ନବୀନ ସରକାର ଋଣକରି ଘିଅ ପିଉଛନ୍ତି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦୀର୍ଘ ୨୨ ବର୍ଷ ଧରି \”ବିଜୁବାବୁଙ୍କ ଅଧୁରା ସ୍ୱପ୍ନ’ ପୂରଣ କରିବାରେ ଲାଗିପଡ଼ିଥିବା ନବୀନ ସରକାରଙ୍କର ଋଣ ବୋଝ ଦିନକୁ ଦନ ସତର୍କଘଣ୍ଟି ବଜାଇ ବଢ଼ିଚାଲିଛି ବୋଲି ଢ଼େଙ୍କାନାଳ ନଗର ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ଶିଳ୍ପିଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି । ବିକାଶ ଆଳରେ ନବୀନବାବୁ ଓଡ଼ିଶାକୁ ଋଣଯନ୍ତା ଭିତରକୁ ଠେଲି ଦେଇଛନ୍ତି । କଥାରେ ଅଛିି \”ଋଣଂକୃତ୍ୱା ଘୃତଂପିବେତ’ । ଅର୍ଥାତ ନବୀନ ସରକାର ଋଣକରି ଘିଅ ପିଉଛନ୍ତି । ବିକାଶମୂଳକ କାମପାଇଁ ନବୀନ ସରକାର ଯେଉଁ ଋଣ କରୁଛନ୍ତି ତାହାର ଅଧାଭାଗ ପିସିରେ ପାଳାଉଛି । ଶାସକଦଳର ବିଧାୟକ, ମନ୍ତ୍ରୀ, ନେତା, କର୍ମୀ ଓ ବିଶେଷକରି ତାଙ୍କର ଅନୁଗତ ଅମଲାଙ୍କ ପକେଟ ନାଲି ପଡ଼ିଯାଉଛି । ହେଲେ ଆମ ରାଜ୍ୟ ଋଣ ବୋଝରେ ବୁଡ଼ିଯାଉଛି । ୧୯୪୭ ମସିହା ପରଠାରୁ ୧୯୯୯-୨୦୦୦ ମସିହା ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କର ଋଣବୋଝ ଥିଲା ମାତ୍ର ୧୮,୯୦୦ କୋଟି ଟଙ୍କା । ଅର୍ଥାତ ୫୦ ବର୍ଷର ଶାସନରେ ଓଡ଼ିଶାର ଋଣଭାର ୧୮,୯୦୦ ଟଙ୍କା ଥିବାବେଳେ, ୨୦୦୦ ମସିହା ପରଠାରୁ ଯେବେଠୁ ନବୀନ ସରକାର ଆସିଲା ଋଣବୋଝ ହୁହୁ ହୋଇ ବଢ଼ିଚାଲିଲା । ନବୀନ ସରକାରଙ୍କର ୨୨ ବର୍ଷରେ ଋଣବୋଝ ଏବେ ୯୭, ୨୦୫ କୋଟି ଟଙ୍କା । ଏବେ ମୁଣ୍ଡପିଛା ଋଣବୋଝ ୨୨,୪୨ ଟଙ୍କା ଥିବାବେଳେ ୨୦୦୦ ମସିହାରେ ତାହା ମାତ୍ର ୬,୯୦୦ ଟଙ୍କା ଥିଲା । ଆଗାମୀ ଆର୍ଥିକ ବର୍ଷରେ ରାଜ୍ୟ ସରକାର ପୁଣି ୨୫,୫୮୯ କୋଟି ଟଙ୍କା ଋଣ କରିବାର ଯୋଜନା ରଖିଛନ୍ତି ।ଏଠି ବିକାଶ କ\’ଣ ହୋଇଛି । ଭୁବନେଶ୍ୱରସ୍ଥିତ ବମିଖାଲ ବ୍ରିଜ ୩ ଥର ଭୁଷୁଡ଼ି ପଡ଼ିବା, ରାଜ୍ୟରେ ଯେଉଁ ସବୁ ରାସ୍ତାକାମ ଚାଲିଛି ୪ମାସ ଭିତରେ ଗୋଡ଼ି ଉଠିଯିବା, ପିଚୁ ଛେଲା ଛେଲା ହୋଇ ଛାଡ଼ିବା, ସରକାରୀ କୋଠା ନିର୍ମାଣର ୬ମାସ ଭିତରେ ଛେଲା ଛେଲା ହୋଇ ଛାଡ଼ିବା ଘଟଣା ରାଜ୍ୟ ସାରା ପରିଦୃଷ୍ଟ ହେଉଛି । ଏ ରାଜ୍ୟରେ ପିସି କାରବାର ଭୟଙ୍କର ଭାବରେ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଜଣାଥିଲେ ମଧ୍ୟ ସେ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଯାହାଦ୍ୱାରା ସରକାରୀ ଯୋଜନାର କାର୍ଯ୍ୟସବୁ ଅତି ନିମ୍ନମାନର ହେଉଛି । ଏଠି ଶହ ଶହ ନଗଡ଼ା ଓ ଡୁମୁଡୁମାହା ରହିଛି । ଯେଉଁଠି ବିକାଶ ଆଦୌ ପହଞ୍ôଚପାରି ନାହିଁ । ସ୍ୱାସ୍ଥ୍ୟସେବା ଅଭାବରୁ ରୋଗୀ ଭାରରେ ଡାକ୍ତରଖାନା ଯାଉଛି । ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ସ୍କୁଲରେ ଶିକ୍ଷକ ନାହାନ୍ତି । ଭୁବନେଶ୍ୱର ମହାନଗର ଠାରୁ ମାଲକାନାଗିରି ମୁନିସିପାଲଟି ପର୍ଯ୍ୟନ୍ତ ସମସ୍ତ ସହରର ରାସ୍ତା ନାଳନର୍ଦ୍ଦମାରେ ପୂର୍ଣ୍ଣ । ସହର ରାସ୍ତାରେ ଡ୍ରେନ ପାଣି ଭାସୁଛି, ସାରାରାସ୍ତା ଖାଲଖମାରେ ପୂର୍ଣ୍ଣ ଓ ମଶାଙ୍କ ଉପଦ୍ରବ କହିଲେ ନସରେ । ଦାରିଦ୍ର୍ୟ, ବେକାରୀ, ଦାଦନ ପ୍ରଭୃତି କ୍ଷେତ୍ରରେ ଓଡ଼ିଶା ଦେଶର ଏକନମ୍ବର ସ୍ଥାନରେ ରହିବାର ଅପବାଦ ମୁଣ୍ଡାଉଛି । ଓଡ଼ିଶାର ଚାଷୀ ଦେଶର ସବୁ ରାଜ୍ୟର ଚାଷୀଙ୍କ ଠାରୁ ଗରିବ । ଏଭଳି ଦୃଶ୍ୟପଟରେ ଋଣଟଙ୍କା କାହା ସ୍ୱାର୍ଥରେ ଖର୍ଚ୍ଚ ହେଉଛି ତାହା ଆଜି ପ୍ରଶ୍ନବାଚୀ । ନବୀନ ସରକାର ଯେଉଁ ଋଣ କରୁଛନ୍ତି, ଶାସକ ଦଳର ବିଧାୟକ, ମନ୍ତ୍ରୀ ଓ କର୍ମୀ ତାହାକୁ ଲୁଟି ଖାଉଛନ୍ତି ହେଲେ ରାଜ୍ୟର କିଛି ବିକାଶ ହେଉନାହିଁ ।