ନବରଙ୍ଗପୁର ଗ୍ରାମରେ ଉନ୍ନୟନ କାମକୁ ନେଇ ଛକାପଞ୍ଝା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଆଙ୍କୋରଡା ପଞ୍ଚାୟତ ଅନ୍ତର୍ଗତ ନବରଙ୍ଗପୁର ଗ୍ରାମ ରେ ଉନ୍ନୟନ କାମ କୁ ନେଇ ପୁଣି ଛକାପଞ୍ଝା ଆରମ୍ଭ ହୋଇଯାଇଛି। ଶୁକ୍ରବାର ଦିଗପହଣ୍ଡି ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ, ଦିଗପହଣ୍ଡି ଏନ୍ ଏ ସି ର ପୂର୍ବତନ ଅଧ୍ୟକ୍ଷ ଉଦୟନାଥ ସ୍ୱାଇଁ,ପୂର୍ବତନ ସରପଞ୍ଚ କେ.ହରିବନ୍ଧୁ ରେଡ୍ଡୀ, ଉଷାନ୍ତ ସାହୁ ଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ଗ୍ରାମବାସୀ ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚି ବିଡ଼ିଓ ହଳଧର ଶବର ଙ୍କୁ ସାକ୍ଷାତ କରି ଉନ୍ନୟନ କାର୍ଯ୍ୟ କୁ ବନ୍ଦ କରିବା ନିମନ୍ତେ ଦାବି କରିଥିଲେ। ଉନ୍ନୟନ କାମକୁ ନେଇ ଗାଁ  ଅଶାନ୍ତ ହୋଇ ଉଠିଛି। ଗ୍ରାମର ଗୌଡବନ୍ଧ ସୌନ୍ଦର୍ଯ୍ଯକରଣ ଓ ଅନ୍ୟ କେତେକ ଠିକା କାମକୁ ନେଇ ଗତ ୨୦୨୨ ମେ ୨୯ ସନ୍ଧ୍ୟାରେ ଗୋଷ୍ଠି ବିବାଦରୁ ୨ ଜଣ  ବିଜେଡି କର୍ମୀଙ୍କୁ ହତ୍ୟା କରାଯାଇଥିଲା।ଠିକା କାମ ତଦାରଖ କରୁଥିବା ବାବୁ ଗୌଡ ଏବଂ ପ୍ରଦୀପ ସାହୁଙ୍କ ଛୁରା ମାଡ଼ ରେ ମୃତ୍ୟୁ ପରେ ଗ୍ରାମରେ ଶାନ୍ତି ନଫେରିବା ଯାଏଁ ଗ୍ରାମରେ କୌଣସି ଉନ୍ନୟନ କାମ ନକରିବାକୁ ଗ୍ରାମବାସୀ ନିଷ୍ପତ୍ତି ନେଇଥିଲେ।ଏପରିକି ମୃତ ବାବୁ ଗୌଡଙ୍କ ପରିବାର ଅତି ଦୁଃଖରେ ଚଳୁଥିବା ବେଳେ ଠିକା କାମ ବାବଦ କୁ ତାଙ୍କ ନାମରେ ଲକ୍ଷାଧିକ ଟଙ୍କା ବ୍ଲକ କାର୍ଯ୍ଯାଳୟରେ ପଡିରହିଥିବା କୁହାଯାଇଛି। ଠିକା କାମକୁ ନେଇ ଡବଲ ମର୍ଡର ର କ୍ଷତ ଶୁଖି ନଥିବା ବେଳେ ଏଭଳି ସ୍ଥିତିରେ ନବ ନିର୍ବାଚିତ ସରପଞ୍ଚଙ୍କ ନେତୃତ୍ୱରେ ପୁଣି ସେହି ଗ୍ରାମର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଆରମ୍ଭ କରାଯିବାକୁ ନେଇ ଛକାପଞ୍ଝା ପରିସ୍ଥିତି ସୃଷ୍ଟି ହୋଇଛି।ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରି ଗୁରୁବାର କାମ ବନ୍ଦ ମଧ୍ୟ କରି ଦେଇଥିଲେ।ଉନ୍ନୟନ କାମ ବନ୍ଦ କରାଯିବା ପରେ ଏ ନେଇ ଥାନାରେ ଅଭିଯୋଗ ହେବା ପରେ ଦିଗପହଣ୍ଡି ଥାନା  ଆଇଆଇସି ଦିପ୍ତୀରଞ୍ଜନ ବେହେରା କିଛି ଗ୍ରାମବାସୀଙ୍କୁ ଥାନାକୁ ଡକାଇଥିଲେ ।ଫଳରେ ଶୁକ୍ରବାର  ଶତାଧିକ ମହିଳା ପୁରୁଷ ଥାନା ରେ ଆସି ହାଜର ହୋଇଥିଲେ।କିନ୍ତୁ ଆଇଆଇସିଙ୍କୁ ଦେଖା କରିନପାରି ସେମାନେ ବ୍ଲକ କାର୍ଯ୍ଯାଳୟରେ ପଶି ବିଡିଓ ହଳଧର ଶବରଙ୍କୁ ଘେରି ଯାଇଥିଲେ। ଗ୍ରାମରେ ୨ ଜଣଙ୍କୁ ହତ୍ୟା ଘଟଣା ପରେ ଗ୍ରାମରେ ବର୍ତ୍ତମାନ ସୁଦ୍ଧା ଅଶାନ୍ତି ରହିଥିଲେ ମଧ୍ୟ ଗ୍ରାମବାସୀଙ୍କ ସାମୁହିକ ନିଷ୍ପତ୍ତି ବିରୁଦ୍ଧରେ ଉନ୍ନୟନ କାମ କିଭଳି ଆରମ୍ଭ କରାଗଲା ବୋଲି ପ୍ରଶ୍ନ କରିଥିଲେ।ଶତାଧିକ ମହିଳା ପୁରୁଷଙ୍କ ବିଭିନ୍ନ ପ୍ରଶ୍ନ ବାଣରେ ନିରୂପାୟ ବିଡ଼ିଓ ଶେଷରେ ସାମୟିକ ଭାବେ କାମ ବନ୍ଦ ରଖାଯିବାକୁ କହିବା ପରେ ଉତ୍ତେଜିତ ଗ୍ରାମବାସୀ ଗାଁ କୁ ଫେରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ