ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ନିର୍ବାଚନୀ ସଭା
ବୋଲଗଡ଼ (ଯୁଗାଦ୍ଧ ନ୍ୟୁଜ): ଡାବରଧୁଆ ପାଟଣାସ୍ଥିତ ପୁରୁଣା ନବୋଦୟ ବିଦ୍ୟାଳୟ ପଡ଼ିଆରେ ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ବିଜେଡିକୁ ଭୋଟଦେଇ ରାଜ୍ୟରେ ପୁନଃ ନବୀନ ପଟ୍ଟନାୟକ ସରକାରଙ୍କୁ ବହୁ ଭୋଟରେ ଜିତାଇବାକୁ ଏକ ନିର୍ବାଚନୀ ସଭା ଗୁରୁବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବିଜୁ ମହିଳା ଜନତା ଦଳ ସମ୍ପାଦିକା ଉର୍ମିଳା ପାଣିଗ୍ରାହୀଙ୍କ ଆବାହଜତ୍ୱରେ ଏକ ସଭା ଆୟୋଜନ କରାଯାଇଥିଲା । ବୋଲଗଡ ବ୍ଲକସ୍ତରୀୟ ମହିଳା ମହାସଂଘ ସମ୍ପାଦିକା ଗୀତାଞ୍ଜଳି ମହାନ୍ତିଙ୍କ ସଭାପତିତ୍ୱରେ ଡାବରଧୁଆ ପାଟଣା ପଞ୍ଚାୟତର ମହିଳା ସ୍ୱୟଂ ସହାୟିକା ସଭାପତି ସରୋଜିନୀ ମହାପାତ୍ର, ଖଙ୍ଗୁରିଆ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଭାପତି ସମସାଦ୍ ବେଗମ୍ ଓ ବାଙ୍କୋଇ ସମିତିସଭ୍ୟା ପ୍ରଭାତି ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ । ଏହି ସଭାରେ ବେଗୁନିଆ ବୋଲଗଡ ନିର୍ବାଚନ ମଣ୍ଡଳିର ବିଜୁ ଜନତା ଦଳର ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁ ଯୋଗଦେଇ ବିକାଶ ପୁରୁଷ ନବୀନ ପଟ୍ଟନାୟକ ସରକାରଙ୍କୁ ପୁନର୍ବାର ଜିତାଇବା ପାଇଁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ନିବେଦନ କରିଥିଲେ । ବିଜେଡି ପୁନର୍ବାର ସରକାରକୁ ଆସିଲେ ପୂର୍ବଭଳି ବୋଲଗଡ଼ର ବିକାଶରେ ମୁଁ ଜଣେ ସେବକ ଭାବେ ସହାୟକ ହୋଇପାରିବି ବୋଲି କହିଥିଲେ । ଚଳିତ ନିର୍ବାଚନରେ ନବୀନ ସରକାରକୁ ବଳିଷ୍ଠ କରିବାକୁ ଆପଣମାନଙ୍କର ଭୂମିକା ଗୁରୁତ୍ୱପୁର୍ଣ୍ଣ ବୋଲି ସଭାରେ ଶ୍ରୀ ସାହୁ ମହିଳାଙ୍କୁ ବିଜେଡି ମନ୍ତ୍ର ଦେଇଥିଲେ । ବୋଲଗଡ଼ ବିକାଶର ମାଟି । ନବୀନ ପଟ୍ଟନାୟକ ବିକାଶ ପୁରୁଷ । ତେଣୁ ବୋଲଗଡ଼ର ବିକାଶ ମୋର ପ୍ରଥମ ଦାୟିତ୍ୱ । ବୋଲଗଡ଼ ବିକାଶରେ ମୁଁ ଜଣେ ସେବକ ମାତ୍ର । ଏହି ବିକାଶରେ ଆପଣମାନେ ଜଣେ ଜଣେ ନିଖୁଣ ବିନ୍ଧାଣିବୋଲି ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁ କହିଥିଲେ ।ବୋଲଗଡ଼ ବ୍ଲକର ୧୯ ପଞ୍ଚାୟତରୁ ୨ହଜାରରୁ ଊଦ୍ଧ୍ୱର୍ ମହିଳା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।


