ନାଉଗାଁ-ଡାବର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିର୍ମିତ ରାସ୍ତା ଅବସ୍ଥା ଶୋଚନୀୟ,ମରାମତି ପାଇଁ ସ୍ଥାନୀୟ ଅଂଚଳବାସୀଙ୍କ ଦାବି

ନାଉଗାଁ, (ଓ୍ବାଇଏନ୍ଏସ୍):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକସ୍ଥିତ ନାଉଗାଁହାଟରୁ-ଡାବରକୁ ସଂଯୋଗ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣ କରାଯାଇଛି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା । ଏହି ୧୦ କି.ମି ବିଶିଷ୍ଟ ରାସ୍ତା ଉପରେ ନାଉଗାଁ ବ୍ଳକର ନାଉଗାଁ, ତିରୁଣା, ଡାବର, କୋରୁଅ ପଂଚାୟତ ସହିତ ବାଲିକୁଦା ବ୍ଳକର କିଛି ପଂଚାୟତର ଜନସାଧାରଣ ଯାତାୟତ ପାଇଁ ନିର୍ଭର କରିଥାନ୍ତି । ଏହି ରାସ୍ତାଟି ବାଲିକୁଦା ବ୍ଳକର ମାଛଗାଁ, ବାଲିକୁଦାକୁ ମଧ୍ୟ ସଂଯୋଗ କରୁଅଛି । ଗତ କିଛି ଦିନ ତଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଏହି ରାସ୍ତାର ଗୋଠଦା ଠାରୁ ତିରୁଣା ପର୍ଯ୍ୟନ୍ତ ମରାମତି କାର୍ଯ୍ୟ କରାଯାଇଥିଲା । କିନ୍ତୁ ନାଉଗାଁ ବଜାର ଠାରୁ ଗୋଠଦା ପର୍ଯ୍ୟନ୍ତ ୩ କମି ରାସ୍ତାର ଅବସ୍ଥା ବର୍ତମାନ ଶୋଚନୀୟ ହୋଇପଡିଛି । ଏହି ୩ କିମି ରାସ୍ତାର କିଛି ଅଂଶ ପିଚୁ ରାସ୍ତା ଥିବା ବେଳେ କିଛି ଅଂଶ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଛି । ଗତ ୧୦ ବର୍ଷ ହେବ ଏହି ରାସ୍ତା ମରାମତି ନ ହେବାରୁ କଂକ୍ରିଟରୁ ଗୋଡି ସିମେଂଟ ବାହାରି ରାସ୍ତା ସାରା ଖାଲଖମାରେ ପୂର୍ଣ୍ଣ ହୋଇଛି । ଯାହାଫଳରେ ଯିବା ଆସିବା କରିବାରେ ସମସ୍ୟା ସୃଷ୍ଟି ହେଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ରାସ୍ତା ନିର୍ମାଣ ସମୟରେ ପାଣି ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ । ଯାହାଫଳରେ ବର୍ଷା ହେଲେ ରାସ୍ତାରେ ଥିବା ଖାଲରେ ପାଣି ଭର୍ତିି ହୋଇ ରହୁଛି । ରାସ୍ତାରେ ଗୋଟେ ପାଶ୍ୱର୍ରେ ଗାଁର ବାସଗୃହ ରହିଥିବା ବେଳେ ଅନ୍ୟ ପାଶ୍ୱର୍ରେ ବଡ ବଡ ଦଳ ପୂର୍ଣ୍ଣ ପୋଖରୀ ରହିଛି । ବର୍ଷା ହେଲେ ପୋଖରୀରେ ପାଣି ପୂର୍ଣ୍ଣ ହୋଇ ରାସ୍ତା ଉପରେ ପାଣି ଜମି ରହିବା ହେତୁ ପୋଖରୀ ଓ ରାସ୍ତା ସମାନ ଦେଖାଯାଉଛି । ଏହି ବାଟ ଦେଇ ଯାତ୍ରୀବାହୀ ବସ, ଅନ୍ୟାନ୍ୟ ଯାନ ବାହାନ ଯିବା ସମୟରେ ରାସ୍ତାରେ ବଡ ଗର୍ତ ଥିବାରୁ ବହୁ ସମୟରେ ଦୁର୍ଘଟଣା ଘଟୁଛି । ଏପରିକି କିିଛି ଗାଡି ମଧ୍ୟ ପୋଖରୀ ମଧ୍ୟରେ ପଡିବାର ନଜର ରହିଛି । ପାଣି ଦୀର୍ଘ ଦିନ ରାସ୍ତା ଉପରେ ଜମି ରହି ଦୁର୍ଗନ୍ଧ ବାହାରି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ଛୋଟ ଛୋଟ ପିଲା ଉକ୍ତ ରାସ୍ତା ଥିବା ପଚା ପାଣିରେ ପଶି ଯିବା ଆସିବା କରୁଛନ୍ତି । ଏହି ରାସ୍ତାଟି ନାଉଗାଁ, ତିରୁଣା, କୋରୁଅ, ଡାବର ପଂଚାୟତର ମୁଖ୍ୟ ରାସ୍ତା ହୋଇଥିବା ବେଳେ ଜନସାଧାରଣ ହାଟ, ବଜାର, ତହସିଲ, ବ୍ଳକ, ଚିକିତ୍ସାଳୟ ଆଦିକୁ ଆସିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ତେଣୁ ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ଉକ୍ତ ରାସ୍ତାକୁ ଯଥାଶୀଘ୍ର ମରାମତି କରିବା ପାଇଁ ଜନସାଧାରଣ ପ୍ରଶାସନ ନିକଟରେ ଦୃଢ ଦାବି କରିଛନ୍ତି । ଏସଂପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ଅନନ୍ତ ଗୋପାଳ ଶତପଥୀଙ୍କ ସହ ଯୋଗା ଯୋଗ କରାଯାଇଥିଲେ ମଧ୍ୟ ସେ ମିଟିଂରେ ଥିବାରୁ କୌଣସି ଉତର ଦେଇ ନଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ