ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ୍) : ନାଉଗାଁ ବ୍ଳକର ବିଭିନ୍ନ ସମସ୍ୟା ନେଇ ୧୭ ଦଫା ଦାବି ସମ୍ଭଳିତ ଏକ ସ୍ମାରକ ପତ୍ର ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଶୁକ୍ରବାର ତହସିଲଦାର ଜେ.କଳ୍ପାନଙ୍କୁ ପ୍ରଦାନ କରାଯାଇଛି । ଦାବି ଗୁଡିକ ମଧ୍ୟରେ ଗତ ଫନି ବାତ୍ୟାରେ ଏହି ବ୍ଳକରେ ଅନେକ ଚାଷୀଙ୍କର କ୍ଷୟକ୍ଷତି ଘଟିଛି । ପନିପରିବା ଚାଷ ଠାରୁ ଆରମ୍ଭ କରି ଡାଲି ଜାତୀୟ ଫସଲ, ବାଡି ବଗିଚାରେ ଥିବା ବିଭିନ୍ନ ପ୍ରକାର ଫଳ ଗଛ ଆଦି ନଷ୍ଟ ହୋଇଛି । କିନ୍ତୁ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୃଷିବିଭାଗ,ଉଦ୍ୟାନ ବିଭାଗ ଆଦି ପକ୍ଷରୁ ସଠିକ ଭାବେ ତଦନ୍ତ କରାଯାଇ ନଥିବା ବେଳେ ଚାଷୀ ତାର କ୍ଷତି ପୁରଣ ପାଇ ପାରୁ ନାହିଁ । ତେଣୁ ରାଜସ୍ୱ ବିଭାଗ, କୃଷି ବିଭାଗ, ଉଦ୍ୟାନ ବିଭାଗ ମିଳିତ ଭାବେ ବାତ୍ୟାରେ କ୍ଷତି ଗ୍ରସ୍ତ ଚାଷୀକୁ ଚିହ୍ନଟ କରି କ୍ଷତି ପୁରଣ ପ୍ରଦାନ, ଆଗାମୀ ଖରିଫ ଋତୁରେ ଧାନ ଚାଷ କରିଥିବା ଚାଷୀମାନେ ସାର କ୍ରୟ କରିବା ପୂର୍ବରୁ ଉକ୍ତ ବ୍ଳକରେ ସରକାରୀ ସିକୃତି ପ୍ରାପ୍ତ ଦୋକାନୀମାନେ ସାରର ସଠିକ ମୂଲ୍ୟ ସହିତ ଦୋକାନ କାନ୍ଥରେ ସୂଚନା ଫଳକ ଲଗାଇବା, ଅନଲାଇନ ମାଧ୍ୟମରେ ଚାଷୀର ସମସ୍ତ ତଥ୍ୟ ପ୍ରଦାନ କରାଯାଉଥିବା ବେଳେ ନାଉଗାଁ କୃଷି କାର୍ଯ୍ୟାଳୟରେ ବିଦ୍ୟୁତ ନଥିବାରୁ ଚାଷୀମାନେ ଅନଲାଇନ ମାଧ୍ୟମରେ କୌଣସି କାର୍ଯ୍ୟ କରି ପାରୁ ନଥିବା ବେଳେ ସଠିକ ତଥ୍ୟ ପାଇ ପାରୁ ନାହାନ୍ତି,ତେଣୁ କୃଷି କାର୍ଯ୍ୟାଳୟକୁ ବିଦ୍ୟୁତ ସଂଯୋଗ କରିବା, କାଳିଆ ଯୋଜନା ତାଲିକାରେ ନାମ ଥାଇ ମଧ୍ୟ ଏପର୍ଯ୍ୟନ୍ତ ଚାଷୀମାନେ ସେମାନଙ୍କର ପ୍ରାପ୍ୟ ପାଇ ପାରି ନାହାନ୍ତି, ସରକାରକୁ ଆସିଲେ ରାଜ୍ୟ ସରକାର କାଳିଆ ଯୋଜନାରେ ସମସ୍ତ ଚାଷୀକୁ ସହାୟତା ଦେବାକୁ ଘୋଷଣା କରିଥିବା ବେଳେ ଏପର୍ଯ୍ୟନ୍ତ କାହିଁକି ସହାୟତା ମିଳି ନାହିଁ । ଯଥା ଶୀଘ୍ର ଚାଷୀମାନଙ୍କୁ ସହାୟତା ପ୍ରଦାନ, ତହସିଲ କାର୍ଯ୍ୟାଳୟରେ ମିଉଟେସନ ଫାଇଲ କରିବା ବିଳମ୍ବ ହେଉଥିବା ଆଦି ଦାବି ଗୁଡିକରେ ଦର୍ଶାଯାଇଛି । ଏହି ଦାବି ପତ୍ରକୁ ରାଜ୍ୟ ସହ ସଂଯୋଜକ ରଶ୍ମି ରଂଜନ ସ୍ୱାଇଁ, ଜିଲ୍ଲା ସହ ସଂଯୋଜକ ଅଶୋକ କୁମାର ସ୍ୱାଇଁ, ବ୍ଲକ ସଂଯୋଜକ କୈାଳାସ ପରିଡା, କମଳାକାନ୍ତ ପରିଡା, ରାଜ୍ୟ କମିଟି ସଦସ୍ୟ ନବକିଶୋର ମହାନ୍ତି, ବଂଶୀଧର ବେହେରା, ଚତୁଭୂଜ ମହାନ୍ତି ପ୍ରମୁଖ ତହସିଲଦାରଙ୍କୁ ପ୍ରଦାନ କରିଥିଲେ ।