ନର୍ସିଂହୋମରେ ପ୍ରସୂତି ଓ ନବ ଜାତକଙ୍କ ମୃତ୍ୟୁ ଘଟଣା ଅଭିଯୁକ୍ତା ମହିଳା ସ୍ବାସ୍ଥ୍ୟକର୍ମୀ ଜେଲ ଗଲେ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ଥାନା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡରେ ଥିବା ଏକ ନର୍ସିଂହୋମରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ଜଣେ ପ୍ରସୂତି ଏବଂ ନବଜାତକଙ୍କ ମୃତ୍ୟୁ ଘଟଣାରେ ମହିଳାଙ୍କ ସ୍ବାମୀ ବାବୁ ନାୟକ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୧୭୪/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ। ସୋମବାର ଏହି ମାମଲାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତାଙ୍କୁ ତଦନ୍ତକାରୀ ଅଧିକାରୀ ଏସଆଇ ଜ୍ୟୋତି ରଞ୍ଜନ ବେହେରା ଗିରଫ କରି ବିଳମ୍ବିତ ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛନ୍ତି।ଅଭିଯୁକ୍ତା ଜଣକ ହେଲେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ବୈକୁଣ୍ଠ ନଗର ୪ର୍ଥ ଲେନ୍ରେ ରହୁଥିବା ମଧୁ ଓରଫ ମଧୁସ୍ମିତା ପଟ୍ଟନାୟକ। ସେ ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ମହିଳା ସ୍ବାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟକରନ୍ତି। ଅଭିଯୁକ୍ତାଙ୍କ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମ ନିକଟ ସିଙ୍ଗପୁରର ମାଗୁଣି ନାୟକଙ୍କ ଝିଅ ରୋଜି ପ୍ରାୟ ବର୍ଷକ ପୂର୍ବେ ପାଟପୁର ଥାନା କରାଖଣ୍ଡି ଗ୍ରାମର ଉଦୟ ନାୟକଙ୍କ ପୁଅ ବାବୁ ନାୟକଙ୍କୁ ବିବାହ କରିଥିଲେ।ବାବୁ ଗୁଜୁରାଟ ବରୋଦା ସ୍ଥିତ ଏକ ଘରୋଇ କମ୍ପାନୀରେ କାମ କରନ୍ତି।ରୋଜି ଗର୍ଭବତୀ ହେବାପରେ ସିଙ୍ଗପୁର ଗ୍ରାମର ବାପଘରେ ରହୁଥିଲେ।ସେ ପ୍ରାୟ ୯ମାସର ଗର୍ଭବତୀ ଥିଲେ।ରବିବାର ମଧ୍ୟାହ୍ନରେ ପେଟରେ ଯନ୍ତ୍ରଣା ହେବାରୁ ବାପଘର ଲୋକେ ତାଙ୍କୁ ଉକ୍ତ ନର୍ସିଂ ହୋମରେ ଭର୍ତ୍ତି କରିଥିଲେ।ସେଠାରେ ତାଙ୍କ ଆଲଟ୍ରା ସାଉଣ୍ଡ କରାଯାଇଥିଲା।ଅପରାହ୍ନରେ ପ୍ରସବ ବେଦନା ଅଧିକ ହେବାରୁ ଉପସ୍ଥିତ ନର୍ସିଂ ହୋମ କର୍ମଚାରୀ ବୃନ୍ଦ ତାଙ୍କ ପ୍ରସବ କରାଇବା ପାଇଁ ରୋଜିଙ୍କ ପରିବାର ଲୋକଙ୍କୁ କହିଥିଲେ।ସେଠାରେ ଅପରାହ୍ନ ପ୍ରାୟ୪ ଟାରେ ତାଙ୍କୁ ପ୍ରସବ ପାଇଁ ନର୍ସିଂ ହୋମର ଅପରେସନ ଥିଏଟରକୁ ନିଆଯାଇଥିଲା।ସନ୍ଧ୍ୟା ପ୍ରାୟ ୬ ଟାରେ ମହିଳା ସ୍ବାସ୍ଥ୍ୟକର୍ମୀ ମଧୁସ୍ମିତା ବାବୁଙ୍କ ଶାଶୁ ମମତା ନାୟକଙ୍କୁ ଡାକି ତାଙ୍କୁ ଏକ ମୃତ ଶିଶୁପୁତ୍ର ଦେଇଥିଲେ। ରାତି ପ୍ରାୟ ୧୦ଟାରେ ରୋଜିଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ନର୍ସିଂହୋମ କର୍ତ୍ତୃପକ୍ଷ ରୋଜିଙ୍କ ପରିବାର ଲୋକଙ୍କୁ ନଜଣାଇ   ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଦର୍ଶାଇ ୧୦୨ ଆମ୍ବୁଲାନ୍ସ ଡ଼କାଇ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଥିଲେ।ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମା ହିନା ନାୟକ ବୋହୂ ଏବଂ ଜନ୍ମିତ ପୁତ୍ର ସନ୍ତାନର ମୃତ୍ୟୁ ହୋଇଥିବା ନେଇ ପୁଅ ବାବୁକୁ ଫୋନ ଯୋଗେ ଜଣାଇଥିଲେ। ଘଟଣାର ଦିନକ ପୂର୍ବରୁ ଫୋନରେ ଭଲମନ୍ଦ କଥା ହୋଇଥିବା ସ୍ତ୍ରୀଙ୍କ ମୃତ୍ୟୁରେ ସେ ଅବାକ୍ ହୋଇ ମର୍ମାହତ ହୋଇପଡ଼ିଥିଲେ। ରୋଜିଙ୍କ ମୃତଦେହ କରାଖଣ୍ଡି ଗ୍ରାମକୁ ନିଆଯାଇ ସୋମବାର ଗାଁ ଶ୍ମଶାନରେ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା।ଘଟଣାର ଦିନକ ପରେ ବାବୁ ଘରେ ପହଞ୍ଚିଥିଲେ।ନର୍ସିଂହୋମରେ କୌଣସି ଡ଼ାକ୍ତରଙ୍କ ଅନୁପସ୍ଥିତିରେ ଅନଭିଜ୍ଞ କର୍ମଚାରୀଙ୍କ ଦ୍ଵାରା ତାଙ୍କ ସ୍ତ୍ରୀଙ୍କ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର କରାଯାଇଥିବା କାରଣରୁ ତାଙ୍କ ମୃତ୍ୟୁ ଘଟିଥିଲା।ଘଟଣାରେ ସମ୍ପୃକ୍ତ ଥିବା ନର୍ସିଂହୋମ ମାଲିକ, ଅପରେସନ କରିଥିବା ନର୍ସିଂହୋମର ଡାକ୍ତର, ମହିଳା ସ୍ବାସ୍ଥ୍ୟ କର୍ମୀ, ଆଶା କର୍ମୀ ପ୍ରମୁଖଙ୍କ ଅବହେଳାରୁ ତାଙ୍କ ସ୍ତ୍ରୀ ଓ ଛୁଆଙ୍କ ମୃତ୍ୟୁ ଘଟିଥିବା ନେଇ ସେ ତାଙ୍କ ଏତଲାରେ ଉଲ୍ଲେଖ ରହିଛି ।                           

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ