ନଭେମ୍ବର ୧୦ରେ ସାକ୍ଷୀଗୋପାଳ ମନ୍ଦିରରେ ରାଧା ପାଦ ଦର୍ଶନ
ସାକ୍ଷୀଗୋପାଳ,(ୱା ଏନ ଏସ):କାର୍ତ୍ତିକ ଶୁକ୍ଳ ପକ୍ଷ ନବମୀ ତିଥି ଆସନ୍ତା ରବିବାର ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ମନ୍ଦିରରେ ଅଁଳା ନବମୀ। ମନ୍ଦିର ରେ ପୂଜା ପାଉଥିବା ଶ୍ରୀରାଧା ଏହି ଅବସରରେ ପାରମ୍ପରିକ ସୁବର୍ଣ୍ଣ ଗହଣାରେ ସଜ୍ଜେଇ ହୋଇ ଓଡ଼ିଆଣୀ ବେଶରେ ଦର୍ଶନ ଦେବେ। କାଣିଆକଛା ମାରି ପାଟଶାଢ଼ୀ ପରିଧାନ କରିବା ଯୋଗୁ ଶ୍ରୀରାଧାଙ୍କ ପାଦଦର୍ଶନ ର ଅପୁର୍ବ ସୁଯୋଗରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାବେଶ ଲାଗିବ। ଭିଡ଼ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା କିଭଳି ପରିଚାଳନା କରାଯିବ ସେଥିପାଇଁ ପୁରୀ ଏସ୍ ପି ବିନିତ ଅଗ୍ରୱାଲ ବୁଧବାର ସାକ୍ଷୀଗୋପାଳ ମନ୍ଦିରରେ ପୋଲିସ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ମନ୍ଦିର ସମ୍ମୁଖରେ ଜିକଜାକ୍ ବାରିକେଟ, ପାଦପ୍ରକ୍ଷାଳନ, ଦିପଷ୍ଟାଣ୍ଡ, ସାଧାରଣ ଭକ୍ତଙ୍କ ପ୍ରବେଶ, ପ୍ରସ୍ଥାନ, ଭିଆଇପି ଗେଟ୍, ମେଳା ପଡିଆ, ପାର୍କିଙ୍ଗ ସ୍ଥଳ ଆଦି ପ୍ରସ୍ତୁତ ବୁକଲେଟ ଅନୁଯାୟୀ ବୁଲି ଦେଖିଥିଲେ।
ଭିଡ ନିୟନ୍ତ୍ରଣ ପାଇଁ ୩ ଜଣ ଅତିରିକ୍ତ ଏସ ପି, ୯ ଜଣ ଡିଏସପି, ୧୭ ଇନ୍ସପେକ୍ଟର, ୬୯ ଜଣ ଏସ ଆଇ, ଏ ଏସ ଆଇ, ୨୨ ହାବିଲଦାର, ୫୪ କନେଷ୍ଟବଳ, ୮ ଟ୍ରାଫିକ କନେଷ୍ଟବଳ, ୨୦ ପ୍ଲାଟୁନ ଫୋର୍ସ, ୨୦୨ ଗୃହରକ୍ଷୀ ମୁତୟନ କରାଯିବ। ମନ୍ଦିର ସିଂହଦ୍ଵାର ରେ ମେଟାଲ ଡିକ୍ଟେଟର, ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା, ସନ୍ଧାନୀ କୁକୁର, ସାଧା ପୋଷାକ ରେ ଗୁଇନ୍ଦା ପୋଲିସ, ବୋମା ନିଷ୍କ୍ରିୟ କାରୀ ଦଳ ସହିତ କଣ୍ଟ୍ରୋଲ ରୁମ୍ ରେ ସମସ୍ତ ଦିଗ ପ୍ରତି ତୀକ୍ଷ୍ଣ ଦୃଷ୍ଟି ଦିଆଯିବ ବୋଲି ଶ୍ରୀ ଅଗ୍ରୱାଲ କହିଛନ୍ତି। ଏସପିଙ୍କ ସହିତ ଅତିରିକ୍ତ ଏସପି ବିଷ୍ଣୁ ପ୍ରସାଦ ପତି, ଏସଡିପିଓ ବିରଞ୍ଚି ନାରାୟଣ ପତି, ସତ୍ୟବାଦୀ ତହସିଲଦାର ସନ୍ତୋଷ ପାଣିଗ୍ରାହୀ, ଅତିରିକ୍ତ ତହସିଲଦାର ରାଜେଶ ପ୍ରିୟଦର୍ଶୀ, ଆଇଆଇସି ଉମେଶ କୁମାର ସାହୁ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ। ଶ୍ରଦ୍ଧାଳୁ ମାନଙ୍କ ସୁବିଧା ରେ ଦର୍ଶନ, ପୂଜାର୍ଚ୍ଚନା ଏବଂ ବେଢ଼ା ପରିକ୍ରମା ନେଇ ଏସପି ସେବାୟତ ସଂଘ କର୍ମକର୍ତ୍ତା ଓ ସେବାୟତ ମାନଙ୍କ ସହ ଆଲୋଚନା କରିଥିଲେ। ମନ୍ଦିର ସମ୍ମୁଖରେ ବାରିକେଟ ନିର୍ମାଣ, ପାନୀୟ ଜଳ, ସ୍ବଚ୍ଛ ପରିମଳ, ଆଲୋକି କରଣ ସହ ମେଳା ପଡ଼ିଆରେ ୩ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ଚାଲିଥିବା ବେଳେ ନିର୍ଦ୍ଧାରିତ ସମୟ ପୂର୍ବରୁ ଦେବନୀତି ଶେଷ କରି ସାହାଣମେଲା ଦର୍ଶନ ଶୀଘ୍ର ଆରମ୍ଭ ହେବବୋଲି ସେବାୟତ କହିଛନ୍ତି। ବିଧାୟକ ଓମ୍ ପ୍ରକାଶ ମିଶ୍ର ଙ୍କ ଉଦ୍ୟମ ରେ ବଜାର ରାସ୍ତା ଓ ମନ୍ଦିର କୁ ସଂଯୋଗ କରୁଥିବା ରାସ୍ତା ମରାମତି ନବିକରଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।


