ନଭେମ୍ବର ୧୨ରୁ ଐତିହାସିକ କଟକ ବାଲିଯାତ୍ରା
କଟକ: ଏଥର ୮ ଦିନ ଧରି ଚାଲିବ କଟକର ଐତିହାସିକ ବାଲିଯାତ୍ରା । ନଭେମ୍ବର ୧୨ ରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । କିନ୍ତୁ ବାଲିଯାତ୍ରାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଯୋଜନାରେ ଏଥର ତହସିଲ ହାତରୁ ଦାୟିତ୍ୱ କାଢ଼ି ନିଆଯାଇ ଜିଲ୍ଲା ସଂସ୍କୃତି ପରିଷଦ ହାତରେ ଦେଇ ଦିଆଯାଇଛି । ତଳ ବାଲିଯାତ୍ରା ପଡ଼ିଆରେ ଅଧିକାର ଆଉ ତହସିଲ ହାତରେ ନ ରହି ଜିଲ୍ଲା ସଂସ୍କୃତି ପରିଷଦ ହାତରେ ରହିବ । ଆଜି ଜିଲ୍ଲାପାଳଙ୍କ ନୂତନ ସମ୍ଭାବନା ସଭାଗୃହରେ ବାଲିଯାତ୍ରା ବୈଠକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବା ସହ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦିଆଯାଇଛି । ରାଜ୍ୟ ସରକାରଙ୍କ ‘ମୋ ସରକାର’ ଓ ୫-ଟି ଆଧାରରେ ଜିଲ୍ଲାରେ ସମ୍ପୃକ୍ତ ସମସ୍ତ ବିଭାଗ ସହିତ ସମନ୍ୱୟ ରକ୍ଷା କରି ଏକ ନୂତନ ରୂପ ରେଖର ବାଲିଯାତ୍ରାକୁ ଶାନ୍ତି ଶୃଙ୍ଖଳା ଓ ସରସ ସୁନ୍ଦର ଭାବେ ଆୟୋଜନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଚଳିତ ବର୍ଷ ପ୍ରଥମ ଥର ପାଇଁ ଯାତ୍ରାର ଆଠଦିନ ପୂର୍ବରୁ ଷ୍ଟଲ ଆବଣ୍ଟନ ନିମନ୍ତେ ରେଜିଷ୍ଟ୍ରେସନ କରାଯିବ । ଏ ନେଇ କିଛି ପାଉଣା ମଧ୍ୟ ନିଆଯିବ । ଫଳରେ ପ୍ରଥମରୁ ପଞ୍ଜୀକରଣ କରାଯାଇ ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଗୋଟିଏ ସାମଗ୍ରୀର ଷ୍ଟଲକୁ ଏକାଠି ରଖାଯିବ । ଏହା ଦ୍ୱାରା ଲୋକଙ୍କୁ କିଣାବିକା କରିବା ସହଜ ହେବ । ଷ୍ଟଲ ପାଇଁ ଆବେଦନ କରିବାକୁ ଦୁଇଟି ସ୍ଥାନରେ ବ୍ୟବସ୍ଥା ରହିବ କିନ୍ତୁ ଷ୍ଟଲ ଆବଣ୍ଟନ ପାଇଁ କେବେଠାରୁ କ୍ୟାମ୍ପ ଖୋଲାଯିବ ସେ ସମ୍ପର୍କରେ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ ବୋଲି କୁହାଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ, ଶ୍ରୀକାନ୍ତ ତରାଇ, ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡାକ୍ତର ସତ୍ୟବ୍ରତ ଛୋଟରାୟ, କଟକ ସଦର ଉପ ଜିଲ୍ଲାପାଳ ଶୁଭ୍ରାଂଶୁ ମିଶ୍ରଙ୍କ ସମେତ ସଦର ତହସିଲଦାର, ଜିଲ୍ଲା ସଂସ୍କୃତି ଅଧିକାରୀ ଓ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।