ନଷ୍ଟ ହୋଇଥିବା ଫସଲର କ୍ଷୟକ୍ଷତିର ଆକଳନ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ଲଘୁଚାପ ଜନିତ ବର୍ଷାରେ ନଷ୍ଟ ହୋଇଥିବା ଫସଲର ସରକାରୀସ୍ତରରେ କ୍ଷୟକ୍ଷତି ଆକଳନ ସହିତ କୃଷି ଋଣ ଛାଡ ଓ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗଇ ଦେବା ପାଇଁ ନାଉଗାଁ ବ୍ଳକର ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ତହସିଲଦାର ଜେ.କଳ୍ପନାଙ୍କୁ ମଙ୍ଗଳବାର ପ୍ରଦାନ କରାଯାଇଛି । ଉକ୍ତ ଦାବିପତ୍ରକୁ ସଙ୍ଗଠନର ଜିଲ୍ଲା ସହ ସଂଯୋଜକ ଅଶୋକ ସ୍ୱାଇଁ, ବ୍ଲକ ସଂଯୋଜକ ପ୍ରଫୁଲ ପରିଡା, ବଂଶୀଧର ବେହେରା, ନବକିଶୋର ମହାନ୍ତି, ବିଜୟ ବେହେରା, ନବଦିପ୍ତ ତାରେଣିଆ, ଶରତ ଚନ୍ଦ୍ର ନାୟକ, କମଳାକାନ୍ତ ପରିଡା,ଅନିଲ କୁମାର ଜେନା ଆଦି ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି । ଦାବି ମୁତାବକ ଗତ ଲଘୁଚାପ ଜନିତ ବର୍ଷାରେ ଧାନ ଓ ପନିପରିବା ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଚାଷୀ ବିଭିନ୍ନ ବ୍ୟାଙ୍କ, ସୋସାଇଟ, ହାତ ଉଧାରି ଋଣ କରି ଚାଷ କାର୍ଯ୍ୟରେ ଲଗାଇଥିଲା । ଗତ ସେପ୍ଟମ୍ବର ମାସରେ ଧାନ ରୁଆ ରୋଇ ସାରିଥିବା ବେଳେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ଧାନ ଫସଲ ଏକ ପ୍ରକାର ଧୋଇ ହୋଇ ଯାଇଥିଲା । ପୁନର୍ବାର ଧାର କରଜ କରି ଚାଷୀ ବର୍ଷକର ଆହାର ଯୋଗାଡ କରିବା ସହିତ ପରିବାର ପ୍ରତିପୋଷଣ ପାଇଁ ଧାନ ଚାଷ କରିଥିଲେ । ଧାନ ପାଚି ଅମଳ ହେବା ବେଳକୁ ଲଘୁଚାପ ଜନିତ ବର୍ଷାରେ ଶହ ଶହ ହେକ୍ଟର ପାଚିଲା ଧାନରେ ପାଣି ମାଡି ଯାଇଛି । ଯାହାକି ଚାଷୀର ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ଉକ୍ତ ବ୍ଳକରେ ଧାନ ଚାଷ କରି ଶତକଡା ୭୫ ଭାଗ ଲୋକ ନିଜର ପରିବାର ପ୍ରତିପୋଷଣ କରିବା ସହିତ ବିବାହ, ମେଡିକାଲ ଓ ନିଜର ଗୁଜରାଣ ମେଂଟାଇଥାନ୍ତି । ଚାଷ ଉଜୁଡି ଯିବା ଫଳରେ ଚାଷି କିପରି ଋଣ ଆଣିଥିବା ଅର୍ଥ ସୁଝିବ ଚିନ୍ତାରେ ପଡିଯାଇଛି । ଗୋଟିଏ ପଟେ ପରିବାର ପ୍ରତିପୋଷଣ ସାଙ୍ଗକୁ ଅନ୍ୟପଟେ ଋଣ ଟଙ୍କା । ଏହି ଦୁର୍ଦ୍ଦିନ ସମୟରେ ସରକାରଙ୍କ ପକ୍ଷରୁ କ୍ଷୟକ୍ଷତିର ସଠିକ ତଦନ୍ତ କରାଯିବା ସହିତ କୃଷି ଋଣ ଛାଡ କରିବା, ରିଲିଫ କୋର୍ଡ ସଂଶୋଧନ, ଚାଷ ଜମିରେ ଜମି ରହୁଥିବା ଜଳ ନିଷ୍କାସନ କରିବା, ରବି ଋତୁ ପାଇଁ ପ୍ରୋତ୍ସାହନ ଯୋଗାଇବା ସହିତ ଚାଷୀକୁ ପ୍ରଶିକ୍ଷଣ ଦେବା ପାଇଁ ଦାବି କରାଯାଇଛି । ସେହିପରି ଯଥା ଶୀଘ୍ର କ୍ଷୟ କ୍ଷତିର ଆକଳନ କରିବା ପାଇଁ ସଙ୍ଗଠନର ସଦସ୍ୟମାନେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବସି ରହିଥିଲେ । ଘଟଣାସ୍ଥଳରେ କୃଷି ବିଭାଗର ବ୍ଳକ କୃଷି ଅଧିକାରୀ ପ୍ରଭାସ ଚନ୍ଦ୍ର ପଣ୍ଡା ଓ ବ୍ଳକ ସହ କୃଷି ଅଧିକାରୀ ନିର୍ମାଲ୍ୟ ନାୟକ ପହଂଚି ତହସିଲଦାରଙ୍କ ସହିତ ଆଲୋଚନା କରିବାରେ ଉଭୟ କୃଷି ବିଭାଗର ଅଧିକାରୀ ଓ ତହସିଲଦାର ନବ ନିର୍ମାଣ କୃଷକ ସଙ୍ଗଠନର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ । କୃଷି ବିଭାଗ ଓ ରାଜସ୍ୱ ବିଭାଗ ମିଳିତ ସହେଯାଗରେ କ୍ଷୟ କ୍ଷତିର ଆକଳନ କରାଯାଇ ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି ତହସଲଦାର ପ୍ରତିଶୃତି ଦେବା ପରେ ସଦସ୍ୟମାନେ ତହସିଲ କାର୍ଯ୍ୟାଳୟ ସମ୍ମୁଖରୁ ଉଠିଥିଲେ ।