ନବ ନିର୍ବାଚିତ ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷା ଯମୁନାଙ୍କ ଦାୟିତ୍ଵ ଗ୍ରହଣ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବୁଧବାର  ନବ ନିର୍ବାଚିତ ବ୍ଳକ ଅଧ୍ୟକ୍ଷା ଯମୁନା ନାୟକ ଦାୟିତ୍ଵ ଗ୍ରହଣ କରିଥିବା ଜଣାପଡିଛି । ଗତ ଜୁନ୍ ୧୧ ତାରିଖରେ ଦିଗପହଣ୍ଡି ବ୍ଳକ  ଅଧ୍ୟକ୍ଷା ସୁନୀତା  ସେଠୀଙ୍କ ଦେହାନ୍ତ ହୋଇଥିଲା । ପରବର୍ତ୍ତୀ ସମୟରେ ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ ଆସନ ପାଇଁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଦସ୍ୟ ବିପିନ ଚନ୍ଦ୍ର ପ୍ରଧାନ ଓ ବିଜେଡ଼ି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ  ବିପ୍ଳବ ପାତ୍ରଙ୍କ ମଧ୍ୟରେ ମତାନ୍ତର ହୋଇଥିଲା । ପରେ ବିପିନ ଙ୍କୁ ବିଜେଡ଼ି ରୁ ବହିଷ୍କୃତ କରାଯାଇଥିଲା। ଗତ ଅଗଷ୍ଟ ୩୧ ତାରିଖରେ ବ୍ଲକ ଅଧ୍ୟକ୍ଷା ଉପ ନିର୍ବାଚନ ରେ ଆଇନ ଶୃଙ୍ଖଳା ଏବଂ କିଛି ସମିତି ସଭ୍ୟ ନିଖୋଜ ଦର୍ଶାଇ ରାଜ୍ୟ ନିର୍ବାଚନ କମିଶନ ନିର୍ବାଚନକୁ ସ୍ଥଗିତ କରିଥିଲେ  । ତେବେ ଗତ ୪ ତାରିଖରେ ବିପିନ ସମର୍ଥନରେ  ଥିବା ୧୪ ଜଣ ସମିତି ସଭ୍ୟ ବ୍ଲକ କାର୍ଯ୍ୟାଳୟରେ ଉପସ୍ଥିତ ରହି ନିର୍ବାଚନ ରେ ଅଂଶଗ୍ରହଣ କରିଥିବା ବେଳେ ୧୦ ସମିତି ସଭ୍ୟ ଅନୁପସ୍ଥିତ ଥିଲେ। ଜଣେ ମାତ୍ର ପ୍ରାର୍ଥୀ ଯମୁନା ନାୟକ ପ୍ରାର୍ଥୀ ପତ୍ର ଦାଖଲ କରିଥିବାରୁ ତାଙ୍କୁ ଅପ୍ରତିଦ୍ଵନ୍ଦୀ ଘୋଷଣା କରାଯାଇଥିଲା।  ଯମୁନା ନାୟକ ନିର୍ଦ୍ବନ୍ଦ୍ବରେ ବିଜୟୀ ହୋଇଥିଲେ ।  ନବ ନିର୍ବାଚିତ ବ୍ଲକ ଅଧ୍ୟକ୍ଷା  ନିଜର ଦାୟିତ୍ଵ ଗ୍ରହଣ କରିବା ପୂର୍ବରୁ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋମ ,ପୂଜା କାର୍ଯ୍ୟକ୍ରମରେ ଯୋଗଦେବା ପରେ ସେ ନିଜ ଆସନ ଗ୍ରହଣ କରିଥିଲେ । ଏହି ଅବସରରେ ବ୍ଳକରେ ଥିବା ସମସ୍ତ ପଞ୍ଚାୟତର ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଉପରେ ଗୁରୁତ୍ଵାରୋପ ଦିଆଯିବ ବୋଲି କହିଥିଲେ । ଏହାପରେ ଦିଗପହଣ୍ଡି ବିଡ଼ିଓ ଡ . ଚିତ୍ତରଞ୍ଜନ ଦାସ ସମେତ ସମସ୍ତ ବ୍ଳକ କର୍ମଚାରୀ ବୃନ୍ଦ ଅଧ୍ଯକ୍ଷା ଙ୍କ କାର୍ଯ୍ୟାଳୟରେ ପହଞ୍ଚି ନବ ନିର୍ବାଚିତ ଅଧ୍ୟକ୍ଷାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ବ୍ଳକ ବିଜେଡି ସଭାପତି ବିଭୂତି ଭୂଷଣ ମହାପାତ୍ର ,  ଜିଲ୍ଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ , ସରପଞ୍ଚ ବିଜୟ ପ୍ରଧାନ , ଲିଙ୍ଗରାଜ ଦୋରା , ସୀତାରାମ ସେଠୀ , ତପନ ପ୍ରଧାନ , ଗୀତାଞ୍ଜଳୀଜେନା ,  ସିମାଞ୍ଚଳ ଗୈାଡ , ପ୍ରଦୀପ ସେଠୀ , ଦେବହରି ଗୌଡ଼ ସମେତ ବହୁ ସରପଞ୍ଚ ଏବଂ ସମିତି ସଭ୍ୟ ମାନେ ଉପସ୍ଥିତ ରହି ସମ୍ବର୍ଦ୍ଧନା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ସଂଘ ସଭାପତି କେ . ହରିବନ୍ଧୁ ରେଡ୍ଡୀ , ପୂର୍ବତନ ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁ , ଅସିତ ସାହୁ , ପୂର୍ବତନ ବ୍ଳକ ବିଜେଡି ସଭାପତି ଉଦୟନାଥ ସ୍ବାଇଁ ପ୍ରମୁଖ  ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ