ । ଆଜି ଭୋରୁ ଶିଶୁ ଅବସ୍ଥା ଗୁରୁତର ହେବାରୁ ଆମ୍ବୁଲାନ୍ସରେ ଆଶା ଦିଦିଙ୍କ ସହ ଖୋର୍ଦ୍ଧା ଓ ଭୁବନେଶ୍ୱର ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ । ଆଜି ସକାଳ ୧୦ରୁ ଉତ୍ତ୍ୟକ୍ତ ଗ୍ରାମବାସୀ ମୃତ ଶିଶୁପୁତ୍ରକୁ ଧରି ନିରାକାରପୁର ଡାକ୍ତରଖାନା ପରିସରରେ ଥିବା ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଘର ଆଗରେ ଧାରଣା ଦେବାସହ ସ୍ୱାସ୍ଥ୍ୟକର୍ମୀଙ୍କୁ ଚାବି ପକାଇ ରଖିଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅପରାହ୍ନ ୪ଟାରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଉଦ୍ଧାର କରିଥିଲେ । ଉତ୍ତ୍ୟକ୍ତ ଲୋକଙ୍କ ଦାବି ସଂପର୍କରେ ଆଲୋଚନା କରିବାକୁ ଘଟଣାସ୍ଥଳକୁ ଖୋର୍ଦ୍ଧା ସିଡିଏମ ବିଜୟ କୁମାର ମହାପାତ୍ର, ଏଡିଏମ ଦ୍ୱାରିକାନାଥ ଶତପଥୀ, ଟାଙ୍ଗୀ ଚିକିତ୍ସାଧିକାରୀ ଜିତେନ୍ଦ୍ର କୁମାର ସାହୁ ଓ ଟାଙ୍ଗୀ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଝୁମାରାଣୀ ଚକ୍ରବର୍ତ୍ତୀ ଓ ତହସିଲଦାର ସୁନାଶିର କିଷାନ , ନିରାକାରପୁର ଆଇଆଇସି ଭବାନୀ ଶଙ୍କର ଖୁଣ୍ଟିଆ ପ୍ରମୁଖ ଆସି ଲୋକଙ୍କୁ ବୁଝାସୁଝା କରି ରେଡକ୍ରସ ପକ୍ଷରୁ ୧୦ ହଜାର ଟଙ୍କା ଦେବା ସହ ସ୍ୱାସ୍ଥ୍ୟକର୍ମୀଙ୍କୁ ବଦଳି ଓ ତଦନ୍ତ କରି ୩ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଉକ୍ତ ଆଶାକର୍ମୀ କଲ୍ୟାଣୀ ପ୍ରଧାନ କହିଛନ୍ତି ସେ ନିଜର କର୍ତ୍ତବ୍ୟ ଠିକରୂପେ କରିଛନ୍ତି ଏବଂ ଏହା ଉଦ୍ଦେଶ୍ୟମୂଳକ ଭାବେ କରାଯାଉଛି ବୋଲି ମତ ଦେଇଥିଲେ । ଏହି ସମୟରେ ଉତ୍ୟକ୍ତ ଲୋକେମାନେ ଡାକ୍ତରଖାନାରେ ଡାକ୍ତର ଦିନ ୧୨ଟା ପରେ ରହୁ ନଥିବା ଓ ପ୍ରତ୍ୟେକ ରବିବାର ଡାକ୍ତରଖାନା ବନ୍ଦ ରହୁଥିବା ଅଭିଯୋଗ କରିଥିଲେ । ଏହାର ରୋଗୀ ହଇରାଣ ହରକତ ହେବା ଯୋଗୁଁ ରବିବାର ସକାଳ ୯ଟାରେ ଚାରିଛକ ବଜାପ୍ରତିକାର କରିବାକୁ ସିଡିଏମ ପ୍ରତିଶ୍ରୁତି ଦେଇଥିଲେ ।