ନଳକୂପରୁ ବାହାରୁଛି ଲୌହଗୁଣ୍ଡ ମିଶ୍ରିତ ପାଣି ନୂତନ ନଳକୂପ ଖୋଳିବା ନିମନ୍ତେ ଦାବି
ବେଗୁନିଆ (ଯୁଗାଦ୍ଧ ନ୍ୟୁଜ): ବେଗୁନିଆ ବ୍ଲକ ପଙ୍ଗାରସିଂହ ପଞ୍ଚାୟତ ଅନ୍ତର୍ଗତ ଭୋଗଡା ଉଚ୍ଚ ବିଦ୍ୟାଳୟ ପରିସରରେ ଆରଡବ୍ଲୁଏସଏସ ତରଫରୁ ଦୁଇ ବର୍ଷ ତଳେ ଖୋଳା ଯାଇଥିବା ନଳକୂପଟି ଦୀର୍ଘ ଦିନଧରି ଅଚଳ ହେବା ଯୋଗୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ଘୋର ଅନ୍ତରାୟ ସୃଷ୍ଟି ହୋଇଛି । ନଳକୂପଟି ଖୋଳା ହେବା ଦିନଠାରୁ ଏଥିରୁ ଲୌହ ଗୁଣ୍ଡ ମିଶ୍ରିତ ପାନୀୟ ଜଳ ବାହାରୁ ଥିବାରୁ ଏହା ସମ୍ପୂର୍ଣ୍ଣ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି । ଏ ସମ୍ପର୍କରେ ବିଦ୍ୟାଳୟ ପକ୍ଷରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇବା ସହ ଏକ ନୂତନ ନଳକୂପ ସ୍ଥାପନ ପାଇଁ ଅନୁରୋଧ କରାଯାଇଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଏଥିଲାଗି ଦୃଷ୍ଟି ଦେଇନାହାନ୍ତି । ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ପ୍ରଧାନଶିକ୍ଷକ ଏକ ନୂତନ ନଳକୂପ ଖନନ ପାଇଁ ଜିଲ୍ଲାପାଳ ଓ ବିଡିଓଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି ।


