ନାଇଟ୍ କର୍ଫ୍ୟୁରେ ବି ବେଧଡ଼କ୍ ଚାଲିଛି ଲୁହା ପଥର ଚୋରା ଚାଲାଣ, ଡମ୍ପର ଜବତ, ୨ ଗିରଫ
ଯୋଡା, (ସମୀର ଦାସ): କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳରୁ ଝାଡଖଣ୍ଡ ରାଜ୍ୟକୁ ଦୈନିକ ଲୁହାପଥର ଚୋରା ଚାଲାଣ କରାଯାଉଛି । ତେଣେ ପ୍ରଶାସନ ପକ୍ଷରୁ ଆନ୍ତଃରାଜ୍ୟ ସୀମା ସିଲ୍, ନାଇଟ୍ କର୍ଫ୍ୟୁ ଜାରି କରାଯାଇ ପୋଲିସ ପଇଁତରା ମାରୁଥିବା ବେଳେ ଚୋରା ଖଣିଜ ବୋଝେଇ ଗାଡି ଅନାୟାସରେ ଚୋରା ଚାଲାଣ କରୁଛନ୍ତି । ଏହା କିପରି ସମ୍ଭବ ହେଉଛି ଏହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ବାମେବାରୀ ବନପାଳ ଯତୀନ୍ଦ୍ର କୁମାର ସାହୁଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ସୋମବାର ଭୋର୍ ୩ଟା ବେଳେ ନୟାଗଡ ଗ୍ରାମ୍ୟ ଜଙ୍ଗଲରେ ଗଚ୍ଛିତ ରଖାଯାଇଥିବା ଲୁହା ପଥରକୁ ଡମ୍ପର ନଂ ଓଆର୦୯ଇ ୩୯୫୨ ରେ ବୋଝେଇ କରୁଥିବା ବେଳେ ଖବର ପାଇ ଚମ୍ପୁଆ ରେଂଜ ଅଧିକାରୀ ସଂଜିବ ରାଉତ, ବାମେବାରୀ ବନପାଳ ଯତୀନ୍ଦ୍ର କୁମାର ସାହୁ ସଦଳବଳେ ଚଢାଉ କରି ଡମ୍ପରକୁ ଜବତ କରିବା ସହିତ ଏଥିରେ ସଂପୃକ୍ତ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଗିରଫ ଅଭିଯୁକ୍ତମାନେ ହେଲେ ଉଚ୍ଚବାଲି ଅଂଚଳର ଡମ୍ପର ମାଲିକ ମହେଶ୍ୱର ବାରିକ, ଡ୍ରାଇଭର ଉମାଶଙ୍କର ମହାକୁଡ । ଡମ୍ପରରେ ପ୍ରାୟ ୧୦ ମେଟ୍ରିକ ଟନ୍ ଉନ୍ନତମାନର ଲୁହା ପଥର ବୋଝେଇ ହୋଇଥିବା ବନପାଳ ସାହୁ ସୂଚନା ଦେଇଛନ୍ତି ।