ନର୍ଭେରାମ କମ୍ପାନୀର ସ୍ୱତନ୍ତ୍ର ଗ୍ରାମ ସଭା ସଫଳ
ଯୋଡା, (ସମୀର କୁମାର ଦାସ):ଯୋଡା ବ୍ଲକ ଭଦ୍ରାସାହି ପଞ୍ଚାୟତ ଅନ୍ତର୍ଗତ ନର୍ଭେରାମ ପାୱାର ଏଣ୍ଡ ଷ୍ଟିଲ ପ୍ରା;ଲି; କମ୍ପାନୀ ପକ୍ଷରୁ ଆଜି ସକାଳ ୧୦ ଘଟିକା ସମୟରେ ଟଣ୍ଟୋ ଗ୍ରାମରେ ଏକ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇ ଯାଇଛି । ଏହି ଖଣି କମ୍ପାନୀ ନର୍ଭେରାମ ଭଦ୍ରାସାହି ପଞ୍ଚାୟତର ଟଣ୍ଟୋ ଗ୍ରାମ ସଂଲଗ୍ନ ଜଙ୍ଗଲ ଜମି ବ୍ୟବହାର କରି ପ୍ରସ୍ତାବିତ ପେଲେଟ୍ ପ୍ଲାଣ୍ଟ୍ ବସାଇବାର ଯୋଜନା ରଖିଥିବା ବେଳେ ଏଥି ନିମନ୍ତେ ଆବଶ୍ୟକ ୨୭.୧୯ ଏକର ଜଙ୍ଗଲ ଜମି କିସମ ପରିବର୍ତ୍ତନ କରି ଏହାକୁ ଅଣ ଜଙ୍ଗଲ ଜମି ରୂପେ ବ୍ୟବହାର ନିମନ୍ତେ ଏହି ଗ୍ରାମ ସଭା ଆୟୋଜନ କରାଯାଇଥିଲା । ଏହି ଗ୍ରାମ ସଭାର ଆଖପାଖ ଗ୍ରାମରୁ ଏକ ହଜାରରୁ ଅଧିକ ଲୋକ ଯୋଗ ଦେଇଥିବା ଦେଖିବାକୁ ମିଳିଛି । ଗ୍ରାମ ସଭାଟିକୁ ବ୍ଲକ୍ ମଙ୍ଗଳ ସମ୍ପ୍ରସାରଣ ଅଧିକାରିଣୀ ସୁଲତା ପ୍ରଧାନ ପରିଚାଳନା କରିଥିବାବେଳେ ଉକ୍ତ ସଭାରେ ଯୋଡା ଗୋଷ୍ଠି ଉନ୍ନୟନ ଅଧିକାରୀ ଜଗନ୍ନାଥ ହନୁମାନ , ପିଓ ପରେଶ ମହାରଣା , ଫରେଷ୍ଠର ଅକ୍ଷୟ କୁମାର ମହାନ୍ତି ଭଦ୍ରାସାହି ସରପଞ୍ଚ ପ୍ରମିଳା ନାଏକ ଓ ଅନ୍ୟାନ୍ୟ ଜନ ପ୍ରତିନିଧି ମାନେ ଉପସ୍ଥିତି ଥିବା ଦେଖିବାକୁ ମିଳିଛି । ଗ୍ରାମ ସଭାଟିରେ ପଞ୍ଚାୟତରୁ ଆସିଥିବା ବାସିନ୍ଦାଙ୍କ ମଧ୍ୟରୁ ୧୨୨ ଜଣ ନିଜ ନିଜର ମତ ରଖିଥିଲେ । ସେଥିମଧ୍ୟରୁ ୫୦ ଜଣ କମ୍ପାନୀ ସପକ୍ଷରେ ମତ ରଖିଥିବାବେଳେ ଅନ୍ୟ ୭୨ ଜଣ କମ୍ପାନୀ ବିପକ୍ଷରେ ମତ ରଖିଥିଲେ । ୨୬ ନମ୍ବର ଜୋନର ଜିଲ୍ଲା ପରିଷଦ ସଶିକାନ୍ତ ଖିଲାର ଓ ଭଦ୍ରାସାହି ସରପଞ୍ଚ ପ୍ରମିଳା ନାଏକ ଓ ଅନ୍ୟାନ୍ୟ ଜନ ପ୍ରତିନିଧିମାନେ କମ୍ପାନୀ ସପକ୍ଷରେ ମତ ରଖିବା ସହିତ ଏଠାରେ ପ୍ରସ୍ତାବିତ ପେଲେଟ୍ ପ୍ଲାଣ୍ଟ୍ ସ୍ଥାପନ କରାଗଲେ ପାରିପାର୍ଶିକ ଉନ୍ନତି ସଙ୍ଗେ ସଙ୍ଗେ ସ୍ଥାନୀୟ ଅଞ୍ଚଳର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ନିଯୁକ୍ତିର ସୁଯୋଗ ମିଳିପାରିବ ବୋଲି କହିଥିଲେ । ସ୍ଥାନୀୟ ଅଞ୍ଚଳର ମୌଳିକ ସମସ୍ୟା ଓ କର୍ମ ନିଯୁକ୍ତି ଇତ୍ୟାଦିକୁ ନଜରରେ ରଖି କମ୍ପାନୀର ମୁଖ୍ୟ ପରିଚାଳକ ସମସ୍ତ ସମସ୍ୟାର ପର୍ଯ୍ୟାୟକ୍ରମେ ସମାଧାନ କରିବାକୁ ପ୍ରତିଶୃତି ଦେଇଥିବା ଜଣାପଡିଛି ।